ଫାସଟ୍ୟାଗ୍‌ରେ ଶୁଳ୍କ ଆଦାୟ ବଢ଼ୁଛି, ଦିନକୁ ଆଦାୟ ହେଉଛି ୩ କୋଟି

୬ ପ୍ରତିଶତ ଗାଡ଼ି ପାଇଁ ଅସୁବିଧା, ୯୪ ପ୍ରତିଶତ ଛୁଇଁଲାଣି

ଭୁବନେଶ୍ବର: ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାରେ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ ଶୁଳ୍କ ଆଦାୟକୁ ଗତମାସ ୧୫ ତାରିଖରୁ ବାଧ୍ୟତାମୂଳକ କରାଯାଇଛି। ବାରମ୍ବାର ପରୀକ୍ଷା ନିରୀକ୍ଷା ଏବଂ ଏକାଧିକ ଥର ମହଲତ ଦେବା ପରେ ସରକାର ଗତ ୧୫ ତାରିଖ ରାତିରୁ ଏହାକୁ କାର୍ଯ୍ୟକାରୀ କରି ଦେଇଛନ୍ତି। ମାନୁଆଲ୍ ଶୁଳ୍କ ପୈଠ ସମୟରେ ବିଲ୍‌ କାଟିବା ଏବଂ ପଇସା ଦେବା ପାଇଁ ଗାଡ଼ିଗୁଡ଼ିକୁ ଦୀର୍ଘସମୟ ଧରି ଫାଟକଗୁଡ଼ିକରେ ଅଟକି ରହୁଥିଲା। ଗାଡ଼ି ଚାଳକଙ୍କୁ ଏଥିପାଇଁ ଉଭୟ ସମୟ ଓ ଇନ୍ଧନ ବରବାଦ କରିବାକୁ ପଡ଼ୁଥିଲା। ଫଳରେ ଅର୍ଥନୀତିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଥିଲା। ଅଯଥା ଇନ୍ଧନ ପୋଡ଼ା କ୍ଷତିକୁ କମାଇବା ଏବଂ ସମୟ ବଞ୍ଚାଇବା ଲକ୍ଷ୍ୟରେ ସରକାର ଇଲେକଟ୍ରୋନିକ୍ସ ମାଧ୍ୟମରେ ଟୋଲ୍‌ ଶୁଳ୍କ ଆଦାୟ ବ୍ୟବସ୍ଥା‌ କରିଛନ୍ତି।

ରାଜ୍ୟରେ ୧୪ଟି ଯାକ ଟୋଲ୍‌ ପ୍ଲାଜାରେ ଏବେ ଫାସ୍‌ଟ୍ୟାଗ୍‌ରେ ଶୁଳ୍କ ଆଦାୟ କରାଯାଉଛି। ଏଥିରେ ମଧ୍ୟ ଉନ୍ନତି ଆସିଛି। ଫେବ୍ରୁଆରି ୧୫ ତାରିଖ ପୂର୍ବରୁ ରାଜ୍ୟରେ ପ୍ରାୟ ୮୦ ପ୍ରତିଶତ ଶୁଳ୍କ ଫାସଟ୍ୟାଗ୍‌ ମାଧ୍ୟମରେ ଆଦାୟ ହେଉଥିଲା। ଏବେ ତାହା ହାରାହାରି ୯୪ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟରେ ଦିନକୁ ଏବେ ପାଖାପାଖି ୨ କୋଟି ୯୦ ଲକ୍ଷରୁ ୩ କୋଟି ପର୍ଯ୍ୟନ୍ତ ଶୁଳ୍କ ଟୋଲ୍‌ ପ୍ଲାଜାରେ ଆଦାୟ କରାଯାଉଛି। କେତେକ ଟୋଲ ପ୍ଲାଜାରେ ଫାସଟ୍ୟାଗ୍‌ରେ ଶୁଳ୍କ ଆଦାୟ ୯୮ ପ୍ରତିଶତରେ ପହଞ୍ଚିଛି। ହାରାହାରି ୯୪ ପ୍ରତିଶତ ଶୁଳ୍କ ଫାସ୍‌ଟ୍ୟାଗ୍‌ ମାଧ୍ୟମରେ ଆଦାୟ ହେଉଥିବାରୁ ଆଉ ୬ ପ୍ରତିଶତ ଗାଡ଼ିର ଶୁଳ୍କ ଏବେ ମାନୁଆଲି ଆଦାୟ କରାଯାଉଛି। ଏହାର କାରଣ ହେଲା କେତେକ ବ୍ୟକ୍ତି ଏପର୍ଯ୍ୟନ୍ତ ଗାଡ଼ିରେ ଫାସଟ୍ୟାଗ୍ ଲଗାଇ ନାହାନ୍ତି। ଏଥିସହିତ ‌କିଛି ବ୍ୟକ୍ତି ଫାସ୍‌ଟ୍ୟାଗ ଲଗାଇଥିଲେ ମଧ୍ୟ ଆକାଉଣ୍ଟ ବା ୱାଲେଟ୍‌ରେ ପଇସା ରଖୁନାହାନ୍ତି।

ଫଳରେ ସେମାନେ ଟୋଲ୍‌ ନିକଟରେ ପହଞ୍ଚିବା ପରେ ନିଜେ ଅସୁବିଧାରେ ପଡ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଅସୁବିଧାରେ ପକାଉଛନ୍ତି। ଯେଉଁମାନେ ଫାସ୍‌ଟ୍ୟାଗ୍ ବଦଳରେ ମାନୁଆଲି ଶୁଳ୍କ ଦେଉଛନ୍ତି ସେମାନଙ୍କଠାରୁ ଡବଲ୍ ଶୁଳ୍କ ଆଦାୟ କରାଯାଉଛି ବୋଲି ଏନ୍‌ଏଏଚ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଫାସଟ୍ୟାଗ୍ ନଥିବା ଲୋକଙ୍କୁ ଏବେ ମଧ୍ୟ ଟୋଲ୍‌ ପ୍ଲାଜା ନିକଟରେ ମାର୍ସାଲମାନେ ସଚେତନ କରୁଛନ୍ତି। ସେଠାରେ ଫାସଟ୍ୟାଗ୍ ପାଇଁ କୌଣସି ଅର୍ଥ ନିଆଯାଉନାହିଁ। ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ମାଗଣା ଦେବାର ବ୍ୟବସ୍ଥା ହୋଇଥିଲେ ବି ଏବେ ବି ଗାଡ଼ି ଚାଳକଙ୍କୁ ଏହି ସୁବିଧା ମିଳୁଛି। ବ୍ୟାଙ୍କ ଓ ଫାସଟ୍ୟାଗ୍ ସେବା ପ୍ରଦାନକାରୀ ଅନ୍ୟ ସଂସ୍ଥାମାନେ ଗ୍ରାହକଙ୍କଠାରୁ ଯେଉଁ ଅର୍ଥ ନେଉଛନ୍ତି ‌ତାହାକୁ ସେମାନଙ୍କ ଆକାଉଣ୍ଟରେ ରିଚାର୍ଜ ବାବଦରେ ଜମା କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ମାଇଁ ଫାସଟ୍ୟାଗ୍ ଆପ୍‌ ରଖନ୍ତୁ
ଗାଡ଼ି ଚାଳକ କିମ୍ବା ମାଲିକମାନେ ଜାତୀୟ ରାଜପଥରେ ଯିବା ସମୟରେ ଯଦି ଟୋଲପ୍ଲାଜା ପଡ଼ୁଥାଏ ତା’ହେଲେ ତାହାର ଯଥେଷ୍ଟ ପୂର୍ବରୁ ଫାସଟ୍ୟାଗ୍‌ ଶୁଳ୍କ ପୈଠ ପାଇଁ ୱାଲେଟ୍ ଓ ଆକାଉଣ୍ଟରେ ଟଙ୍କା ଅଛି କି ନାହିଁ ଯାଞ୍ଚ କରିନିଅନ୍ତୁ। ଆକାଉଣ୍ଟରେ ଟଙ୍କା ନଥିଲେ ଟଙ୍କା ରଖନ୍ତୁ। ଏହାହେଲେ ଟୋଲପ୍ଲାଜାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ମାଇଁ ଫାସଟ୍ୟାଗ୍ ଆପ୍‌ ମାଧ୍ୟମରେ ଲୋକମାନେ ସେମାନଙ୍କ ଫାସଟ୍ୟାଗ୍‌ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଜାଣିପାରିବେ ବୋଲି ଏନ୍‌ଏଚ୍‌ଏଆଇର ବରିଷ୍ଠ ଅଧିକାରୀ ଡ ରାମ ପ୍ରସାଦ ପଣ୍ଡା କହିଛନ୍ତି। ମୋଟ ଗାଡ଼ିରେ ବ୍ଲକ୍ ହୋଇଥିବା କିମ୍ବା ପଇସା ନଥିବା ଫାସ୍‌ଟ୍ୟାଗ ବିଶିଷ୍ଟ ଗାଡ଼ି ସଂଖ୍ୟା ପ୍ରାୟ ୦.୫% ରହୁଛି। ସେମାନଙ୍କ ପାଇଁ ମଧ୍ୟ ଅସୁବିଧା ହେଉଛି ବୋଲି ଡ ପଣ୍ଡା କହିଛନ୍ତି।

ମାଗଣା ଫାସ୍‌ଟ୍ୟାଗ୍‌
ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ମାଗଣାରେ ଗାଡ଼ିବାଲାଙ୍କୁ ଫାସଟ୍ୟାଗ୍‌ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ଏହା ଏବେ ବି ମାଗଣାରେ ଟୋଲ୍‌ପ୍ଲାଜା ନିକଟରେ ଦିଆଯାଉଛି। ଏଥିପାଇଁ ଯେଉଁ ଅର୍ଥ ଗାଡ଼ିବାଲା ଦେଉଛନ୍ତି ତାହାକୁ ସେମାନଙ୍କ ଆକାଉଣ୍ଟ କିମ୍ବା ୱାଲେଟ୍‌ରେ ଜମା କରାଯାଉଛି। ସେହି ଅର୍ଥରୁ ଶୁଳ୍କ କଟୁଛି ବୋଲି ଏନଏଚଏଆଇ ସୂତ୍ରରୁ ଜଣାଯାଇଛି।

ରାଜ୍ୟରେ ୧୪ ଟୋଲ୍‌ ପ୍ଲାଜା
ରାଜ୍ୟରେ ଥିବା ୧୪ଟି ଟୋଲ୍‌ ପ୍ଲାଜା ମଧ୍ୟରୁ ୭ଟା ୧୦ ଲେନ୍ ବିଶିଷ୍ଟ ହୋଇଥିବାବେଳେ ୫ଟି ପ୍ଲାଜା ୮ ଲେନ୍ ବିଶିଷ୍ଟ ଏବଂ ୨ଟି ପ୍ଲାଜା ୬ ଲେନ୍ ବିଶିଷ୍ଟ। ୧୦ ଲେନ୍ ବିଶିଷ୍ଟ ୭ଟି ଟୋଲ ପ୍ଲାଜା ହେଲା ପିପିଲି, ମଙ୍ଗୁଳି, କରାପାଡ଼ୁ, ପୁରୀପଡ଼ା, ବସନ୍ତପୁର, କଣ୍ଟାଘର, ବନଯୋଡ଼ି। ସେହିଭଳି ୮ ଲେନ୍ ବିଶିଷ୍ଟ ୫ଟି ଟୋଲ୍‌ ପ୍ଲାଜା ଗୁଡ଼ିକ ହେଲା ଶ୍ରୀରାମପୁର, ଶେରଗଡ଼, ପାଣିକୋଇଲି, କୁରାପଲ୍ଲୀ, ବାହାରଗୁଡ଼ା। ସେହିଭଳି ୬ ଲେନ୍‌ ବିଶିଷ୍ଟ ୨ଟି ଟୋଲ୍‌ ପ୍ଲାଜା ‌ହେଲା ଖମାର ଓ ବ୍ରଜରାଜନଗର।

ମାନୁଆଲି ଦୁଇଗୁଣା ଶୁଳ୍କ

ଯେଉଁମାନେ ‌ଫାସଟ୍ୟାଗ୍‌ ବ୍ୟବସ୍ଥା ଗାଡ଼ିରେ କରିନାହାନ୍ତି ସେମାନଙ୍କୁ ହାଇବ୍ରିଡ୍‌ ଲେନ୍‌ରେ ଛଡ଼ାଯାଉଛି। କିନ୍ତୁ ଏଥିପାଇଁ ସେମାନଙ୍କୁ ଦୁଇଗୁଣା ଶୁଳ୍କ ଦେବାକୁ ପଡ଼ୁଛି। ଅଧିକ ଅର୍ଥ ‌ନଦେବାକୁ ହେଲେ ଗାଡ଼ି ମାଲିକମାନେ ଶୀଘ୍ର ଗାଡ଼ିରେ ଫାସଟ୍ୟାଗ୍ ଲଗାଇବା ଆବଶ୍ୟକ।

ସମ୍ବନ୍ଧିତ ଖବର