ରିଜର୍ଭ ବ୍ୟାଙ୍କରେ ପ୍ରଥମ ଦିନ, ମୁହଁରେ ସରକାରଙ୍କ ଭାଷା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ହିଁ ସେ ନିଜର ଡେପୁଟି ବିରଳ ଆଚାର୍ଯ୍ୟଙ୍କ ସହ ବସି ଚା’ ପିଇବା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର‌ ଦେଇଛନ୍ତି। ପ୍ରଥମ ଦିନରୁ ସେ ସରକାରଙ୍କ ଭାଷା କହିବା ଆରମ୍ଭ କରିଛନ୍ତି। ସେ କହିଲେ, ସରକାର ଦେଶ ଚଳାଉଛନ୍ତି। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ଭିତରେ ରହିଥିବା ବିବାଦର ଆଲୋଚନା ମାଧ୍ୟମରେ ସମାଧାନ ହେବା ଦରକାର।
ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଥିବା ବିବାଦ ବିଷୟରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଭିତରେ ସମ୍ପର୍କ ଭଲ ଅଛି ନା ଖରାପ ତାହା ମୁଁ ଜାଣିନାହିଁ। କିନ୍ତୁ ସବୁ ଅନୁଷ୍ଠାନ ନିଜର ସ୍ବାୟତ୍ତତା ବଜାୟ ରଖିବା ଦରକାର ଓ ନିଜର ଦାୟିତ୍ବକୁ ପାଳନ କରିବା ଉଚିତ। ଦୁଇ ପକ୍ଷ ମଧ୍ୟରେ ମୁକ୍ତ ଓ ଯୁକ୍ତି ସଙ୍ଗତ ଆଲୋଚନା ଜାରି ରହିବା ଉଚିତ। ରିଜର୍ଭ ବ୍ୟାଙ୍କ ଭଳି ଏକ ଶ୍ରେଷ୍ଠ ଅନୁଷ୍ଠାନର ‘ସ୍ବାୟତ୍ତତା, ବିଶ୍ବାସନିୟତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ମୁଁ ପ୍ରୟାସ କରିବି। ସମସ୍ତ ଅଂଶୀଦାରଙ୍କୁ ନେଇ ଆଗକୁ ବଢ଼ିବି ବୋଲି ସେ କହିଛନ୍ତି।
ଅର୍ଥନୀତି ପାଇଁ କ’ଣ ଯୋଜନା ରହିଛି ବୋଲି ପ୍ରଶ୍ନ ହେବାରୁ ସେ କହିଲେ, ଅର୍ଥନୀତି ପାଇଁ ଯେଉଁ ସମୟରେ ଯାହା ଦରକାର ପଡ଼ିବ ଆମେ ସେଭଳି ପଦକ୍ଷେପ ଗ୍ରହଣ କରିବୁ। ନିକଟ ଭବିଷ୍ୟତରେ କୌଣସି ବଡ଼ ଧରଣର ଘୋଷଣା କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ପ୍ରଥମେ ସେ ରିଜର୍ଭ ବ୍ୟାଙ୍କକୁ ଜାଣିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି। ଉଭୟ ଉପା ଓ ଏନ୍‌ଡିଏ ସରକାରଙ୍କ ସହ କାମ କରିଥିବା ଶକ୍ତିକାନ୍ତ ଭଲ ଭାବେ ଜାଣିଛନ୍ତି, ସରକାର ସରକାର କ’ଣ ଚାହୁଁଛନ୍ତି। ଉଲ୍ଲେଖଯୋଗ୍ୟ, ସରକାରଙ୍କ ସହ ମତଭେଦ ଯୋଗୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଦୁଇ ଦିନ ତଳେ ଉର୍ଜିତ ପଟେଲ୍‌ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଗତକାଲି ଶକ୍ତିକାନ୍ତଙ୍କୁ ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଦେଶର ଆଠଟି ବଜେଟ୍‌ ପ୍ରସ୍ତୁତିରେ ସେ ନିଜର ଅବଦାନ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି), ନିଉ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏନ୍‌ଡିବି) ଓ ଏସିଆନ୍ ଇନଫ୍ରାଷ୍ଟ୍ରକ୍‌ଚର୍‌ ଇନଭେଷ୍ଟମେଣ୍ଟ୍‌ ବ୍ୟାଙ୍କ (ଏଆଇଆଇବି)ରେ ଭାରତର ଅଲ୍‌ଟର୍‌ନେଟ୍‌ ଗଭର୍ଣ୍ଣର ଭାବେ କାମ କରିଛନ୍ତି। ଆଇଏମ୍ଏଫ୍‌, ଜି୨୦, ସାର୍କ ଓ ବ୍ରିକ୍ସ ଆଦି ବୈଠକରେ ସେ ଭାରତର ପ୍ରତିନିଧିତ୍ବ କରିଛନ୍ତି।

ଡେପୁଟିଙ୍କ ସହ ଚା’ ପିଇଲେ ସାମ୍ବାଦିକ ସମ୍ମିଳନୀ ଡାକିଲେ

କ’ଣ କହିଲେ?
ରିଜର୍ଭ ବ୍ୟାଙ୍କ ଏକ ଶ୍ରେଷ୍ଠ ଅନୁଷ୍ଠାନ। ଏହାର ଏକ ସମୃଦ୍ଧ ଓ ଦୀର୍ଘସ୍ଥାୟୀ ପରମ୍ପରା ରହିଛି। ମୁଁ ସବୁ ସମ୍ଭବ ପ୍ରୟାସ କରିବି। ଏକ ଅନୁଷ୍ଠାନ ଭାବେ ରିଜର୍ଭ ବ୍ୟାଙ୍କର ବୃତ୍ତିଗତ, ମୂଳ ମୂଲ୍ୟବୋଧ, ବିଶ୍ବାସନୀୟତା ଓ ସ୍ବାୟତ୍ତତା ବଜାୟ ରଖିବାକୁ ଉଦ୍ୟମ କରିବି। ବିଗତ ୧୦ ବର୍ଷ ଭିତରେ ମୁଁ ରିଜର୍ଭ ବ୍ୟାଙ୍କର ଉପର ଠାରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ କଥାବାର୍ତା କରିଛି। ମୁଁ ଏଭଳି କିଛି ପ୍ରତିନିଧି ମଣ୍ଡଳୀର ସଦସ୍ୟ ଥିଲି ଯେଉଁଥିରେ ରିଜର୍ଭ ବ୍ୟାଙ୍କର ମଧ୍ୟ ପ୍ରତିନିଧି ଥିଲେ। ରିଜର୍ଭ ବ୍ୟାଙ୍କର ସମସ୍ତ ଅଫିସର ଓ ଷ୍ଟାଫ୍‌ମାନଙ୍କ ସହିତ କାମ କରିବାକୁ ମୁଁ ଚାହିଁ ରହିଛି। ରିଜର୍ଭ ବ୍ୟାଙ୍କରେ କାମ କରିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ବହୁତ ବଡ଼ ସୁଯୋଗ, ବିଶେଷ କରି ମୋ ପାଇଁ ଓ ଏହା ଜରିଆରେ ମୁଁ ଦେଶର ସେବା କରିବି। ଦେଶର ଅର୍ଥନୀତି ପାଇଁ ସବୁ ଅଧିକାରୀଙ୍କ ସହ ମିଶି ମୁଁ ଏକ ଟିମ୍ ଭାବେ କାମ କରିବି। ଆଧୁନିକ ଯୁଗରେ ନିଷ୍ପତ୍ତି ନେବା ପ୍ରକ୍ରିୟା ବହୁତ ଜଟିଳ ହୋଇଗଲାଣି। ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ନିହାତି ଜରୁରୀ। ଯେଉଁ ସବୁ ମାମଲାର ଆଲୋଚନା ଆବଶ୍ୟକ ହେବ ମୁଁ ସେ ଦିଗରେ ଆଗକୁ ବଢ଼ିବି। ଆସନ୍ତାକାଲି ଠାରୁ ମୁଁ ସରକାରୀ ବ୍ୟାଙ୍କର ଏମ୍‌ଡି ଓ ସିଇଓଙ୍କ ସହ କଥାବାର୍ତାରୁ ମୋ କାମ ଆରମ୍ଭ କରିବି। ଏତେ କମ୍ ସମୟ ଭିତରେ ବୈଠକ ଡକାଇଥିବାରୁ ବୋଧହୁଏ ମୁମ୍ବାଇ ବାହାରେ ଥିବା ବ୍ୟାଙ୍କର ଏମ୍‌ଡିମାନେ ଯୋଗ ଦେଇପାରିବେ ନାହିଁ। ସେମାନଙ୍କ ସହିତ ଆଉ ଥରେ ଆଲୋଚନା କରିବି। ଘରୋଇ ବ୍ୟାଙ୍କ ସହିତ ମଧ୍ୟ ଆଲୋଚନା କରିବି। ବ୍ୟାଙ୍କ ଶିଳ୍ପ ହେଉଛି ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଓ ଏହା ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଓ ସରକାର ବହୁତ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗକୁ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ପୂର୍ବ ନିର୍ଧାରିତ ତାରିଖ ଅନୁଯାୟୀ ଡିସେମ୍ବର ୧୪ରେ ବୈଠକ ବସିବ। ସେଠାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।

ବିତର୍କକୁ ଖୋରାକ ଯୋଗାଇଲା ଇତିହାସ ପାଠ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦ ପାଇଁ ଶକ୍ତିକାନ୍ତ କେତେ ଯୋଗ୍ୟ ତାହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଇତିହାସରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଜଣେ ବ୍ୟକ୍ତିଙ୍କୁ କିଭଳି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶକ୍ତିକାନ୍ତଙ୍କ ପୂର୍ବରୁ ଗଭର୍ଣ୍ଣର ଭାବେ ଦାୟିତ୍ବ ତୁଲାଇଥିବା ରଘୁରାମ ରାଜନ ଓ ଉର୍ଜିତ ପଟେଲ୍‌ ଅର୍ଥନୀତିରେ ପିଏଚ୍‌ଡି କରିଥିଲେ। ୧୯୯୦ ପରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଅଣ ଅର୍ଥନୀତିଜ୍ଞ ଯାହାଙ୍କୁ ଏଭଳି ପଦ ପ୍ରଦାନ କରାଯାଇଛି। ଶେଷ ଥର ପାଇଁ ଏସ୍‌ ଭେଙ୍କଟରମଣନ୍‌ଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର କରାଯାଇଥିଲା ଯିଏ ଅର୍ଥନୀତି ପାଠ ପଢ଼ିନଥିଲେ। ଆଇଏଏସ୍‌ରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଥିବା ଶେଷ ବ୍ୟକ୍ତି ହେଉଛନ୍ତି ଡି ସୁବ୍ବାରାଓ। ତାଙ୍କର କିନ୍ତୁ ଅର୍ଥନୀତି ଉପରେ ଦଖଲ ଥିଲା। ବିଜେପିର ବରିଷ୍ଠ ନେତା ସବ୍ରମଣିଅନ୍‌ ସ୍ବାମୀ, ପୂର୍ବତନ ଅର୍ଥନୀତି ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଓ ଏମ୍‌ଆଇଟିର ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ମଧ୍ୟ ଶକ୍ତିକାନ୍ତଙ୍କ ନିଯୁକ୍ତି ନେଇପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର