ନୂଆଦିଲ୍ଲୀ: ଫେବ୍ରୁଆରି ମାସରେ ଦେଶରେ ଜିଏସ୍‌ଟି ଆଦାୟ ରାଶି ୨୦୨୪ ଫେବ୍ରୁଆରି ତୁଳନାରେ ୯.୧ ପ୍ରତିଶତ ବୃଦ୍ଧି ଘଟି ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବ୍ରୁଆରି ମାସରେ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୩୫,୨୦୪ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ବାବଦରେ ୪୩,୭୦୪ କୋଟି ଟଙ୍କା ଏବଂ ସମନ୍ବିତ ଜିଏସ୍‌ଟି ବାବଦରେ ୯୦,୮୭୦ କୋଟି ଏବଂ କ୍ଷତିପୂରଣ ସେସ୍‌ ବାବଦରେ ୧୩,୮୬୮ କୋଟି ଟଙ୍କା ଆଦାୟ ହୋଇଛି। ସାମଗ୍ରୀ ଆମଦାନୀ ଜନିତ ଜିଏସ୍‌ଟିକୁ ବାଦଦେଲେ ଦେଶରେ ଫେବ୍ରୁଆରି ମାସରେ ମୋଟ ଜିଏସ୍‌ଟି ଆଦାୟ ରାଶି ୧,୪୧,୯୪୫ କୋଟି ଟଙ୍କା ରହିଛି। ଯାହାକି ୨୦୨୪ ଫେବ୍ରୁଆରି ତୁଳନାରେ ୧୦ ପ୍ରତିଶତ ଅଧିକ। ଚଳିତବର୍ଷ ଫେବ୍ରୁଆରିରେ ଓଡ଼ିଶା ଏ ବାବଦରେ ମୋଟ ୫୩୪୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଛି। ୨୦୨୪ ଫେବ୍ରୁଆରିରେ ଏହି ରାଶି ୫୧୩୬ କୋଟି ଟଙ୍କା ରହିଥିଲା। 

ଦେଶରେ ଆଦାୟ ହୋଇଛି ୧.୮୪ ଲକ୍ଷ କୋଟି

Advertisment

ଅର୍ଥାତ୍‌ ୨୦୨୫ ‌‌ଫେବ୍ରୁଆରିରେ ରାଜ୍ୟରେ ଜିଏସ୍‌ଟି ଆଦାୟରେ ୪ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। ଦେଶରେ ରିଫଣ୍ଡ୍‌ ଆକାରରେ ଗତ ଫେବ୍ରୁଆରି ମାସରେ ୨୯,୮୯୯ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାକି ୨୦୨୪ର ‌ଫେବ୍ରୁଆରି ମାସ ତୁଳନାରେ ୧୭.୩ ପ୍ରତିଶତ ଅଧିକ। ନିଟ୍‌ ଜିଏସ୍‌ଟି ଆଦାୟ ରାଶି ଫେବ୍ରୁଆରି ମାସରେ ଦେଶରେ ୮.୧ ପ୍ରତିଶତ ବୃଦ୍ଧି ଘଟି ପ୍ରାୟ ୧.୬୩ ଲକ୍ଷ କୋଟି ରହିଛି। ୨୦୨୪ ଫେବ୍ରୁଆରିରେ ମୋଟ ଏବଂ ନିଟ୍‌ ଜିଏସ୍‌ଟି ଆଦାୟ ରାଶି ଦେଶରେ ଯଥାକ୍ରମେ ୧.୬୮ ଲକ୍ଷ କୋଟି ଏବଂ ୧.୫୦ ଲକ୍ଷ କୋଟି ରହିଥିଲା। 

୨୦୨୫ ଜାନୁଆରିରେ ଜିଏସ୍‌ଟି ଆଦାୟ ରାଶି ୧.୯୬ ଲକ୍ଷ କୋଟି ଟଙ୍କା ରହିଥିଲା ଯାହାକି ୨୦୨୪ ଜାନୁଆରି ତୁଳନାରେ ୧୨.୩ ପ୍ରତିଶତ ଅଧିକ। ଏହା ପୂର୍ବରୁ ଡିସେମ୍ବରରେ ଜିଏସ୍‌ଟି ଆଦାୟ ରାଶିରେ ୭.୩ ପ୍ରତିଶତ ବୃଦ୍ଧି ଘଟି ୧.୭୭ ଲକ୍ଷ କୋଟି ଟଙ୍କା ରହିଥିଲା। ଜାନୁଆରିରେ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୩୬,୧୦୦ କୋଟି, ରାଜ୍ୟ ଜିଏସ୍‌ଟି ବ‌ାବଦରେ ୪୪,୯୦୦ କୋଟି, ସମନ୍ବିତ ଜିଏସ୍‌ଟି ବାବଦରେ ୧.୦୧ ଲକ୍ଷ କୋଟି ଏବଂ ସେସ୍‌ ବାବଦରେ ୧୩,୪୦୦ କୋଟି ଆଦାୟ ହୋଇଥିଲା।