୬୦ ବର୍ଷରେ ପ୍ରଥମେ ଏମିତି ଘଟିବ, ଏସିଆର ଅଭିବୃଦ୍ଧି ହେବ ‘ଶୂନ’

ଭାରତର ଅଭିବୃଦ୍ଧି କେବେବି ଶୂନ ହେବନି: ନିତି ଆୟୋଗ

ଟୋକିଓ: ବିଗତ ୬୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ବିରଳ ଘଟଣା ଘଟିବ। ଏସିଆର ଅଭିବୃଦ୍ଧି ହାର ଶୂନ ପ୍ରତିଶତକୁ ଖସିଯିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଏଭଳି ଆକଳନ କରିଛି। କରୋନା ଭୂତାଣୁ ପ୍ରଭାବରେ ଏସିଆର ବିଭିନ୍ନ ଦେଶରେ ସେବା କ୍ଷେତ୍ର ଏବଂ ପ୍ରମୁଖ ରପ୍ତାନି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆଇଏମ୍ଏଫ୍‌ର ଏସିଆ ଆଣ୍ଡ୍ ପାସିଫିକ୍ ବିଭାଗର ନିର୍ଦେଶକ ଚାଙ୍ଗୟଙ୍ଗ୍ ରି କହିଛନ୍ତି ଯେ, କରୋନା ବିଶ୍ବ ମହାମାରୀ କାରଣରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର କଟକଣା ଯଥା ଯାତ୍ରା କଟକଣା, ସାମାଜିକ ଦୂରତ୍ବ ବଜାୟ ରଖିବା ନୀତି ଓ ଅନ୍ୟାନ୍ୟ କଟକଣା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଲୋକ ଏବଂ ସଂସ୍ଥାଗୁଡ଼ିକ ପାଇଁ ନୀତି ନିର୍ଧାରକମାନଙ୍କୁ ସହାୟତା ଦେବାକୁ ପଡ଼ିବ। ସେ କହିଛନ୍ତି, ବିଶ୍ବ ଅର୍ଥନୀତି ପାଇଁ ଏକ ସଙ୍କଟମୟ ସମୟ। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳ ଏଥିରୁ ବର୍ତୀ ପାରିବ ନାହିଁ। ବିଗତ ୬୦ ବର୍ଷରେ ପ୍ରଥମ ଥର ପାଇଁ ଏସିଆର ଅଭିବୃଦ୍ଧି ହେବ ଶୂନ। ଏସିଆର ବିଭିନ୍ନ ଦେଶଗୁଡ଼ିକର ନୀତି ନିର୍ଧାରକମାନଙ୍କୁ ସବୁ ପ୍ରକାର ଉପକରଣକୁ ବ୍ୟବହାର କରି କରୋନା ବିଶ୍ବ ମହାମାରୀର ମୁକାବିଲା କରିବାକୁ ପଡ଼ିବ। ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ବିଶ୍ବର ଅନ୍ୟ ପ୍ରାନ୍ତ ତୁଳନାରେ ଏସିଆ ଅର୍ଥନୀତି ଅପେକ୍ଷାକୃତ କମ୍ ପ୍ରଭାବିତ ହେବ। ୨୦୦୮-୦୯ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଏସିଆର ହାରାହାରି ଅଭିବୃଦ୍ଧି ହାର ୪.୭ ପ୍ରତିଶତ ଥିଲା। ୧୯୯୦ର ଏସୀୟ ଆର୍ଥିକ ସଙ୍କଟ ବେଳେ ୧.୩ ପ୍ରତିଶତର ଅଭିବୃଦ୍ଧି ହୋଇଥିଲା। ଆଇଏମ୍ଏଫ୍‌ ଏଥର ଆକଳନ କରିଛି ଯେ ଆସନ୍ତା ବର୍ଷ ଏସିଆର ଅର୍ଥନୈତିକ ଅଭିବୃଦ୍ଧି ୭.୬ ପ୍ରତିଶତ ହାରରେ ଆଗକୁ ବଢ଼ିବ। କିନ୍ତୁ ଏହା ମଧ୍ୟ ଜଣାଇଛି ଯେ ଯଦି କରୋନାର ସଫଳ ମୁକାବିଲା ହେବ ତେବେ ଏହି ସଫଳତା ମିଳିପାରିବ।

ଭାରତର ଅଭିବୃଦ୍ଧି କେବେବି ଶୂନ ହେବନି: ନିତି ଆୟୋଗ
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି କେବେବି ଶୂନ ହେବ ନାହିଁ। ଲକ୍‌ଡାଉନ୍‌ ଶେଷ ହେବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେବ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ସେ କହିଛନ୍ତି କରୋନା ପ୍ରଭାବ କେତେ ବଡ଼ ଧରଣର ହେବ ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ଏବେ ଠାରୁ କୌଣସି ପ୍ରକାର ଆକଳନ କରିବା ଠିକ୍ ହେବ ନାହିଁ। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ୍-ଜୁନ୍‌)ରେ ଅଭିବୃଦ୍ଧି ବିଯୁକ୍ତାତ୍ମକ ହେବ। କାରଣ ଲକ୍‌ଡାଉନ୍ ଘୋଷାଣା ପରେ ଗୋଟିଏ ମାସର ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଛି। କିନ୍ତୁ ରବି ଫସଲ ଅମଳ ଉପରେ ବିଶେଷ ପ୍ରଭାବ ପଡ଼ି ନାହିଁ ବୋଲି ସେ କହିଛନ୍ତି। ପ୍ରଥମ ତ୍ରୟମାସ ଜିଡିପି ହିସାବ ବେଳେ ରବି ଫସଲ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଚଳିତ ମାସ ୨୦ରୁ ବିଭିନ୍ନ ପ୍ରକାର ଶିଳ୍ପ ସଂସ୍ଥାକୁ କାର୍ଯ୍ୟ କରିବାର ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଉଥିବାରୁ ଶିଳ୍ପ କ୍ଷେତ୍ର ମଧ୍ୟ ବିଶେଷ ପ୍ରଭାବିତ ହୋଇନପାରେ ବୋଲି ସେ କହିଛନ୍ତି।
କରୋନା ଭୂତାଣୁ ପ୍ରଭାବରେ ଭାରତର ଅଭିବୃଦ୍ଧି ଶୂନ ହୋଇଯିବ ବୋଲି ବାର୍‌କ୍ଲେ ଆକଳନ କରିଥିଲା। ଆଇଏମ୍ଏଫ୍‌ ଆକଳନ ଅନୁସାରେ ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସିବ। ବିଶ୍ବବ୍ୟାଙ୍କ ଓ ଆଇଏମ୍ଏଫ୍‌ ଯେଉଁ ଆକଳନ କରିଛନ୍ତି ତାହାକୁ ବହୁତ ଅଧିକ ବୋଲି କହିଛନ୍ତି ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍।

ସମ୍ବନ୍ଧିତ ଖବର