ଭାରତୀୟ ସାର ସଂଘ (ଏଫ୍‌ଏଆଇ)ର ଅଧ୍ୟକ୍ଷ ତଥା ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ନାରାୟଣନ ସୁରେଶ କ୍ରିଷ୍ଣନ ସାର ବଜାର, ଚାହିଦା ଓ ନିଜ କଂପାନି ବିଷୟରେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି

Advertisment

ଯୁଦ୍ଧ ପରେ ସାର ମୂଲ୍ୟରେ ବୃଦ୍ଧିର କିଭଳି ମୁକାବିଲା କରାଯାଇଥିଲା?
ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍ ଓ ବେଲାରୁଷ୍‌ରୁ ଆସୁଥିବା ସାର ଏବଂ ମୁରିଏଟ୍‌ ଅଫ୍‌ ପଟାସ୍‌ର ଆମଦାନି ପ୍ରଭାବିତ ହୋଇଥିଲା। ସାର ଏବଂ ସେଥିରେ ବ୍ୟବହାର ହେଉଥିବା କଞ୍ଚାମାଲର ଆମଦାନି ଉପରେ ଭାରତ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଛି। ୨୦୨୧-୨୨ର ଦ୍ବିତୀୟ ଭାଗରେ ଦାମ୍ ବହୁତ ବଢ଼ିଥିଲା। ସାରର ଯେଭଳି ଅଭାବ ଦେଖାନଦିଏ ତାହା ନିଶ୍ଚିତ କରିବା ଲାଗି ସାର ଶିଳ୍ପ ଓ ସରକାର ମିଳିତ ଭାବେ କାମ କରିଥିଲେ। ଆମକୁ କିନ୍ତୁ କଞ୍ଚାମାଲ କିଣିବା ବେଳେ ଚଢ଼ା ଦାମ୍ ଗଣିବାକୁ ପଡ଼ିଥିଲା। ଅବଶ୍ୟ ସବ୍‌ସିଡି ଜରିଆରେ ସରକାର ତାହାର ଭରଣା କରିଛନ୍ତି। ବର୍ଷକୁ ୧ ନିୟୁତ ଟନ୍ ୟୁରିଆ ଓମାନ୍‌ରୁ ମଗାଇବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି।
ଦେଶରେ ୟୁରିଆ ଓ ଡିଏପି ଅଧିକ ମାତ୍ରାରେ ବ୍ୟବହାର ହେଉଛି। ତାହା ଅମଳକୁ କିଭଳି ପ୍ରଭାବିତ କରୁଛି?
ଚାଷୀମାନେ ଅଧିକ ୟୁରିଆ ବ୍ୟବହାର କରୁଥିବା କଥା ସତ ନୁହେଁ। ଭାରତର ନାଇଟ୍ରୋଜେନ୍ ବ୍ୟବହାର ହେକ୍ଟର ପିଛା ୯୫ କେଜି ରହିଛି ଯାହା ବହୁ ଦେଶ ତୁଳନାରେ କମ୍। ଚୀନ୍‌ରେ ଭାରତଠାରୁ ଦୁଇ ଗୁଣା, ଇଜିପ୍ଟରେ ତିନି ଗୁଣା ଏବଂ ବାଲାଂଦେଶରେ ୫୦% ଅଧିକ ୟୁରିଆ ବ୍ୟବହାର ହେଉଛି। ସାରର ସନ୍ତୁଳିତ ବ୍ୟବହାର ଲାଗି ଫସଫେଟ୍‌ ଓ ପଟାସ୍‌ ବ୍ୟବହାର ସମାନୁପାତିକ ଭିତ୍ତିରେ ବଢ଼ିବା ଦରକାର। ଦାମ୍‌ ଅଧିକ ରହୁଥିବାରୁ ପଟାସ୍‌ ବ୍ୟବହାର କମ୍ ରହୁଛି। ସେଥିରେ ସୁଧାର ଆସିବା ଦରକାର।
ଅନ୍ୟ ସାର ବ୍ୟବହାର ଲାଗି ଚାଷୀଙ୍କୁ କିଭଳି ସଚେତନ କରାଯିବ?
ୟୁରିଆକୁ ପୋଷଣ ଭିତ୍ତିକ ସବ୍‌ସିଡି ସ୍କିମ୍‌ରେ ସାମିଲ କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରିଛୁ। ଏଥି ସହିତ ନାଇଟ୍ରୋଜେନ୍, ଫସଫରସ, ପଟାସ, ସଲଫର, ଜିଙ୍କ୍‌ ଏବଂ ବୋରନର ସବ୍‌ସିଡିକୁ ବ୍ୟବସ୍ଥିତ କରିବାକୁ କହିଛୁ। ରାଜ୍ୟ ସରକାର, କୃଷି ବିଶ୍ବବିଦ୍ୟାଳୟ, କୃଷି ବିକାଶ କେନ୍ଦ୍ର ଏବଂ ଶିଳ୍ପ ସଂସ୍ଥାଙ୍କ ଜରିଆରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରିବ। ସଠିକ୍ ମାତ୍ରାରେ ସାର ବ୍ୟବହାର ହେଲେ ଚାଷରେ ହେଉଥିବା ଖର୍ଚ୍ଚ କମିବ ଓ ଚାଷୀଙ୍କ ଆୟ ବଢ଼ିବ।
ସାରରେ ଆତ୍ମନିର୍ଭର ହେବା ଲାଗି କ’ଣ କରିବାକୁ ପଡ଼ିବ?
ବାର୍ଷିକ ୧.୨୭ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ୫ଟି ୟୁରିଆ ସାର କାରଖାନାର ପୁନରୁଦ୍ଧାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ୭.୬୨ ନିୟୁତ ଟନ୍ ସାର ଉତ୍ପାଦନ ହେବା ଭଳି ବ୍ୟବସ୍ଥା ରହିଛି। ନାନୋ ୟୁରିଆ ମାଧ୍ୟମରେ ୨୦୨୫ ସୁଦ୍ଧ‌ା ଭାରତ ୟୁରିଆରେ ଆତ୍ମନିର୍ଭରଶୀଳ ହେବ। ଫସଫେଟ୍‌ ଓ ପଟାସ୍‌ ଉତ୍ପାଦନ କରିବା ଲାଗି ଭାରତରେ ଯଥେଷ୍ଟ ବ୍ୟବସ୍ଥା ରହିଛି। ମାତ୍ର ୯୫% କଞ୍ଚାମାଲ ଆମଦାନି କରାଯାଉଥିବାରୁ ସେହି କ୍ଷମତା ପୂର୍ଣ୍ଣ ମାତ୍ରାରେ ବ୍ୟବହାର ହୋଇପାରୁନି। ଫସଫରିକ୍ ଏସିଡ୍‌ ଉତି୍ପାଦନ ଲାଗି ଭାରତର ୫ଟି କଂପାନି ସେନେଗାଲ, ମ‌ରକୋ, ଜୋର୍ଡାନ, ଦକ୍ଷିଣ ଆଫ୍ରିକା ଓ ଟୁନିସିଆ ସହ ମିଶି ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି। ଫସଫେଟ୍‌ ପଥର ଏବଂ ଏମ୍‌ଓପି ପାଇଁ ଆହୁରି ଅଧିକ ଯୌଥ ଉଦ୍ୟୋଗ ସ୍ଥାପନ ଲାଗି ଉଦ୍ୟମ କରିବାକୁ ପଡ଼ିବ।
ଭାରତରେ କେତେ ସାର ଉତ୍ପାଦନ ହେଉଛି ଓ ଚାହିଦା କ’ଣ ରହିଛି?
ନାଇଟ୍ରୋଜେନ୍ ଉତ୍ପାଦନ କ୍ଷମତା ୧୬୮ ଲକ୍ଷ ଟନ୍ ଥିବା ବେଳେ ଚାହିଦା ୧୯୪.୪ ଲକ୍ଷ ଟନ୍ ରହିଛି। ସେହିପରି ପଟାସ ଉତ୍ପାଦନ କ୍ଷମତା ୭୪.୯ ଲକ୍ଷ ଟନ୍‌ ଥିବା ବେଳେ ଚାହିଦା ୭୮.୩ ଲକ୍ଷ ଟନ୍ ରହିଛି। ଫସଫରସର ୨୫.୩ ଲକ୍ଷ ଟନ୍‌କୁ ସମ୍ପୂର୍ଣ୍ଣ ଆମଦାନି କରାଯାଉଛି।
ସାର ଦାମ୍ କେବେ ନିୟନ୍ତ୍ରଣକୁ ଆସିବ?
ଆନ୍ତର୍ଜାତିକ ବଜାରରେ ୟୁରିଆ ଦାମ୍ ଟନ୍ ପିଛା ୯୯୦ ଡଲାରୁ ହ୍ରାସ ପାଇ ୫୫୦ ଡଲାରରେ ପହଞ୍ଚିଛି। ଡିଏପି ଦାମ୍‌ରେ ମଧ୍ୟ ସେହିଭଳି ହ୍ରାସ ହୋଇଛି। କିନ୍ତୁ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଲାଗିରହିଥିବାରୁ ସାର ମୂଲ୍ୟ ୨୦୧୯ ପୂର୍ବରୁ ଥିବା ସ୍ତରକୁ ଫେରିବା ସମ୍ଭାବନା କମ୍ ରହିଛି।
ସାର ଶିଳ୍ପ ସରକାରଙ୍କ ସବ୍‌ସିଡି ଉପରେ ନିର୍ଭରଶୀଳ କି?
ଭାରତୀୟ ସାର ଶିଳ୍ପ ସ୍ବାଧୀନ ଭାବେ ପରିଚାଳିତ ହେଉଛି। ସରକାରଙ୍କ ସବ୍‌ସିଡି ଉପରେ ଏହା ନିର୍ଭରଶୀଳ ନୁହେଁ। ଚାଷୀଙ୍କ ସିଧାସଳଖ ସବ୍‌ସିଡି ଦେବା ଲାଗି ବହୁ ଦିନରୁ ଦାବି କରାଯାଉଛି। ସବ୍‌ସିଡି କଂପାନିଙ୍କୁ ନୁହେଁ ଚାଷୀଙ୍କୁ ଦିଆଯାଉଛି।
ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ‌ସ୍‌ ସମ୍ପର୍କରେ ଆପଣଙ୍କ ମତ କ’ଣ?
ଓଡ଼ିଶାର ଶିଳ୍ପ ଓ କର୍ପୋରେଟ୍ ସଂସ୍ଥାଙ୍କ ସଫଳତାକୁ ପ୍ରଦର୍ଶିତ କରିବା ଲାଗି ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌ର ଏହା ଏକ ଉତ୍ସାହଜନକ ଅଭିଯାନ। ଏହା ଦ୍ବାରା ସଂସ୍ଥାଟି ଗ୍ରାହକଙ୍କ ପାଖରେ ଅଧିକ ପରିଚିତ ହୋଇପାରେ। ମୁଁ ଏଠାରେ ଖୁସିର ସହ ଜଣାଇବାକୁ ଚାହୁଛି ଯେ ଆମ ସଂସ୍ଥା ପାରାଦୀପ ଫସଫେଟ୍ ଲିମିଟେଡ୍‌ ଏହି ସମ୍ମାନଜନକ ପୁରସ୍କାର ଗତବର୍ଷ ପାଇଛି।