ବାପା ଶିଖାଇଥିଲେ ସଫଳତାର ମନ୍ତ୍ର:ସଫଳ ବ୍ୟବସାୟୀ ପ୍ରକାଶ ବିଶ୍ୱାଳ, ରାଜ୍‌ ଇଲେକ୍‌ଟ୍ରୋନିକ୍ସ

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଅନ୍ତର୍ଗତ ସୟା ନିଶ୍ଚନ୍ତପୁର ଗ୍ରାମରେ ଏକ ସମ୍ଭ୍ରାନ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ବଡ଼ ସ୍ୱପ୍ନ ଦେଖିବା ତାଙ୍କ ପିଲାଦିନର ଅଭ୍ୟାସ। ତାଙ୍କର ସେହି ଗୁଣ ଆଜି ତାଙ୍କୁ ରାଜ୍ୟର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ବଜାରରେ ଜଣେ ଖ୍ୟାତନାମା ବ୍ୟବସାୟୀରେ ପରିଣତ କରିପାରିଛି। ସେ ହେଉଛନ୍ତି ପ୍ରକାଶ ବିଶ୍ୱାଳ। ଲୋକମାନଙ୍କ ନିକଟରେ ସେ ଟୁଟୁ ଭାଇ ଭାବେ ବେଶ୍‌ ପରିଚିତ। ରାଜ୍ୟର ପ୍ରତିଷ୍ଠିତ ଇଲେକ୍‌ଟ୍ରୋନିକ୍ସ ସୋ’ରୁମ୍‌ ରାଜ୍‌ ଇଲେକ୍‌ଟ୍ରୋନିକ୍ସର ସେ ହେଉଛନ୍ତି ମାଲିକ।
ବାପା ରାଜ କିଶୋର ବିଶ୍ୱାଳ ଓ ମା’ କମଳା କୁମାରୀ ବିଶ୍ୱାଳଙ୍କର ସେ ଥିଲେ ଚତୁର୍ଥ ପୁଅ। ନିଜ ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଏନ୍‌ କେ ହାଇସ୍କୁଲରୁ ମାଟ୍ରିକ୍‌ ଓ ଅଟଳ ବିହାରୀ କଲେଜରୁ ବିଏ ପାସ୍‌ କରିଥିଲେ।
ଟୁଟୁ ଭାଇଙ୍କ ବାପା ରାଜ କିଶୋର ରେଭେନ୍‌ସା କଲେଜରୁ ପାଠପଢ଼ା ଶେଷ କରିବା ପରେ ଏକ ଚିମ୍‌ନି ଇଟା କାରଖାନା ସ୍ଥାପନ କରିଥିଲେ। ଏଥିସହିତ ୧୯୭୭ରେ ସେ ଯାଜପୁର ରୋଡ୍‌ଠାରେ ଆଖଣ୍ଡଳମଣୀ ଫାଉଣ୍ଡ୍ରିଜ୍‌ ଆଣ୍ଡ୍‌ ଇଞ୍ଜିନିୟରିଂ ଓ୍ଵାର୍କସ୍‌ ନାମକ କାରଖାନା ସ୍ଥାପନ କରିଥିଲେ। ବାପାଙ୍କଠାରେ ବ୍ୟବସାୟୀ ହେବାର ଯେଉଁ ପ୍ରବଳ ଆଗ୍ରହ ଥିଲା ତାହା ଟୁଟୁ ଭାଇଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥିଲା। ସେଥିପାଇଁ ସେ କୁହନ୍ତି ଯେ ମୋ ରକ୍ତରେ ବ୍ୟବସାୟୀ ଗୁଣ ରହିଛି। ସେଥିପାଇଁ ମୁଁ ଏଭଳି ସଫଳତା ପାଇଛି।
୧୯୯୯ ମସିହାରେ ଟୁଟୁଭାଇ ବାରିପଦା ଲ’ କଲେଜରେ ଆଇନ ପାଠ ପଢ଼ୁଥିଲେ। ତେବେ ବାପାଙ୍କୁ ସହଯୋଗ କରିବା ପାଇଁ ଅଧାରୁ ପାଠ ଛାଡ଼ି ସେ ଯାଜପୁର ଚାଲିଯାଇଥିଲେ। ସେଠାରେ ଫେବ୍ରିକେସନ୍‌ ୟୁନିଟ୍‌ ବସାଇ ଷ୍ଟିଲ୍‌ ଆଲ୍‌ମିରା ନିର୍ମାଣ କରିଥିଲେ। ସେତେବେଳେ ଷ୍ଟିଲ୍‌ ଆଲମିରା ଦର ଏତେ ଅଧିକ ରହୁଥିଲା ଯେ ତାହାକୁ ସାଧାରଣ ଲୋକେ କିଣିପାରୁନଥିଲେ। ଏହା ଜାଣିବା ପରେ ଟୁଟୁ ଭାଇ ଏକ ସ୍କିମ୍‌ ଆରମ୍ଭ କରିଥିଲେ। ପ୍ରଥମେ ୧୦-୧୨ ଜଣ ଦୋକାନୀଙ୍କୁ ସ୍କିମ୍‌ରେ ସାମିଲ କରୁଥିଲେ। ସେମାନେ ପ୍ରତିଦିନ କିଛି କିଛି ଟଙ୍କା ଦେଉଥିଲେ। ଯାହାର ଜମା ରାଶି ଆଲମିରା ମୂଲ୍ୟ ସହ ସମାନ ହୋଇଯାଉଥିଲା ତାଙ୍କୁ ସେ ଆଲମିରା ଦେଇଦେଉଥିଲେ। ଏହି ସ୍କିମ୍‌ ବହୁତ ହିଟ୍‌ ହୋଇଥିଲା ଓ ଆଲମିରା ବ୍ୟବସାୟ ବଢ଼ିଯାଇଥିଲା।
ବ୍ୟବସାୟ ବଢ଼ିବା ପରେ ୧୯୮୪ ମସିହାରେ ସେ ଯାଜପୁରରେ ଏକ ସୋ’ରୁମ୍‌ ଖୋଲିଥିଲେ। ଯେତେବେଳେ ତାଙ୍କୁ ଗୋଦ୍‌ରେଜ୍‌ କଂପାନିର ଡିଲରସିପ୍‌ ମିଳିଲା ତାଙ୍କ ଭାଗ୍ୟ ବଦଳିଯାଇଥିଲା। ଗୋଦରେଜ୍‌ କଂପାନିର ଫ୍ରିଜ୍‌ ବିକ୍ରି କରି ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ। ବ୍ୟବସାୟ ବଢ଼ିବା ସହିତ ସେ ୧୯୯୦ ମସିହାରେ ଭଦ୍ରକଠାରେ ବିଶ୍ୱାଳ ସେଲ୍‌ସ ନାମରେ ସୋ’ରୁମ୍‌ ଖୋଲିଥିଲେ। ୧୯୯୩ରେ ତାଙ୍କୁ ବିପିଏଲ୍‌ କଂପାନିର ଡିଲରସିପ୍‌ ମିଳିଥିଲା। ୧୯୯୪ରେ ଭୁବନେଶ୍ୱର ଠାରେ ରାଜ୍‌ ଇଲେକ୍‌ଟ୍ରୋନିକ୍ସ ସୋ’ରୁମ୍‌ ଖୋଲିଥିଲେ। ଏବେ ସାରା ରାଜ୍ୟରେ ତାଙ୍କର ୨୦ଟି ସୋ’ରୁମ୍‌ ରହିଛି।

ସମ୍ବନ୍ଧିତ ଖବର