ନୂଆଦିଲ୍ଲୀ: ଦେଶରେ ଥିବା ଛୋଟ ସହରଗୁଡ଼ିକରେ ଚାକିରି କରିବା ଲାଗି ମହିଳାମାନଙ୍କ ଭିତରେ ଆଗ୍ରହ ବୃଦ୍ଧି ପାଇଛି। ବହୁ ସଂଖ୍ୟାରେ ମହିଳା ଚାକିରି ପାଇଁ ଆବେଦନ କରୁଛନ୍ତି। ୨୦୨୩ରେ ଛୋଟ ସହରରୁ ୧ କୋଟିରୁ ଅଧିକ ମହିଳା ଚାକିରି ପାଇଁ ଆବେଦନ କରିଥିଲେ ବୋଲି ଆପ୍‌ନା ଡଟ୍‌ କୋ ପକ୍ଷରୁ କୁହାଯାଇଛି। କଂପାନିର ସିଇଓ ନିର୍ମିତ ପାରିଖ କହିଛନ୍ତି ଯେ ଶ୍ରମ ବଜାରରେ ପ୍ରବେଶ କରିବା ଲାଗି ମହିଳାମାନଙ୍କ ଉତ୍ସାହକୁ ଏହି ସଂଖ୍ୟା ପ୍ରତିଫଳିତ କରୁଛି। ଗତବର୍ଷ ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛୋଟ ସହରଗୁଡ଼ିକରୁ ୩.୨ କୋଟି ନିଯୁକ୍ତି ଆବେଦନ ଆସିଥିଲା। ସେଥିରୁ ୧ କୋଟି ଆବେଦନ ମହିଳାମାନେ କରିଥିଲେ। ମିନିଟ୍ ପିଛା ୧୦୦ରୁ ଅଧିକ ଆବେଦନ ମହିଳାମାନଙ୍କ ତରଫରୁ ଆସିଥିଲା ବୋଲି ରିପୋର୍ଟରେ ଦାବି କରାଯାଇଛି। ସବୁଠୁ ବଡ଼ କଥା ହେଉଛି ମହିଳାମାନେ କର୍ମକ୍ଷେତ୍ରରେ ରହି କାମ କରିବା ଲାଗି ଚାହୁଥିବା ଜଣାପଡ଼ିଛି। ସେମାନେ କାର୍ଯ୍ୟକ୍ଷେତ୍ରରେ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ କରୁଥିବା ଚାକିରି ଚାହୁଛନ୍ତି।