ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍ପିସି) ସୁଧ ହାରରେ କୌଣସି ପ୍ରକାର ପରିବର୍ତନ କରିନାହିଁ। ତେବେ ଆଜିର ମୁଦ୍ରାନୀତି ସମୀକ୍ଷା ବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦରଦାମ୍ ସ୍ଥିତିକୁ ନେଇ ଯେଉଁ ଆକଳନ କରାଯାଇଛି ତାହା ହେଉଛି ଚିନ୍ତାର ବିଷୟ। ରିଜର୍ଭ ବ୍ୟାଙ୍କ କହିଛି ଯେ ଆଗାମୀ ଦିନରେ ଦେଶର ମୁଦ୍ରାସ୍ଫୀତି ହାର ବଢ଼ିବ। ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିଲେ ମୁଦ୍ରାସ୍ଫୀତିରେ ବୃଦ୍ଧି ହୋଇଥାଏ। ବିଦେଶରେ ତେଲ ଦର ବୃଦ୍ଧିଠାରୁ ଆରମ୍ଭ କରି ବଜେଟ୍୍ରେ କରାଯାଇଥିବା କେତେକ ଘୋଷଣା ଯୋଗୁଁ ଦରଦାମ ବଢ଼ିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ୨୦୧୮ର ପ୍ରଥମାର୍ଧରେ ମୁଦ୍ରାସ୍ଫୀତି ହାର ୫.୧%-୫.୬% ଭଳି ସ୍ତରରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଏଥିରେ ଆହୁରି ବୃଦ୍ଧି ହୋଇପାରେ ବୋଲି ମଧ୍ୟ କହିଛି। ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ହାର ୭.୨% ହେବ ଆକଳନ କରାଯାଇଛି।
ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାରକୁ ୬%, ରିଭର୍ସ ରେପୋ ହାରକୁ ୫.୭୫% ଏବଂ ବ୍ୟାଙ୍କ ରେଟ୍କୁ ୬.୨୫%ରେ ଅପରିବର୍ତିତ ରଖାଯାଇଛି। ଯେହେତୁ ସୁଧ ହାରରେ କୌଣସି ପରିବର୍ତନ କରାଯାଇ ନାହିଁ, ତେଣୁ ଆଗାମୀ ଦିନରେ ଋଣ ଗ୍ରହୀତାଙ୍କ ପାଇଁ ଖୁସିର ହେବାର କୌଣସି କାରଣ ନାହିଁ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ନଗଦ ଜମା ଅନୁପାତ (ସିଆର୍ଆର୍)କୁ ୪% ଏବଂ ବୈଧାନିକ ଜମା ଅନୁପାତ (ଏସ୍ଏଲ୍ଆର୍)କୁ ୧୯.୫% ରଖାଯାଇଛି। ଚଳିତ ବର୍ଷ ବଜେଟ୍ରେ ଗ୍ରାମାଞ୍ଚଳ ଏବଂ ଭିତ୍ତିଭୂମି ପ୍ରତି ଦିଆଯାଇଥିବା ଗୁରୁତ୍ୱକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। କିନ୍ତୁ ବିତ୍ତୀୟ ଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
୨୦୧୬ ପୂର୍ବରୁ ଋଣ ନେଇଥିବା ଲୋକଙ୍କ ପାଇଁ ଖୁସି ଖବର
ମୁମ୍ବାଇ: ଯେଉଁ ଲୋକମାନେ ୨୦୧୬ ଏପ୍ରିଲ୍ ପୂର୍ବରୁ ବ୍ୟାଙ୍କରୁ ଋଣ ନେଇଛନ୍ତି ସେମାନଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଏପ୍ରିଲ୍ଠାରୁ ସେମାନଙ୍କ ବୋଝ ହାଲୁକା ହେବାର ସମ୍ଭାବନା ରହିଛି। ଏହାର କାରଣ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପୁରୁଣା ବେସ୍ ହାରକୁ ବର୍ତମାନ ପ୍ରଚଳିତ ଥିବା ଏମ୍ସିଏଲ୍ଆର୍ ସହିତ ଲିଙ୍କ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମାର୍ଜିନାଲ୍ କଷ୍ଟ୍ ଅଫ୍ ଲେଣ୍ଡିଂ ରେଟ୍ (ଏମ୍ସିଏଲ୍ଆର୍)କୁ ୨୦୧୬ ଏପ୍ରିଲ୍ ୧ରୁ ଲାଗୁ କରାଯାଇଥିଲା। ଏହି ବ୍ୟବସ୍ଥାରେ ବ୍ୟାଙ୍କଗୁଡ଼ିକ ସଂଗ୍ରହ କରୁଥିବା ଜମା ଏବଂ ଋଣ ପ୍ରଦାନରେ ହେଉଥିବା ଖର୍ଚକୁ ବିଚାରକୁ ନେଇ ବିଭିନ୍ନ ପ୍ରକାର ଋଣ ପାଇଁ ସୁଧ ହାର ଧାର୍ଯ୍ୟ କରିଥାନ୍ତି। ଯେତେବେଳେ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ହ୍ରାସ କରନ୍ତି, ତାହାର ପ୍ରତିଫଳନ ଋଣ ନେଇଥିବା ଲୋକମାନଙ୍କ ସୁଧରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥାଏ। ସେମାନେ ଲାଭ ପାଆନ୍ତି। କିନ୍ତୁ, ୨୦୧୬ ଏପ୍ରିଲ୍ ପୂର୍ବରୁ ବେସ୍ ରେଟ୍ ଅନୁସାରେ ଋଣ ଆବଣ୍ଟନ କରାଯାଇଥିଲା। ଏହି ପୁରୁଣା ବ୍ୟବସ୍ଥାରେ ଯେଉଁମାନେ ଋଣ ନେଇଛନ୍ତି ସେମାନେ ସୁଧ ହାରରେ ହ୍ରାସର ସୁବିଧା ସହଜରେ ପାଉନାହାନ୍ତି। ରିଜର୍ଭ ବ୍ୟାଙ୍କ ସୁଧ ହ୍ରାସ କରିବା ବେଳେ ବ୍ୟାଙ୍କଗୁଡ଼ିକ ତାହାର ଲାଭ ଗ୍ରାହକଙ୍କୁ ହସ୍ତାନ୍ତର କରିବାକୁ ଅମଙ୍ଗ ହେଉଛନ୍ତି। ଯେଉଁ କେତୋଟି ବ୍ୟାଙ୍କ ଲାଭ ପ୍ରଦାନ କରୁଛନ୍ତି ସେମାନେ ଅତ୍ୟଧିକ ବିଳମ୍ବ କରୁଛନ୍ତି। ଗ୍ରାହକମାନଙ୍କ ଏଭଳି ଅଭିଯୋଗକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ବେସ୍ ରେଟ୍କୁ ଏମ୍ସିଏଲ୍ଆର୍ ସହିତ ଲିଙ୍କ୍ କରାଇବାକୁ ନିଷ୍ପତ୍ତି ନେଇଛି। ଏହା ହେଲେ ରିଜର୍ଭ ବ୍ୟାଙ୍କର ଯେତେବେଳେ ସୁଧ ହ୍ରାସ କରିବ ପୁରୁଣା ଗ୍ରାହକମାନେ ମଧ୍ୟ ତାହାର ଲାଭ ପାଇପାରିବେ। ବେସ୍ ରେଟ୍ ଅନୁସାରେ ଯେଉଁମାନେ ଋଣ ନେଇଛନ୍ତି ଯଦି ସେମାନେ ଏମ୍ସିଏଲ୍ଆର୍ ଅଧୀନକୁ ଆସିବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କ ସେଭଳି ଗ୍ରାହକଙ୍କ ଦାବି ଗ୍ରହଣ କରିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଏପ୍ରିଲ୍ ପରେ ୨୦୧୬ ପୂର୍ବର ଗ୍ରାହକଙ୍କ ପାଇଁ ଦୁଇଟି ବିକଳ୍ପ ରହିବ। ସେମାନେ ନିଜ ବ୍ୟାଙ୍କରେ ଋଣକୁ ଏମ୍ସିଏଲ୍ଆର୍ ସହିତ ଲିଙ୍କ୍ କରାଇପାରିବେ। ଅନ୍ୟଥା ନିଜର ଋଣକୁ ଅନ୍ୟ କୌଣସି ବ୍ୟାଙ୍କ ଜରିଆରେ ରିଫାଇନାନ୍ସ କରିପାରିବେ ଯଦ୍ୱାରା ସେହି ଋଣ ଆପେ ଏମ୍ସିଏଲ୍ଆର୍ ଅଧୀନକୁ ଚାଲିଯିବ।
ମାଇକେଲ୍ ପାତ୍ର ଚାହୁଁଥିଲେ ସୁଧ ବଢ଼ୁ
ମୁଦ୍ରାନୀତି କମିଟି (ଏମ୍ପିସି)ର ଏକମାତ୍ର ସଦସ୍ୟ ମାଇକେଲ୍ ପାତ୍ର ଚାହୁଁଥିଲେ ସୁଧ ହାରରେ ୦.୨୫% ବୃଦ୍ଧି ହେବ। ପୂର୍ବ ତିନି ବୈଠକରେ ସେ ସୁଧ ହାର କମ୍ କରିବାକୁ ଦାବି କରୁଥିଲେ। ଏଥର ସୁଧ ବଢ଼ାଇବା ପାଇଁ ଦାବି କରି ସେ ଚର୍ଚା ସୃଷ୍ଟି କରିଛନ୍ତି। କମିଟିର ଅନ୍ୟ ପାଞ୍ଚ ସଦସ୍ୟ ଚେତନ ଘାଟେ, ପମି ଦୁଆ, ରବିନ୍ଦ୍ର ଢ଼ୋଲକିଆ, ବିରଳ ଆଚାର୍ଯ୍ୟ ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍ ସୁଧ ହାରକୁ ଅପରିବର୍ତିତ ରଖିବା ସପକ୍ଷରେ ଭୋଟ୍ ଦେଇଥିଲେ।
ବ୍ୟାଙ୍କ ବକେୟା ଶୁଝିବା ପାଇଁ କ୍ଷୁଦ୍ର ଶିଳ୍ପସଂସ୍ଥାଙ୍କୁ ଅଧିକ ମହଲତ
ବିମୁଦ୍ରାକରଣ ଏବଂ ଜିଏସ୍ଟି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଦେଶର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକୁ ବ୍ୟାଙ୍କର ବକେୟା ରାଶି ଦେବା ପାଇଁ ଅଧିକ ୧୮୦ ଦିନର ମହଲତ ପ୍ରଦାନ କରାଯାଇଛି। ଜିଏସ୍ଟିରେ ପଞ୍ଜୀକୃତ ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ଧାର୍ଯ୍ୟ ସମୟ ସୀମାଠାରୁ ୧୮୦ ଦିନ ଭିତରେ ନିଜର ଋଣ ଏବଂ ଅନ୍ୟାନ୍ୟ ବକେୟା ପରିଶୋଧ କରିପାରିବେ। ଅଗ୍ରାଧିକାର କ୍ଷେତ୍ରରେ ଥିବା କ୍ଷୁଦ୍ର ଶିଳ୍ପ ସଂସ୍ଥାଙ୍କ ପାଇଁ ଋଣର ଯେଉଁ ସୀମା ଧାର୍ଯ୍ୟ କରାଯାଇଥିଲା ତାହାକୁ ରିଜର୍ଭ ବ୍ୟାଙ୍କ ହଟାଇ ନେଇଛି।