ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମଗ୍ରୀର ଦରଦାମ୍ ଶୀଘ୍ର ହ୍ରାସ ପାଇଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦରଦାମ୍ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖାଦ୍ୟ ସାମଗ୍ରୀଗୁଡ଼ିକର ଦର କମ୍ ରହିବା ଯୋଗୁ ଗ୍ରାମାଞ୍ଚଳରେ ଶୀଘ୍ର ଦରଦାମ୍ କମିଥିଲା। ୨୩ଟି ରାଜ୍ୟର ମୁଦ୍ରାସ୍ଫୀତି ହାର ୪%ରୁ କମ୍ ରହିଛି। ଡାମନ୍ ଆଣ୍ଡ୍ ଡିଉ, ହିମାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ଦରଦାମ୍ ସବୁଠୁ କମ୍ ରହିଛି।
ନୀଳ ପ୍ରଚ୍ଛଦ ପୃଷ୍ଠା ପଛର ରହସ୍ୟ
ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯ର ପ୍ରଚ୍ଛଦ ପୃଷ୍ଠା ନୀଳ ରଙ୍ଗର ରହିଛି। ଏହା ପଛରେ ଏକ ରହସ୍ୟ ମଧ୍ୟ ଅଛି। ପ୍ରଚ୍ଛଦ ପୃଷ୍ଠାକୁ ନୀଳ ରଙ୍ଗ କରିବା ପଛରେ ରହିଛି ‘ବ୍ଳୁ ସ୍କାଏ ବା ନୀଳ ଆକାଶ’ ଭାବନା। ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ନୂତନ ଏବଂ ଖୋଲା ଭାବନାରେ ପ୍ରସ୍ତୁତ କରାଯାଇଛି। ଏହି ସର୍ଭେ ରିପୋର୍ଟ ‘ନୀଳ ଆକାଶ ଭାବନା’ ଦ୍ବାରା ପ୍ରେରିତ ବୋଲି ଏହାକୁ ଲେଖିଥିବା ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ କହିଛନ୍ତି। ଗତଥର ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟର ପ୍ରଚ୍ଛଦ ପୃଷ୍ଠାର ରଙ୍ଗ ଗୋଲାପୀ ଥିଲା। ତାହା ଥିଲା ମହିଳା ସଶକ୍ତୀକରଣର ପ୍ରତୀକ।