ପହିଲାରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ, କେବଳ ଫାସ୍‌ଟ୍ୟାଗ୍‌ରେ ‌ପେମେଣ୍ଟ୍‌

ନୂଆଦିଲ୍ଲୀ: ନୂଆବର୍ଷରୁ ଦେଶର ଜାତୀୟ ରାଜପଥରେ ଥିବା ସବୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ ହେବ। ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ଟୋଲ୍‌ ପ୍ଲାଜାରେ ନଗଦ କାରବାର ପାଇଁ କୌଣସି ଲେନ୍‌ ରହିବ ନାହିଁ। ‌ତେଣୁ ଗାଡ଼ି ମାଲିକମାନଙ୍କୁ ନିଶ୍ଚିତ ରୂପେ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇବାକୁ ପଡ଼ିବ। ବର୍ତ୍ତମାନ ଟୋଲ୍‌ ପ୍ଲାଜ‌ାରେ ୭୫% ପେମେଣ୍ଟ୍‌ ଫାସଟ୍ୟାଗ୍‌ ଜରିଆରେ ହେଉଛି। କେବଳ ଗୋଟିଏ ଲେଖାଏଁ ଲେନ୍‌ରେ ନଗଦ କାରବାର ହେଉଛି। ଅନ୍ୟ ସବୁ ଲେନ୍‌ରେ ଫାସ୍‌ଟ୍ୟାଗ୍‌ ଜରିଆରେ ପେମେଣ୍ଟ୍‌ ଗ୍ରହଣ କରାଯାଉଛି। ସବୁ ଗାଡ଼ିରେ ଯେଭଳି ଫାସ୍‌ଟ୍ୟାଗ୍‌ ଲାଗିବ ତାହା ନିଶ୍ଚିତ କରିବା ଲାଗି ଟୋଲ୍‌ ପ୍ଲାଜାଗୁଡ଼ିକରେ ପଏଣ୍ଟ୍‌ ଅଫ୍ ସେଲ୍‌ (ପିଓଏସ୍‌) ମେସିନ୍‌ ଧରିଥିବା ଲୋକ ମୂତୟନ କରିବା ଉପରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ବିଚାର କରୁଛି। ସେମାନେ ତୁରନ୍ତ ଫାସ୍‌ଟ୍ୟାଗ୍‌ ଜାରି କରିବେ ଏବଂ ତାହାର ରିଚାର୍ଜ ମଧ୍ୟ କରାଇବେ। ଫାସଟ୍ୟାଗ୍‌ ବିଷୟରେ ଯେଭଳି ସବୁ ଗାଡ଼ି ଚାଳକ ସଚେତନ ହେବେ ତାହା ନିଶ୍ଚିତ କରିବା ଲାଗି ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହେବ। କିଛି ଦିନ ଭିତରେ ଗାଡ଼ି ମାଲିକଙ୍କ ପାଇଁ ଫାସ୍‌ଟ୍ୟାଗ୍‌ ଜରୁରୀ ହୋଇପଡ଼ିବ। ତୃତୀୟ ପକ୍ଷ ବୀମା ହାସଲ କରିବା ଲାଗି ଚାରି ଚକିଆ ଓ ତା’ଠାରୁ ବଡ଼ ଗାଡ଼ିଗୁଡ଼ିକ ଲାଗି ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଏପ୍ରିଲ୍‌ ୧ରୁ ଲାଗୁ ହେବ। ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିବା ବଡ଼ ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ନବୀକରଣ କରିବା ଲାଗି ଜାନୁଆରି ୧ରୁ ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି।

ଫାସ୍‌ଟ୍ୟାଗ୍‌ ହେଉଛି ଇଲେକ୍ଟ୍ରୋନିକ୍‌ ଉପାୟରେ ଟୋଲ୍ ଶୁଳ୍କ ସଂଗ୍ରହ କରିବାର ଏକ ବ୍ୟବସ୍ଥା ଯାହା ଏନ୍‌ଏଚ୍‌ଏଆଇ ଦ୍ବାରା ପରିଚାଳିତ ହେଉଛି। ଏହି ଟ୍ୟାଗ୍‌ ରେଡିଓ ତରଙ୍ଗ ଚିହ୍ନଟ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେଉଛି। ଫାସ୍‌ଟ୍ୟାଗ୍ ସହିତ ଏକ ବ୍ୟାଙ୍କ ଖାତା କିମ୍ବା ପେମେଣ୍ଟ୍‌ ୱାଲେଟ୍‌ ଲିଙ୍କ୍‌ କରିବାକୁ ପଡ଼ୁଛି। ଗାଡ଼ି ଟୋଲ୍ ପ୍ଲାଜା ଦେଇ ଗତି କରିବା ବେଳେ ସେଠାରେ ଲାଗିଥିବା କ୍ୟାମେରା ମାଧ୍ୟମରେ ଫାସ୍‌ଟ୍ୟାଗ୍‌ର ସମ୍ପୂର୍ଣ୍ଣ ବିବରଣୀ ମିଳିଯାଉଛି ଓ ‌ଲିଙ୍କ୍‌ ହୋଇଥିବା ଆକାଉଣ୍ଟ୍‌ରୁ ଶୁଳ୍କ ବାବଦ ଅର୍ଥ ସ୍ବୟଂକ୍ରିୟ ଭା‌ବେ କଟିଯାଉଛି। ତେଣୁ ଟୋଲ୍ ଶୁଳ୍କ ଗଣିବା ଲାଗି ଗାଡ଼ିଗୁଡ଼ିକୁ ଧାଡ଼ିରେ ଠିଆ ହୋଇ ରହିବାକୁ ପଡ଼ୁନାହିଁ। ଜାତୀୟ ରାଜପଥରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକରୁ ଭିଡ଼ କମ୍ କରିବା ଏବଂ ଯାନବାହନ ଚଳାଚଳକୁ ତ୍ବରିତ କରିବା ଲାଗି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ କରାଯାଇଛି।

କେଉଁଠୁ କିଣିବେ ଫାସ୍‌ଟ୍ୟାଗ୍‌?
ଆମାଜନ୍, ପେଟିଏମ୍, ସ୍ନାପ୍‌ଡିଲ୍‌ ଭଳି ସଂସ୍ଥା ଠାରୁ ଅନ୍‌ଲାଇନ୍‌ରେ ଫାସ୍‌ଟ୍ୟାଗ୍‌ କିଣିହେବ। ଏହା ବ୍ୟତୀତ ୨୩ଟି ବ୍ୟାଙ୍କ ମଧ୍ୟ ଫାସ୍‌ଟ୍ୟାଗ୍‌ ବିକ୍ରି କରୁଛନ୍ତି। ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଫାସ୍‌ଟ୍ୟାଗ୍‌ ବିକ୍ରି ହେଉଛି। ଇଣ୍ଡିଆନ୍ ହାଇୱେ ମ୍ୟାନେଜମେଣ୍ଟ୍‌ କଂପାନି ଲିମିଟେଡ୍‌ ପକ୍ଷରୁ ବିକ୍ରି କରାଯାଉଥିବା ଫାସ୍‌ଟ୍ୟାଗ୍‌ରେ ଯେକୌଣସି ମାଧ୍ୟମରେ ପେମେଣ୍ଟ୍ କରିହେବ। ଏହି ଧରଣର ଫାସ୍‌ଟ୍ୟାଗ୍‌ ଏବେ ବେଶ ଲୋକପ୍ରିୟ ଅଛି। ଦେଶରେ ୫୦ ନିୟୁତ ପାଖାପାଖି ଗାଡ଼ି ଥିବା ବେଳେ ୨୦ ନିୟୁତରୁ ଅଧିକ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲାଗିଛି।

ଦାମ୍ କେତେ?
ଫାସ୍‌ଟ୍ୟାଗ୍‌ ଲାଗି ବ୍ୟାଙ୍କଗୁଡ଼ିକ ପ୍ରାୟ ୨୦୦ ଟଙ୍କା ନେଉଛନ୍ତି।କିଣିବା ସମୟରେ ଦାମ୍ ଜଣାପଡ଼ିବ। ଏହା ପରେ ୧୦୦ କିମ୍ବା ୨୦୦ ଟଙ୍କାର ସର୍ବନିମ୍ନ ରିଚାର୍ଜ କରିବାକୁ ପଡ଼ୁଛି।

କ’ଣ କାଗଜପତ୍ର ଦରକାର?
ଠିକଣା ଏବଂ ଫଟୋର ପ୍ରମାଣ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସର ଫଟୋ କପି କିମ୍ବା ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍‌କୁ ଦାଖଲ କରିବାକୁ ପଡ଼ିବ। ବ୍ୟାଙ୍କରୁ ଫାସ୍‌ଟ୍ୟାଗ୍ କିଣିବା ବେଳେ ଆଧାର, ପାସ୍‌ପୋର୍ଟ କିମ୍ବା ପାନ୍‌ କାର୍ଡର ଫଟୋ କପି ଦାଖଲ କରିବାକୁ ପଡ଼ୁଛି। ଫାସ୍‌ଟ୍ୟାଗ୍‌ ପାଇଁ ଆବେଦନ ବେଳେ ଏହି କାଗଜପତ୍ର ମଧ୍ୟରୁ ଗୋଟିଏ କିମ୍ବା ଏକାଧିକ ଦରକାର ପଡ଼ିପାରେ।

କିଭଳି ବ୍ୟବହାର କରିବେ?
ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ବ୍ୟବହାରକାରୀଙ୍କ ପାଇଁ ‘ମାଇଁ ଫାସଟ୍ୟାଗ୍‌ ମୋବାଇଲ୍‌ ଆପ୍’ ରହିଛି ଯାହାକୁ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ପ୍ରତି ଫାସ୍‌ଟ୍ୟାଗ୍‌ର ସ୍ବତନ୍ତ୍ର ନମ୍ବର ରହିଛି। ବ୍ୟାଙ୍କଗୁଡ଼ିକର ନିଜସ୍ବ ବ୍ୟବସ୍ଥା ମଧ୍ୟ ରହିଛି। ଇ-ୱାଲେଟ୍‌ ଭଳି ଏହାକୁ ବ୍ୟବହାର କରିହେବ। ରିଚାର୍ଜ ଓ ଟପ୍‌-ଅପ୍ ସୁବିଧା ମଧ୍ୟ ଏଥିରେ ରହିଛି।

 

ସମ୍ବନ୍ଧିତ ଖବର