ଷ୍ଟେଟ୍‌ ବ୍ୟାଙ୍କ ଏଫ୍‌ଡି ଉପରେ ମିଳିବ କମ୍ ସୁଧ

ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ମିଆଦୀ ଜମା (ଏଫ୍‌ଡି) ଉପରେ କମ୍ ସୁଧ ମିଳିବ। ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଅବଧି ଏଫ୍‌ଡିର ସୁଧ ହାରରେ ୦.୭୫% ହ୍ରାସ ଘୋଷଣା କରାଯାଇଛି। ସୁଧ ହାରରେ ଏହି ପରିବର୍ତ୍ତନ ଅଗଷ୍ଟ ପହିଲାରୁ ଲାଗୁ ହେବ। ଲମ୍ବା ଅବଧିର ଏଫ୍‌ଡି ସୁଧ ହାରରେ ୦.୨୦% ହ୍ରାସ କରାଯାଇଛି। ସେହି ସମୟରେ ମୋଟା ଅଙ୍କର ଏଫ୍‌ଡି ସୁଧ ହାର ୦.୩୫% ହ୍ରାସ ପାଇଛି। ୧୭୯ ଦିନରୁ କମ୍ ଅବଧିର ଏଫ୍‌ଡି ସୁଧରେ ୦.୫୦-୦.୭୫% ପର୍ଯ୍ୟନ୍ତ ହ୍ରାସ କରାଯାଇଛି।

ଗତ ମେ’ରେ ବ୍ୟାଙ୍କ ପକ୍ଷରୁ ୨ କୋଟି ଟଙ୍କାରୁ କମ୍ ମୂଲ୍ୟର ଦୁଇ ବର୍ଷିଆ ଏଫ୍‌ଡି ସୁଧ ହାରକୁ ୬.୮%ରୁ ବଢ଼ାଇ ୭% କରାଯାଇଥିଲା। ତେବେ ଅନ୍ୟ ସବୁ ଅବଧିର ଏଫ୍‌ଡି ସୁଧ ହାରକୁ ସେହି ସମୟରେ ହ୍ରାସ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସଞ୍ଚୟ ଜମା ସୁଧ ହାରକୁ ରିଜର୍ଭ ବ୍ୟାଙ୍କର ରେପୋ ହାର ସହ ଲିଙ୍କ୍‌ କରାଯାଇଛି। ରେପୋ ହାରରେ ଯେଉଁ ଭଳି ପରିବର୍ତ୍ତନ ହେବ ତାହାର ପ୍ରଭାବ ଏହି ପ୍ରକାର ଏଫ୍‌ଡିର ସୁଧ ହାରରେ ପ୍ରତିଫଳିତ ହେବ। ଏଫ୍‌ଡି ସୁଧ ହାର କମ୍ କରାଯିବାର ପ୍ରମୁଖ କାରଣ ହେଉଛି ବ୍ୟାଙ୍କ ପାଖରେ ବିପୁଳ ପରିମାଣର ନଗଦ ରାଶି ରହିଛି। ଏହା ସହିତ ଅନ୍ୟ ଯେଉଁ ସବୁ କ୍ଷେତ୍ରରେ ଟଙ୍କା ଜମା ରହିଛି ତାହାର ସୁଧ କମିଯାଇଛି। ଏହାକୁ ଦୃଷ୍ଟିରେ ରଖି ନିଜର ଏଫ୍‌ଡି ସୁଧ ହାର କମ୍‌ କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର