ନୂଆଦିଲ୍ଲୀ: ନୂଆଦିଲ୍ଲୀ: ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ କୃଷକଙ୍କ ଭୋଟ୍ ହାତେଇବାପାଇଁ ଏବେ କୃଷି ଋଣଛାଡ଼କୁ ନିର୍ବାଚନ ପ୍ରତିଶ୍ରୁତି ଏଜେଣ୍ଡାର ପ୍ରଥମରେ ରଖିଛନ୍ତି। ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଯେ କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ଼ କରିଦେବେ। କିନ୍ତୁ ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଆଜି ଏହି କୃଷି ଋଣଛାଡ଼ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇ କହିଛନ୍ତି ଯେ କୃଷି ଋଣଛାଡ଼ ନିର୍ବାଚନ ପ୍ରତିଶ୍ରୁତିର ଏକ ଅଂଶବିଶେଷ ହେବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ, କୃଷି ଋଣ ଛାଡ଼ କଲେ ଚାଷୀମାନେ ଲାଭବାନ ହେବେନି। ସେ ନିର୍ବାଚନ କମିସନଙ୍କୁ ଏକ ଚିଠି ଲେଖିଛନ୍ତି। କୃଷି ଋଣ ଛାଡ଼କୁ ନିର୍ବାଚନୀ ପ୍ରସଙ୍ଗରେ ସାମିଲ ନକରିବାକୁ ସେ କମିସନଙ୍କୁ ଅନୁରୋଧ କରିଛନ୍ତି। ରାଜନଙ୍କ ମତରେ କୃଷି ଋଣ ଛାଡ଼ ଘୋଷଣା କଲେ ଦୁଇ ପ୍ରକାର କ୍ଷତି ହୋଇଥାଏ। ପ୍ରଥମଟି ହେଉଛି କୃଷି କ୍ଷେତ୍ରରେ ହେବାକୁ ଥିବା ନିବେଶ ବାଧାପ୍ରାପ୍ତ ହୁଏ। ଦ୍ବିତୀୟରେ କୃଷି ଋଣ ଛାଡ଼ କରୁଥିବା ରାଜ୍ୟର ଆର୍ଥିକ ସ୍ଥିତି ପ୍ରଭାବିତ ହୁଏ। ସେ କହିଛନ୍ତି ଯେ, କୃଷି କ୍ଷେତ୍ରର ସମସ୍ୟା ଉପରେ ନିଶ୍ଚିତ ରୂପେ ବିଚାର କରିବାର ଆବଶ୍ୟକତା ରହିଛି। କିନ୍ତୁ ପ୍ରଶ୍ନ ହେଉଛି କୃଷି ଋଣ ଛାଡ଼ କଲେ କ’ଣ ସେମାନେ ଲାଭବାନ ହେବେ? କାରଣ କୃଷକମାନଙ୍କର ଏକ ଛୋଟିଆ ବର୍ଗ ହିଁ ଏହି ଋଣ ନେଇଥାନ୍ତି। ‘ଆନ୍ ଇକୋନମିକ୍ ଷ୍ଟ୍ରାଟେଜି ଫର ଇଣ୍ଡିଆ’ ନାମକ ଏକ ରିପୋର୍ଟ ଜାରି କରି ରାଜନ ଜଣାଇଛନ୍ତି ଯେ, କୃଷି ଋଣ ଛାଡ଼ର ଲାଭ କେବଳ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ମିଳିଥାଏ। କୌଣସି ଗରିବ ଚାଷୀ ଏହାର ଲାଭ ପାଏନାହିଁ। ଆମକୁ ଦେଶରେ ଏଭଳି ଏକ ପରିବେଶ ସୃଷ୍ଟି କରିବାକୁ ପଡ଼ିବ ଯେଉଁଠାରେ ଚାଷୀ ସମାଜ ଏକ ବଡ଼ ଶକ୍ତି ହୋଇପାରିବ। ସେଥିପାଇଁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଜନ କହିଛନ୍ତି।
କୃଷି ଋଣ ଛାଡ଼ ନିର୍ବାଚନ ପ୍ରତିଶ୍ରୁତିର ଅଂଶ ନହେଉ
/sambad/media/post_attachments/wp-content/uploads/2018/12/Untitled-10-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)