ଫିକି ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ

ଭୁବନେଶ୍ବର: ଜନତା ମଇଦାନରେ ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ର ଏକ୍ସପୋକୁ ଉଦଘାଟନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ (ଫିକି) ପକ୍ଷରୁ ଆୟୋଜିତ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ସେ ଫିକିର କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ବାଗତ କରିଥିଲେ। ରାଜ୍ୟର ଶିଳ୍ପାୟନ ପାଇଁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ନିରନ୍ତର ସହାୟତା ଜରୁରୀ ବୋଲି ନବୀନ କହିଥିଲେ। ଫିକି ଏହାର ୯୦ ବର୍ଷରୁ ଊର୍ଧ୍ବ ସମୟର ଇତିହାସରେ ଦେଶର ଶିଳ୍ପାୟନ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଛି। ‌ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ର ଶିଳ୍ପ ସହଯୋଗୀ ଫିକି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଏହି ସଂଘର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ବିନିର୍ମାଣ (ମାନୁଫାକଚରିଂ) କେନ୍ଦ୍ର ‌ପାଲଟିଛି। ରାଜ୍ୟର ଶିଳ୍ପାୟନ ଯାତ୍ରାରେ ଆଗାମୀ ଦିନରେ ଫିକି ଏହାର ସହଯୋଗ ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ରାଜ୍ୟ ସରକାର ୬ଟି ପ୍ରମୁଖ କ୍ଷେତ୍ରରେ ଶିଳ୍ପାୟନ ବିକାଶ ଲାଗି ଭିଜନ-୨୦୨୫ ଧାର୍ଯ୍ୟ କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଫିକି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ରାଜ୍ୟର ଯୁବକମାନଙ୍କୁ ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ କରୁଛୁ। ଏତଦବ୍ୟତୀତ ରାଜ୍ୟରେ ପ୍ରକଳ୍ପ ଅନୁମୋଦନ ଲାଗି ହାରାହାରି ସମୟ ୨୦ ଦିନକୁ ହ୍ରାସ ପାଇଛି। ରାଜ୍ୟରେ ଥିବା ବ୍ୟବସାୟିକ ସୁଯୋଗକୁ ଖୋଜିବା ସହିତ ରାଜ୍ୟ ସହିତ ଦୀର୍ଘକାଳୀନ ସମ୍ପର୍କ ସ୍ଥାପନ ପାଇଁ ସେ ଏହି ଅବସରରେ ଫିକିର ସଦସ୍ୟମାନଙ୍କୁ ଆହ୍ବାନ କରିଥିଲେ।

ସମ୍ବନ୍ଧିତ ଖବର