ନୂଆଦିଲ୍ଲୀ : ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏହି ଉପଲକ୍ଷେ ଜମାକାରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହା କରାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଏକ୍ସିସ ବ୍ୟାଙ୍କ ଏବଂ କର୍ଣ୍ଣାଟକ ବ୍ୟାଙ୍କ ପକ୍ଷରୁ ନୂଆ ଯୋଜନା ଆରମ୍ଭ ହୋଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ‘ଉତ୍ସବ ଡିପୋଜିଟ୍’ ନାମରେ ଏକ ନୂଆ ମିଆଦୀ ଜମା ଯୋଜନା ଆରମ୍ଭ କରିଛି। ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ଉକ୍ତ ଜମା ଉପରେ ୬.୧ ପ୍ରତିଶତ ସୁଧ ପ୍ରଦାନ କରାଯିବ। ଉକ୍ତ ଅଫର ୭୫ ଦିନ ଅର୍ଥାତ୍ ୨୦୨୨ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଉକ୍ତ ମିଆଦୀ ଜମା ଯୋଜନାର ଅବଧି ୧୦୦୦ ଦିନ ରହିଛି। ବରିଷ୍ଠ ନାଗରିକଙ୍କୁ ୦.୫୦ ପ୍ରତିଶତ ଅଧିକ ସୁଧ ପ୍ରଦାନ ବ୍ୟବସ୍ଥା ରହିଛି।
କର୍ଣ୍ଣାଟକ ବ୍ୟାଙ୍କ ମଧ୍ୟ କେବିଏଲ୍ ଅମୃତ ସମୃଦ୍ଧି ନାମରେ ଜମା ଯୋଜନା ଆରମ୍ଭ କରିଛି। ଏଥିରେ ୭୫ ସପ୍ତାହ (୫୨୫ ଦିନର ଅବଧି) ପାଇଁ ୬.୧ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି। ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ବରୋଦା ତିରଙ୍ଗା ଡିପୋଜିଟ୍ ସ୍କିମ ନାମରେ ଯୋଜନା ଆରମ୍ଭ କରିଛି। ୪୪୪ ଦିନର ଜମା ଉପରେ ବ୍ୟାଙ୍କ ୫.୭୫ ପ୍ରତିଶତ ଏବଂ ୫୫୫ ଦିନର ଜମା ଉପରେ ୬ ପ୍ରତିଶତ ସୁଧ ପ୍ରଦାନ କରିବ। ଅଗଷ୍ଟ ୧୬ରୁ ଉକ୍ତ ନୂଆ ଯୋଜନା ଆରମ୍ଭ ହୋଇଛି ଏବଂ ଚଳିତବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ୨ କୋଟିରୁ କମ୍ ଜମାରାଶି ଉପରେ ଏହି ସ୍କିମ ଲାଗୁ ହୋଇଛି।
ସେହିଭଳି ଏକ୍ସିସ ବ୍ୟାଙ୍କ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ ସପ୍ତାହର ମିଆଦୀ ଜମା ଉପରେ ୬.୦୫ ପ୍ରତିଶତ ସୁଧ ହାର ଘୋଷଣା କରିଛି। ବରିଷ୍ଠ ନାଗରିକଙ୍କୁ ଏହି ୭୫ ସପ୍ତାହର ଜମା ଉପରେ ୬.୮୦ ପ୍ରତିଶତ ସୁଧ ପ୍ରଦାନ କରୁଛି। ଅଗଷ୍ଟ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଉକ୍ତ ଜମା ଯୋଜନା ଉପଲବ୍ଧ ହେବ। ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ୭୫ ସପ୍ତାହ, ୭୫ ମାସ ଏବଂ ୯୯୦ ଦିନ ଭଳି ୩ଟି ଅବଧି ଜମା ଉପରେ ୭.୫ ପ୍ରତିଶତ ସୁଧ ହାର ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/fixed-deposit.jpg)