ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଶିଳ୍ପ ସଂସ୍ଥାଗୁଡ଼ିକ ଲାଗି ନୂଆ ପ୍ରୋତ୍ସାହନ ନୀତି ଆସିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି। ଆଜି ଶିଳ୍ପ ମହାସଂଘ ଫିକି ତରଫରୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ‘ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଆଣ୍ଡ୍ ମାନୁଫାକ୍ଚରିଂ (ଇଏସ୍ଡିଏମ୍)ରେ ନିବେଶ ସୁଯୋଗ’ ଶୀର୍ଷକ ରାଉଣ୍ଡ୍ଟେବୁଲ୍ରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ଯେଉଁ ନୂଆ ନୀତି ଘୋଷଣା କରାଯିବ ସେଥିରେ ଶିଳ୍ପ ସଂସ୍ଥାଗୁଡ଼ିକ ଲାଗି ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଓ ସହାୟତା ବ୍ୟବସ୍ଥା ରହିବ। ରାଜ୍ୟରେ ଦକ୍ଷତାର ଏକ ଉତ୍କୃଷ୍ଟ ପରିବେଶ ଥିବା ବେଳେ ଇପିକଲ୍ର ନିବେଶ ସୁଗମତା ବ୍ୟବସ୍ଥା ସାରା ଦେଶରେ ଶ୍ରେଷ୍ଠ ବିବେଚିତ ହୋଇଛି। ପ୍ରକଳ୍ପ ଚିନ୍ତାଧାରାଠାରୁ ଆରମ୍ଭ କରି କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଓଡ଼ିଶା ସମଗ୍ର ଦେଶରେ ଶ୍ରେଷ୍ଠ ସୁବିଧା ପ୍ରଦାନ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି। ଇପିକଲ୍ ଏମ୍ଡି ଡକ୍ଟର ନିତୀନ ଭାନୁଦାସ ଜାୱଲେ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି।
ଏହି କ୍ଷେତ୍ରର ପ୍ରମୁଖ ସଂସ୍ଥାଗୁଡ଼ିକୁ ସ୍ବାଗତ କରିବାକୁ ଓଡ଼ିଶା ଚାହି ରହିଛି। ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶା ଶିଳ୍ପ ସଂସ୍ଥା ପାଇଁ ଷ୍ଟେଟ୍-ଅଫ୍-ଆର୍ଟ ଓ ପ୍ଲଗ୍ ଆଣ୍ଡ୍ ପ୍ଲେ ବ୍ୟବସ୍ଥା ସୃଷ୍ଟି କରିଛନ୍ତି। ରାଜ୍ୟ ସରକାରଙ୍କର ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ନୀତି ରହିଛି। ଏଥିରେ ଥିବା ସୁବିଧାଗୁଡ଼ିକ ବିଷୟରେ ଜାଣିବା ଲାଗି ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଶିଳ୍ପର ସମସ୍ତ ଅଂଶୀଦାର ଏବଂ ସରକାରଙ୍କ ସହିତ ବିଭିନ୍ନ କ୍ଷେତ୍ରର ଆହ୍ବାନ ସମ୍ପର୍କରେ ଆମେ ବ୍ୟାପକ ଆଲୋଚନା କରିବୁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ ଫିକିର ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ହ୍ବାଇଟ୍ ଗୁଡସ୍ ମାନୁଫାକ୍ଚରିଂ କମିଟିର ଅଧ୍ୟକ୍ଷ ମନିଷ ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ର ନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଶିଳ୍ପ ବିଭାଗର ଓଏସ୍ଡି ସଞ୍ଜୀବ କୁମାର ମିଶ୍ର କହିଛନ୍ତି ଯେ ଜିଡିପି ଓ ସିଏଜିଆର୍ରେ ଓଡ଼ିଶା ନିରନ୍ତର ବୃଦ୍ଧି ହାସଲ କରୁଥିଲେ ମଧ୍ୟ ଆମକୁ ଅଧିକ ନିଯୁକ୍ତି ଦରକାର। ଓଡ଼ିଶାର ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ରଗୁଡ଼ିକରେ ଅଧିକ ପୁଞ୍ଜିନିବେଶ କରିବାକୁ ସେ ଶିଳ୍ପସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏହି ରାଉଣ୍ଡ୍ଟେବୁଲ୍ରେ ଶିଳ୍ପ ଜଗତର ଅନେକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।