ଫିକି ଓଡ଼ିଶାର ଏମ୍‌-ପାୱାର ମିଟ୍‌: ଅକ୍ଷୟ ଶକ୍ତି‌ରେ ବଡ଼ ଧରଣର ବିକାଶ ହେବ

ରାଜ୍ୟ ପାଇଁ ଶକ୍ତି ହେଉଛି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର: ମନ୍ତ୍ରୀ

ଭୁବନେଶ୍ବର: ବିଦ୍ୟୁତ ବଣ୍ଟନର ଘରୋଇକରଣ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇ ରହିଛି। ଶକ୍ତି ଉତ୍ପାଦନରେ ଏହା ଆତ୍ମନିର୍ଭର ଥିବା ବେଳେ ବିତରଣ ନେଟ୍‌ୱର୍କ ମଧ୍ୟ ବେଶ ଦୃଢ଼ ରହିଛି। ବିଦ୍ୟୁତ ବଣ୍ଟନ ମଧ୍ୟ ପୂର୍ଣ୍ଣ କ୍ଷମତ‌ାରେ କାର୍ଯ୍ୟ କରୁଛି। ରାଜ୍ୟ ପାଇଁ ଶକ୍ତି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର। ଆଗାମୀ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ବଡ଼ ଧରଣର ବିକାଶ ହେବ ବୋଲି ରାଜ୍ୟ ଶକ୍ତି, ଶିଳ୍ପ ଓ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି।

ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିବା ‘ଏମ୍‌-ପାୱାର-ଓଡ଼ିଶାର ଶକ୍ତି ଦୃଶ୍ୟପଟ୍ଟ-ଅଭିବୃଦ୍ଧି, ଆହ୍ବାନ, ସୁଯୋଗ ଓ ଆଗାମୀ ପଥ’ର ଷଷ୍ଠ ସଂସ୍କରଣକୁ ସମ୍ବୋଧିତ କରି ‌ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ଶକ୍ତି ଉତ୍ପାଦନ ପାଇଁ ଏମ୍ଏସ୍‌ଏମ୍ଇ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। ସେମାନଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରିବା ଓ ଏମ୍ଏସ୍‌ଏମ୍ଇଗୁଡ଼ିକ ଜରିଆରେ ରାଜ୍ୟର ଶକ୍ତି ଦୃଶ୍ୟପଟ୍ଟରେ ଉନ୍ନତି ଆଣିବା ଲାଗି ଉଦ୍ୟମ କରିବାକୁ ସେ ଶିଳ୍ପସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଦୂରଦୂରାନ୍ତରେ ବାସ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବାକୁ ସେ କହିଛନ୍ତି। ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣରେ କହିଛନ୍ତି ଯେ ଶକ୍ତି କ୍ଷେତ୍ରର ଘରୋଇକରଣ କରିବାରେ ଓଡ଼ିଶା ହେଉଛି ଅନ୍ୟତମ ପ୍ରଥମ ରାଜ୍ୟ ଏବଂ ରାଜ୍ୟରେ ପ୍ରଚୁର ପରିମାଣର ଶକ୍ତି ରହିଛି। ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନ୍‌ବାଗମ୍ କହିଛନ୍ତି ଯେ ଗତ ମାସରେ ବିଦ୍ୟୁତ ଚାହିଦା ୨୦୦ ଗିଗାୱାଟ୍ ସ୍ତର ଅତିକ୍ରମ କରିଛି। ଏହି କ୍ଷେତ୍ର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଅଭିବୃଦ୍ଧି ହାସଲ କରିପାରିବ। କଂପାନି ରାଜ୍ୟରେ ପାଞ୍ଚ ବର୍ଷରେ ୫୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି।

ଏନ୍‌ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁନିଲ କୁମାର ସତ୍ୟ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚିଲେ ତାହାର ଚାହିଦା ବଢ଼ିବ। ଶିଳ୍ପାୟନ ଓ ଆଇଟି ଶିଳ୍ପର ବିକାଶ ହେଉଥିବାରୁ ବିଦ୍ୟୁତ ଚାହିଦା ଆହୁରି ବଢ଼ିବ। ସେହି ଚାହିଦା ପୂରଣ କରିବା ଲାଗି ବିଭିନ୍ନ ପ୍ରକାର ଶକ୍ତି ଉତ୍ପାଦନ କ୍ଷମତା ବଢ଼ାଇବାକୁ ହେବ। ଗ୍ରିଡ୍‌କୋ ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ୨୪ ଘଣ୍ଟା ଭରସାଯୋଗ୍ୟ ବିଦ୍ୟୁତ ପ୍ରଦାନ କରିବାର କ୍ଷମତା ଓଡ଼ିଶା ପାଖରେ ରହିଛି। ଏମ୍‌ଏସ୍‌ଏମ୍ଇ ଶିଳ୍ପ ପାଇଁ ମଧ୍ୟ ରାଜ୍ୟରେ ଏକ ଦୃଢ଼ ବିତରଣ ନେଟ୍‌ୱର୍କ ଓ ବଣ୍ଟନ ବ୍ୟବସ୍ଥା ରହିଛି। ଶିଳ୍ପ ସଂସ୍ଥାଙ୍କୁ ବିଦ୍ୟୁତ ଯୋଗାଣ ଲାଗି ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି ବ୍ୟବସ୍ଥା ରହିଥିବା ସେ କହିଛନ୍ତି। କେପିଏମ୍‌ଜିର ଗ୍ଲୋବାଲ୍ ସେକ୍ଟର ହେଡ୍‌-ପାୱାର ଆଣ୍ଡ୍‌ ୟୁଟିଲିଟି ଅନିଷ ଦେ’ କହିଛନ୍ତି ଯେ ବିଦ୍ୟୁତ କ୍ଷେତ୍ର ପାଇଁ ଯୋଜନା ପ୍ରସ୍ତୁତ କରିବା ବେଳେ ଆମକୁ ବିଶ୍ବସ୍ତରୀୟ ଏବଂ ନିରନ୍ତରତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ମଧ୍ୟ ପ୍ରସ୍ତୁତ ରହିବାକୁ ପଡ଼ିବ।

ଏହି ଅବସରରେ ଓପିଟିସିଏଲ୍‌ର ନିର୍ଦେଶକ ବି ବି ମେହତା, ଇଣ୍ଟରନ୍ୟା‌ସନାଲ୍ ସୋଲାର ଏନର୍ଜି ସୋସାଇଟିର ନିର୍ଦେଶକ ରବିନ୍ଦ୍ର ଶତପଥୀ, ଟେରି ସ୍କୁଲ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍‌ର ପ୍ରଫେସର ଗୋପାଳ କ୍ରିଷ୍ଣ ଷଡ଼ଙ୍ଗୀ, ସେଣ୍ଟର ଫର କ୍ଲାଇମେଟ୍ ଚେଞ୍ଜ୍‌ ଆଣ୍ଡ୍‌ ସଷ୍ଟେନେବିଲିଟିର ନିର୍ଦେଶକ ପ୍ରଫେସର କମଳା କାନ୍ତ ଦାଶ ଓ କିଟ୍ ବିଶ୍ବବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଡକ୍ଟର ଶିକ୍ତ ସିଂହ ଅଂଶଗ୍ରହଣ କରି ନିଜର ମତ ଉପସ୍ଥାପନ କରିଥିଲେ। ଫିକି ଓଡ଼ିଶା ରାଜ୍ୟ ପରିଷଦର ମୁଖ୍ୟ ସଞ୍ଜୀବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର