ଇ-କମର୍ସରେ ଉତ୍ସବ ବିକ୍ରି: ୭୦ରୁ ଅଧିକ ବିକ୍ରେତା ମାଲାମାଲ, ୫୦୦୦ ‌ବିକ୍ରେତାଙ୍କ ଆୟ ୧୦ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଦେଶର ତିନି ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ , ଆମାଜନ୍ ଓ ସ୍ନାପ୍‌ଡିଲ୍‌ ପକ୍ଷରୁ ଉତ୍ସବ ଋତୁର ସର୍ବବୃହତ ସେଲ୍ ଚାଲୁ ରହିଛି। ଇତି ମଧ୍ୟରେ ୭୦ରୁ ଅଧିକ ଜଣ ବିକ୍ରେତା ମାଲାମାଲ ହୋଇସାରିଲେଣି। ପାଞ୍ଚ ହଜାରରୁ ଅଧିକ ବିକ୍ରେତା‌ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ବିକ୍ରି କରିଥିବା ଜଣାପଡ଼ିଛି। ଆମାଜନ୍ ପକ୍ଷରୁ ଦାବି କରାଯାଇଛି ଯେ ଏହାର ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ୍ ସେଲ୍‌ର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ବିକ୍ରେତା ଓ କଂପାନିଗୁଡ଼ିକ ବିପୁଳ ମାତ୍ରାରେ ଲାଭବାନ ହୋଇଛନ୍ତି। ସେହିପରି ଫ୍ଲିପ୍‌କାର୍ଟର ବିଗ୍ ବିଲିଅନ୍ ଡେଜ୍‌ ସେଲ୍‌ର ପ୍ରଥମ ଦୁଇ ଦିନରେ ଗତବର୍ଷର ଛଅ ଦିନିଆ ସପିଙ୍ଗ୍‌ ଉତ୍ସବ ଠାରୁ ଅଧିକ ସାମଗ୍ରୀ ବିକ୍ରି ହୋଇଥିବା ଜଣାପଡ଼ିଛି। ସ୍ନାପ୍‌ଡିଲ୍‌ର କମ୍ ମେ ଦମ୍ ସେଲ୍‌ରେ ଛୋଟ ଓ ମଧ୍ୟମ ଧରଣର ସହର‌ରେ ଥିବା ବିକ୍ରେତାମାନେ ଅଧିକ ବରାଦ ହାସଲ କରିଛନ୍ତି। ଆମାଜନ୍‌ ପକ୍ଷରୁ କୁହାଯାଇଛି ଯେ ଦି ‌ଗ୍ରେଟ୍‌ ଇଣ୍ଡିଆନ୍ ଫେଷ୍ଟିଭାଲ୍‌ର ପ୍ରଥମ ୪୮ ଘଣ୍ଟାରେ ୧ ଲକ୍ଷ ୧୦ ହଜାର ବିକ୍ରେତା ବରାଦ ହାସଲ କରିଛନ୍ତି। ପା‌ଞ୍ଚ ହଜାରରୁ ଅଧିକ ବିକ୍ରେତା ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବରାଦ ପାଇଛନ୍ତି।

ଯେଉଁ ବିକ୍ରେତାମାନେ ବରାଦ ପାଇଛନ୍ତି ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଅଛନ୍ତି। ଚଳିତ ବର୍ଷ ଏହି ଉତ୍ସବରେ କିଣାକିଣି କରୁଥିବା ଗ୍ରାହକମାନଙ୍କ ମଧ୍ୟରୁ ୯୧ ପ୍ରତିଶତ ହେଉଛନ୍ତି ନୂଆ ଗ୍ରାହକ। ମାତ୍ର ଦୁଇ ଦିନ ଭିତରେ କଂପାନି ଦେଶର ୯୮.୪ ପ୍ରତିଶତ ପିନ୍‌ କୋଡ୍‌ରୁ ଗ୍ରାହକଙ୍କ ବରାଦ ପାଇଛି ବୋଲି ଆମାଜନ୍ ଇଣ୍ଡିଆର ଉପ ସଭାପତି ମନିଷ ତିୱାରୀ କହିଛନ୍ତି। ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି ଯେ ଏହାର ବିଗ୍ ବିଲିଅନ୍ ଡେଜ୍ ସେଲ୍‌ରେ ୩ ଲକ୍ଷରୁ ଅଧିକ ବିକ୍ରେତା ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ବିକ୍ରେତା ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଅଞ୍ଚଳରୁ ଆସିଛନ୍ତି। କଂପାନିର ୭୦ ବିକ୍ରେତା କୋଟିପତି ହୋଇସାରିଥିବା ବେଳେ ୧୦ ହଜାରୁ ଅଧିକ ବିକ୍ରେତା ଲକ୍ଷାଧିକ ଟଙ୍କାରୁ ଅଧିକ କାରବାର କରିଛନ୍ତି।

ସ୍ନାପ୍‌ଡିଲ୍‌ର ସହ ପ୍ରତିଷ୍ଠାତା ତଥା ସିଇଓ କୁନାଲ ବେହେଲ କହିଛନ୍ତି ଯେ ଦେଶର କିଛି ଗ୍ରାହକ ଥିଲେ ଯେଉଁମାନେ କମ୍ ଆୟ ଯୋଗୁଁ ଅନ୍‌ଲାଇନ୍‌ରେ ସପିଙ୍ଗ୍‌ କରୁନଥିଲେ। ସୁରକ୍ଷା ଦୃଷ୍ଟିରୁ ସେହି ବର୍ଗର ଅନେକ ଗ୍ରାହକ ଚଳିତ ବର୍ଷ ଅନ୍‌ଲାଇନ୍‌ରେ ଜିନିଷ କିଣିବା ଆରମ୍ଭ କରିଛନ୍ତି। ସେଥିପାଇଁ ସ୍ନାପଡିଲ୍‌ ୬୦ ଲକ୍ଷ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଛି। ଗୋଟିଏ ପଟେ ଇ-କମର୍ସ କଂପାନିଗୁଡ଼ିକ ବିକ୍ରି କ୍ଷେତ୍ରରେ ଜବରଦସ୍ତ ସଫଳତା ହାସଲ କରିଥିବା ବେଳେ ସେମାନେ ବିକୁଥିବା ସାମଗ୍ରୀର ‘ତିଆରି ହୋଇଥିବା ସ୍ଥାନ’ର ବିବରଣୀ ପ୍ରଦାନ କରୁନଥିବାରୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କଂପାନିଗୁଡ଼ିକୁ ତାଗିଦ କରାଯାଇଛି। ଏହି ସୂଚନା ଦେବା ବାଧ୍ୟତାମୂଳକ ରହିଥିଲେ ମଧ୍ୟ ଇ-କମର୍ସ କଂପାନିଗୁଡ଼ିକ ସେହି ନିୟମ ପାଳନ କରୁନାହାନ୍ତି। ଆସନ୍ତା ୧୫ ଦିନ ଭିତରେ ଏ ସଂକ୍ରାନ୍ତରେ ଉତ୍ତର ରଖିବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। ଯେଉଁମାନେ ଏଥିରେ ବିଫଳ ହେବେ ସେମାନଙ୍କ ବିରୋ‌ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ଜୁନ୍‌ରେ ଲଦାଖରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍ ସାମଗ୍ରୀ ବର୍ଜନ ନେଇ ଦେଶବ୍ୟାପୀ ଦାବି କରାଯାଇଥିଲା। କିଛି ଦିନ ପରେ ସରକାର ଏକ ନିୟମ ଘୋଷଣା କରିଥିଲେ ଯେଉଁଥିରେ ଅନ୍‌ଲାଇନ୍ ସଂସ୍ଥାଗୁଡ଼ିକର ଲାଗି ଉତ୍ପାଦର ‘ମୂଳ ରାଷ୍ଟ୍ର ନାମ’ ପ୍ରକାଶ କରିବା ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର