ଫିକି ପଲିସି ରାଉଣ୍ଡ୍‌ ଟେବୁଲ୍‌: ଖଣିରେ ଅଧିକ ନିବେଶ‌ ଲୋଡ଼ିଲା ଓଡ଼ିଶା

କାରଖାନା କ୍ଷମତା ବଢ଼ାଅ, ଆନୁଷଙ୍ଗିକ ଶିଳ୍ପରେ ନିବେଶ କର: ମନ୍ତ୍ରୀ

ଭୁବନେଶ୍ବର: ଖଣି ଓ ଧାତବ ଶିଳ୍ପରେ ନିବେଶକମାନଙ୍କ ଲାଗି ଓଡ଼ିଶାରେ ବିପୁଳ ସୁଯୋଗ ରହିଛି। ନିକଟରେ ଓଡ଼ିଶା ସଫଳତାର ସହ ୩୧ଟି ଖଣି ନିଲାମ କରିଛି। ରାଜ୍ୟର ଖଣି ଓ ଧାତବ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବା ଲାଗି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ଓଡ଼ିଶା ‘ସରକାରଙ୍କ ସହ ଫିକି ପଲିସି ରାଉଣ୍ଡ୍‌ ଟେବୁଲ୍‌’ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ଖଣି ଓ କାରଖାନା ମଧ୍ୟରେ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ବନ୍ଦରଗୁଡ଼ିକୁ ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ନିବେଶକମାନଙ୍କୁ ସୁହାଇବା ଭଳି ପରିବେଶ, ଉନ୍ନତ ପରିବହନ, ଯୋଗାଯୋଗ ଓ ଶକ୍ତି ଯୋଗାଣ ବ୍ୟବସ୍ଥା ରହିଛି। ଏହାର ଲାଭ ଉଠାଇବା ଲାଗି ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ରାଜ୍ୟରେ ସ୍ଥାପିତ ହୋଇଥିବା କାରଖାନାଗୁଡ଼ିକର କ୍ଷମତା‌କୁ ସମ୍ପ୍ରସାରିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପ ସଂସ୍ଥା ସ୍ଥାପନ କରିବା ଲାଗି ସେ କଂପାନିଗୁଡ଼ିକୁ କହିଛନ୍ତି।

ଖଣିରୁ ୧୩.୪୪% ଅଧିକ ରାଜସ୍ବ ମିଳିଛି: ଫିକି ଓଡ଼ିଶା ଅଧ୍ୟକ୍ଷା

ଇପିକଲ୍‌ର ଏମ୍‌ଡି ନିତୀନ ବି. ଜାୱଲେ ରାଜ୍ୟ ସରକାରଙ୍କ ଭିଜନ ୨୦୩୦ ଉପରେ ଆଲୋଚନା କରି କହିଛନ୍ତି ଯେ ଏହା ଛୁଞ୍ଚି ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ମହାକାଶ ପର୍ଯ୍ୟନ୍ତ ସବୁ କ୍ଷେତ୍ର ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ଖଣି ଓ ଧାତବ କ୍ଷେତ୍ର ଏହାର କେନ୍ଦ୍ର ସ୍ଥଳରେ ରହିଛି। ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟା ସମାଧାନ ଲାଗି ସବୁ ପ୍ରକାର ସହାୟତା ଦିଆଯିବ ବୋଲି ସେ କହିଛନ୍ତି। ସେହିପରି, ଅର୍ଥ ବିଭାଗର ଯୁଗ୍ମ ସଚିବ ସତ୍ୟ ପ୍ରିୟ ରଥ କହିଛନ୍ତି ଯେ ଆମ ପାଖରେ ଜମି ବ୍ୟାଙ୍କ ଓ ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଭଳି ବ୍ୟବସ୍ଥା ରହିଛି। ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଖଣି କ୍ଷେତ୍ରରେ ବିପୁଳ ‌ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶା ସରକାର ଖଣି କ୍ଷେତ୍ରରୁ ୧୩.୪୪ ପ୍ରତିଶତ ଅଧିକ ଅର୍ଥାତ ୫୨୭୪ କୋଟି ଟଙ୍କାର ରାଜସ୍ବ ହାସଲ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଲିଜ୍‌ ଅବଧି ଶେଷ ହୋଇଥିବା ଖଣିଗୁଡ଼ିକୁ ନିଲାମ କରାଯାଇଛି। ଆଉ କିଛି ଖଣି ନିଲାମ ଲାଗି ଉଦ୍ୟମ ଜାରି ରହିଛି ଯାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଓଡ଼ିଶା ଖଣିଜ ସମ୍ପଦରେ ଭରଭୁର ଥିବା ଏକ ରାଜ୍ୟ। ତାହାର ବ୍ୟବହାର କରିବା ଲାଗି କଂପାନିଗୁଡ଼ିକ ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଏହି ସୁଯୋଗ ହାସଲ କରିବା ଲାଗି ଶ୍ରେଷ୍ଠ ମାଧ୍ୟମ ସନ୍ଧାନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଓଡ଼ିଶା ଏକ ମାନୁଫାକ୍‌ରିଂ ହବ୍‌ରେ ରୂପାନ୍ତରିତ ହୋଇଛି ଓ ସଂସ୍କାର କ୍ଷେତ୍ରରେ ଆଗରେ ରହିଛି ବୋଲି ଫିକିର ଉପସଭାପତି ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଏଆଇଜି ସନ୍ଦୀପ ଶର୍ମା, ଫିକି ଖଣି କମିଟିର ସହ-ଅଧ୍ୟକ୍ଷ ରାହୁଲ ଶର୍ମା ଓ ପଙ୍କଜ ସତିଜା, ଇସ୍ପାତ କମିଟିର ସହ-ଅଧ୍ୟକ୍ଷ ଭି ଆର୍‌ ଶର୍ମା, ସିମେଣ୍ଟ୍‌ କମିଟିର ସହ-ଅଧ୍ୟକ୍ଷ ହରମିତ ସିଂହ ସେଠୀ, ମେସ୍କୋ ଷ୍ଟିଲ୍‌ର ସିଏମ୍‌ଡି ରୀତା ସିଂହ, ହିଣ୍ଡାଲ୍‌କୋର କ୍ଲଷ୍ଟର ମୁଖ୍ୟ (ସମ୍ବଲପୁର) ରାଜେଶ ଗୁପ୍ତା, ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଆବାସିକ ନିର୍ଦେଶକ (ଓଡ଼ିଶା) ଶଶି ଭୂଷଣ ଉପାଧ୍ୟାୟ, ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ଏଜିଏମ୍ ବଶ୍ବରାଜ ଡାଲଗାଡେ ଏବଂ ଡେଲୋଇଟି କନ୍‌ସଲ୍‌ଟିଂର ନିର୍ଦେଶକ ରାଜୀବ ମୈତ୍ର ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର