ଖୁଚୁରା କ୍ଷେତ୍ରରେ ୧୦୦%

ଏଫ୍‌ଡିଆଇ ନିୟମ କୋହଳ

ନୂଆଦିଲ୍ଲୀ: ବଜେଟ୍‌ ପୂର୍ବରୁ ଏକ ବଡ଼ ଧରଣର ସଂସ୍କାର ପଦକ୍ଷେପ ସ୍ୱରୂପ ସରକାର ବିଭିନ୍ନ କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମା କୋହଳ କରିଛନ୍ତି। ସିଙ୍ଗଲ୍‌ ବ୍ରାଣ୍ଡ୍‌ ଖୁଚୁରା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଋଣ ବୋଝ ତଳେ ଦବି ରହିଥିବା ଏୟାର ଇଣ୍ଡିଆରେ ୪୯% ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହା ବ୍ୟତୀତ କନଷ୍ଟ୍ରକ୍ସନ ଏବଂ ବିଦ୍ୟୁତ ଏକ୍ସଚେଞ୍ଜ ପାଇଁ ଏଫ୍‌ଡିଆଇ ସୀମା କୋହଳ କରାଯାଇଛି। ବିଦେଶୀ ପାଣ୍ଠି ହାସଲ କରୁଥିବା ଅଡିଟ୍‌ ସଂସ୍ଥା ଏବଂ ମେଡିକାଲ୍‌ ଉପକରଣ ନିର୍ମାତାଙ୍କ ପାଇଁ ମଧ୍ୟ ବିଦେଶୀ ପୁଞ୍ଜିନିବେଶ ନିୟମ କୋହଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୂର୍ବରୁ ସିଙ୍ଗଲ୍‌ ବ୍ରାଣ୍ଡ୍‌ ରିଟେଲ୍‌ ପାଇଁ ୧୦୦% ଏଫ୍‌ଡିଆଇ ଅନୁମତି ଥିଲା। ମାତ୍ର ଏଥିପାଇଁ ସରକାରଙ୍କ ଅନୁମତି ମଧ୍ୟ ବାଧ୍ୟତାମୂଳକ ଥିଲା। ଏବେ ସ୍ୱୟଂଚାଳିତ ରୁଟ୍‌ରେ ଶତ ପ୍ରତିଶତ ଏଫ୍‌ଡିଆଇ ମଞ୍ଜୁର କରାଯାଇଛି। ଏୟାର ଇଣ୍ଡିଆ ପାଇଁ ଏଫ୍‌ଡିଆଇ ନିୟମ କୋହଳ କରାଯାଇଥିବାରୁ ବିଦେଶୀ ସଂସ୍ଥା ଏଥିରେ ୪୯% ପର୍ଯ୍ୟନ୍ତ ନିବେଶ କରିପାରିବେ। ଫଳରେ ଏୟାର ଇଣ୍ଡିଆକୁ ପୁଞ୍ଜିପ୍ରତ୍ୟାହାର କରିବା ସରକାରଙ୍କ ପାଇଁ ସହଜ ହେବ। ବିଦ୍ୟୁତ ଏକ୍ସଚେଞ୍ଜରେ ସ୍ୱୟଂଚାଳିତ ରୁଟ୍‌ରେ ୪୯% ଏଫ୍‌ଡିଆଇ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ବୈଦେଶିକ ସସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ପ୍ରାଥମିକ ବଜାରରେ ପୁଞ୍ଜିନିବେଶ କରିପାରିବେ। ପୂର୍ବରୁ ଏହି ସୁବିଧା ସେମାନଙ୍କ ପାଇଁ ଉପଲବ୍ଧ ନଥିଲା। କନଷ୍ଟ୍ରକ୍ସନ କ୍ଷେତ୍ର ପାଇଁ ମଧ୍ୟ ସୟଂଚାଳିତ ରୁଟ୍‌ରେ ୧୦୦% ଏଫ୍‌ଡିଆଇ ମଞ୍ଜୁର କରାଯାଇଛି। ବିଦେଶୀ ପୁଞ୍ଜିନିବେଶ ହାସଲ କରିବାରେ ଯେଉଁ ସବୁ ପ୍ରତିବନ୍ଧକ ରହିଥିଲା ତାହାକୁ ହଟାଇ ଦିଆଯାଇଛି ବୋଲି କ୍ୟାବିନେଟ୍‌ କମିଟି ବୈଠକ ଶେଷ ହେବା ପରେ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି।

ସମ୍ବନ୍ଧିତ ଖବର