ଉଚ୍ଚ ଶିକ୍ଷା ଉପରେ ଫିକି ଓଡ଼ିଶାର ୱେବିନାର

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ସହଯୋଗରେ ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ କୋଭିଡ୍‌-୧୯ ପରବର୍ତୀ ସମୟରେ ଉଚ୍ଚ ଶିକ୍ଷାକୁ ନେଇ ଏକ ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି, ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଆସନ୍ତା ୧-୨ ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ସମସ୍ୟା କିଛି ମାସ ପରେ ଦୂର ହୋଇଯିବ ଓ ଓଡ଼ିଶା ପୂର୍ବଭଳି ପୂର୍ବାଞ୍ଚଳର ଶିକ୍ଷା ହବ୍ ହୋଇ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏନ୍‌ଆଇଆର୍‌ଏଫ୍‌ର ଶ୍ରେଷ୍ଠ ୧୦୦ ରୢାଙ୍କ ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଥିବାରୁ ସେ ଆନନ୍ଦ ପ୍ରକଟ କରିଛନ୍ତି।

ଫିକି ଓଡ଼ିଶାର ଅଧ୍ୟକ୍ଷା ମୋନିକା ନୈୟର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ଉଚ୍ଚ ଶିକ୍ଷା ଉପରେ କୋଭିଡ୍‌-୧୯ର ପ୍ରଭାବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ର ମାନ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ନଥିବା ଅନ୍‌ଲାଇନ୍ ଶିକ୍ଷା ପାଇଁ ସବୁଠୁ ବଡ଼ ଆହ୍ବାନ ବୋଲି ସେ କହିଛନ୍ତି। ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର ଅଧିବେଶନରେ କିଟ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଗଙ୍ଗାଧର ମେହେର କଲେଜର କୁଳପତି ପ୍ରଫେସର ଅତନୁ କୁମାର ପତି, ଆଇଏମ୍ଆଇଏସ୍‌, ଭୁବନେଣ୍ବରର ପ୍ରଫେସର ଦିନଦୟାଲ ସ୍ବାଇଁ ଓ ଫିକିର ଆସିଷ୍ଟାଣ୍ଟ୍‌ ସେକ୍ରେଟାରି ଜେନେରାଲ୍ ମୌସୁମୀ ଘୋଷ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର