ନୂଆଦିଲ୍ଲୀ: ଚଳିତବର୍ଷ ପାର୍ବଣ ସମୟରେ ଦେଶରେ ଗାଡ଼ି ବିକ୍ରି ରେକର୍ଡ ସ୍ତରରେ ପହଞ୍ଚିଛି। ୪୨ ଦିନ ମଧ୍ୟରେ ଦେଶରେ ୫୨ ଲକ୍ଷ ୩୮ ହଜାର ୪୦୧ଟି ଗାଡ଼ି ବିକ୍ରି ହୋଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ରିପୋର୍ଟରୁ ଜଣାଯାଇଛି। ପାର୍ବଣ ସମୟରେ ଜିଏସ୍ଟି ହ୍ରାସର ପ୍ରଭାବ ସମେତ ଲୋକଙ୍କ ମଧ୍ୟରେ ଉତ୍ସାହ ପାଇଁ ଗାଡ଼ି ବିକ୍ରି ବଢ଼ିଛି।
ଗତବର୍ଷର ପାର୍ବଣ ସମୟରେ ଦେଶରେ ୪୩ ଲକ୍ଷ ୨୫ ହଜାର ୬୩୨ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍ବଣ ସମୟରେ ଅଧିକ ୨୧ ପ୍ରତିଶତ ଗାଡ଼ି ବିକ୍ରି ହୋଇଛି। ଭାରତର ଅଟୋମୋବାଇଲ ବିକ୍ରି କ୍ଷେତ୍ରରେ ଚଳିତବର୍ଷ ପାର୍ବଣ ସମୟର ୪୨ ଦିନ ଏକ ମାଇଲଖୁଣ୍ଟ ଭାବେ ସ୍ଥାପନ ହୋଇଛି। ପ୍ରାୟ ସବୁ ବର୍ଗରେ ଗାଡ଼ି ବିକ୍ରି ବଢ଼ିଛି ବୋଲି ଏଫ୍ଏଡିଏର ସଭାପତି ସିଏସ୍ ବିଘ୍ନେଶ୍ବର କହିଛନ୍ତି। ପାସେଞ୍ଜର ଯାନ ବିକ୍ରି ଏହି ଅବଧିରେ ୭,୬୬,୯୧୮ରେ ପହଞ୍ଚିଛି। ଗତବର୍ଷ ଏହା ୬,୨୧,୫୩୯ରେ ରହିଥିଲା। ଅର୍ଥାତ୍ ପାସେଞ୍ଜର ଯାନ ବିକ୍ରିରେ ୨୩ ପ୍ରତିଶତ ବଢ଼ିଛି।
ଜିଏସ୍ଟି ୨.୦ କାର୍ଯ୍ୟକାରୀ ହେବା କାରଣରୁ ଲୋକଙ୍କ ପାଇଁ ଗାଡ଼ି ଦର ସୁଲଭ ହୋଇଛି। ମଧ୍ୟବିତ୍ତବର୍ଗର ଲୋକମାନେ ଅଧିକ ମାତ୍ରାରେ ଗାଡ଼ି କିଣିଛନ୍ତି। ଜିଏସ୍ଟି ହ୍ରାସ ଫଳରେ କମ୍ପାକ୍ଟ ଏବଂ ୪ ମିଟରରୁ କମ୍ ଲମ୍ବର କାର୍ ଚାହିଦା ଅଧିକ ରହିଛି। ଦୁଇ ଚକିଆ ଯାନ ବିକ୍ରି ୨୨ ପ୍ରତିଶତ ବୃଦ୍ଧି ଘଟି ୪୦,୫୨,୫୦୩ ୟୁନିଟରେ ପହଞ୍ଚିଛି। ୨୦୨୪ରେ ଏହି ସଂଖ୍ୟା ୩୩,୨୭,୧୯୮ ରହିଥିଲା। ୩ ଚକିଆ ଏବଂ ବାଣିଜ୍ୟିକ ଯାନ ବିକ୍ରି ଯଥାକ୍ରମେ ୯ ପ୍ରତିଶତ ଏବଂ ୧୫ ପ୍ରତିଶତ ବୃଦ୍ଧି ଘଟିଛି।
ଅକ୍ଟୋବର ମାସରେ ଗାଡ଼ି ବିକ୍ରିରେ ୪୧ ପ୍ରତିଶତ ବୃଦ୍ଧି ଦେଖାଦେଇ ଏହି ସଂଖ୍ୟା ୪୦,୨୩,୯୨୩ ୟୁନିଟରେ ପହଞ୍ଚିଛି।
ଏହି ମାସରେ ଉଭୟ ପାସେଞ୍ଜର ଯାନ ଏବଂ ଦୁଇ ଚକିଆ ଯାନରେ ରେକର୍ଡ ବିକ୍ରି ହୋଇଛି। ପାସେଞ୍ଜର ଯାନ ବିକ୍ରି ସଂଖ୍ୟା ୫,୫୭,୩୭୩ରେ ପହଞ୍ଚିଥିବାବେଳେ ଦୁଇ ଚକିଆ ଯାନ ବିକ୍ରି ସଂଖ୍ୟା ୩୧,୪୯,୮୪୬ ୟୁନିଟରେ ରହିଛି। ଅକ୍ଟୋବରରେ ଏହି ଉଭୟ ବର୍ଗରେ ଗାଡ଼ି ବିକ୍ରି ଯଥାକ୍ରମେ ୧୧ ପ୍ରତିଶତ ଏବଂ ୫୨ ପ୍ରତିଶତ ଅଧିକ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/WLMt19p9s8nyeRiqEbC1.jpg)