ପ୍ରଥମେ କରୋନା ମୁକାବିଲା କର: ରାଜନ

ନୂଆଦିଲ୍ଲୀ: କରୋନାର ପ୍ରଭାବକୁ ନେଇ ମନ୍ତବ୍ୟ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ସେ କହିଛନ୍ତି, ସର୍ବ ପ୍ରଥମେ କରୋନାକୁ ବ୍ୟାପୀବାରୁ ରୋକିବାକୁ ହେବ। ଏହା ପରେ ଆର୍ଥିକ ପ୍ରୋତ୍ସାହନ କଥା ଚିନ୍ତା କରାଯିବ। କରୋନା ଭୂତ‌ାଣୁର ମୁକାବିଲା ଲାଗି କୌଣସି କେନ୍ଦ୍ରୀୟ ବ୍ୟାଙ୍କ ବିଶେଷ କିଛି କରିପାରିବେ ନାହିଁ। ତେବେ ସରକାରୀ ସ୍ତରରେ ବ୍ୟୟ ବଢ଼ିଲେ କିଛିଟା ଲାଭ ମିଳିବ। କଂପାନି ଏବଂ ଲୋକମାନଙ୍କୁ ପ୍ରଥମେ ଏହି ବିଶ୍ବାସ ଦେବାକୁ ହେବ ଯେ କରୋନା ଭୂତାଣୁ ନିୟନ୍ତ୍ରଣ ଭିତରେ ରହିଛି। ଏହି ବିଷୟକୁ ପ୍ରାଥମିକତା ଦେବାକୁ ରାଜନ ପରାମର୍ଶ ଦେଇଛନ୍ତି। ଏକ ଟିଭି ଚ୍ୟାନେଲ୍‌ରେ ଆଲୋଚନା ବେଳେ ରାଜନ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କୁ କେବଳ ଭୂତାଣୁ ମୁକାବିଲା ଉପରେ ଧ୍ୟାନ ଦେବାକୁ ହେବ। ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ପ୍ରୋ‌ତ୍ସାହନ ପ୍ରଦାନ କରିବା କଥା ପରେ ବିଚାର କରାଯାଇପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଏକ ସପ୍ତାହ ପୂର୍ବେ ସମସ୍ତଙ୍କ ମନୋବଳ ବେଶ ଦୃଢ଼ ଥିଲା। ଏବେ ସମସ୍ତେ ଛାନିଆ ହୋଇପଡ଼ିଛନ୍ତି। କରୋନା ଭୂତାଣୁ ପ୍ରଭାବ ଯୋଗୁଁ କଂପାନିଗୁଡ଼ିକ ନିଜର ଯୋଗାଣ ଶୃଙ୍ଖଳ ରଣନୀତି ବଦଳାଇବାକୁ ବାଧ୍ୟ ହୋଇଥିବା ବେଳେ ବିଦେଶରେ ଥିବା ଉତ୍ପାଦନ କାରଖାନଗୁଡ଼ିକୁ ନେଇ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି। ଏହା ଉତ୍ପାଦନର ଜଗତ୍‌କରଣକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର