ଭୁବନେଶ୍ବର: ଅତୀତର ଡିଜାଇନ୍ ନୂଆ ରୂପରେ ଆଧୁନିକ ଛାପ ନେଇ ବଜାରକୁ ଫେରିବା କିଛି ନୂଆ ଘଟଣା ନୁହେଁ। ସତୁରି ଦଶକରେ ବେଶ ଲୋକପ୍ରିୟତା ହାସଲ କରିଥିବା ପ୍ୟାଚ୍‌ୱାର୍କ ଜିନ୍ସ ୨୦୨୧ରେ ଫେସନ୍‌ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଅତୀତରେ ପ୍ୟାଚ୍‌ୱାର୍କ ଜିନ୍ସରେ ହାତରେ ସିଲାଇ କରି ପ୍ୟାଚ୍‌ ସୃ‌ଷ୍ଟି କରାଯାଉଥିଲା। ମାତ୍ର ଏବେ ମେସିନ୍ ଜରିଆରେ ବିଭିନ୍ନ ଡିଜାଇନ୍‌ର ପ୍ୟାଚ୍‌ ସୃଷ୍ଟି କରାଯାଉଛି। ଡେନିମ୍‌ ପ୍ୟାଚ୍‌କୁ ବ୍ୟବହାର କରି ତାହାକୁ ଅଧିକ ଆକର୍ଷଣୀୟ କରାଯାଉଛି। ଦେଶରେ ଅନ୍‌ଲାଇନ୍ ସପିଙ୍ଗ୍‌ର ଅଭ୍ୟୁଦୟ ହେବା ସହ ପ୍ୟାଚ୍‌ୱାର୍କ ଜିନ୍ସ କିଣିବା ମଧ୍ୟ ସହଜ ହୋଇପାରିଛି। ଲୋକମାନେ ଘରେ ବସି ‌ବିଭିନ୍ନ ସଂସ୍ଥାର ମୋବାଇଲ୍ ଆପ୍ ଜରିଆରେ ଏହାକୁ ମଗାଇପାରିବେ। ଆମାଜନ୍, ଫ୍ଲିପ୍‌କାର୍ଟ, ମିନ୍ତ୍ରା, ଆଜିଓ ଡଟ୍‌ କମ୍, ଭିମାର୍ଟ ରିଟେଲ୍‌, ଅର୍ବାନିକ୍ ଆଦିରୁ ଲୋକମାନେ ପାଚ୍‌ୱାର୍କ ଜିନ୍ସ କିଣିପାରିବେ। ଅମାଜନରୁ ଗ୍ରାହକମାନେ ଲାକ୍ସେଲା, ଜେନେରିକ୍, ମିସ୍ ଚେଜ୍, ଭେରୋ ମୋଡା, ମ୍ୟାଜିକ୍, ଓନ୍‌ଲି, ବେନ୍ ମାର୍ଟିନ୍, ପ୍ୟାରିସ୍ ହାମିଲଟନ୍, ହୋଗାଣ୍ଡା, ମା‌ଡାମେ ଭଳି ବ୍ରାଣ୍ଡ୍‌ର ପ୍ୟାଚ୍‌ୱାର୍କ ଜିନ୍ସ କିଣିପାରିବେ। ତିନି ଶହ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ମୂଲ୍ୟର ପ୍ୟାଚ୍‌ୱାର୍କ ଜିନ୍ସ ଅନ୍‌ଲାଇନ୍‌ରେ ବିକ୍ରି ହେଉଛି।

Advertisment

ପ୍ୟାଚ୍‌ୱାର୍କ ଜିନ୍ସର ବିଭିନ୍ନ ପ୍ରକାରଭେଦ ରହିଛି। କିଛି ଜିନ୍ସରେ କେବଳ ଏକ କାର୍ଟୁନ୍ କିମ୍ବା ଆକର୍ଷଣୀୟ ଚରିତ୍ରର ଚିତ ବ୍ୟବହାର କରାଯାଉଥାଏ। ସେଗୁଡ଼ିକ ହେଉଛି ଅଳ୍ପ ପ୍ୟାଚ୍‌ କାର୍ଯ୍ୟ ହୋଇଥିବା ଜିନ୍ସ ଯାହାକୁ ଫେସନ୍ ଭାଷାରେ କୁହାଯାଉଛି ମିନିମାଲ୍ ପ୍ୟାଚ୍‌ୱାର୍କ। ସେହିପରି ଜିନ୍ସ ସାରା ପ୍ୟାଚ୍‌ୱାର୍କ ହୋଇଥିବା ଜିନ୍ସ ମଧ୍ୟ ବିକ୍ରି ହେଉଛି। ଗ୍ରାଫିକ୍ ଜିନ୍ସ ଓ ଲେୟରଡ୍‌ ଜିନ୍ସ ମଧ୍ୟ ବିକ୍ରି ହେଉଛି। ନିଜର ପସନ୍ଦ ଅନୁସାରେ ଗ୍ରାହକମାନେ ଡିଜାଇନ୍ ଚୟନ କରିପାରିବେ। ସେଗୁଡ଼ିକ ବିଭିନ୍ନ ରଙ୍ଗରେ ମଧ୍ୟ ଉପଲବ୍ଧ ହେଉଛି।