ଫିକି ରିପୋର୍ଟ: ଅର୍ଥନୀତିକୁ ତୁରନ୍ତ ୧୦ ଲକ୍ଷ କୋଟିର ପ୍ୟାକେଜ୍‌ ଆବଶ୍ୟକ

ରେସ୍ତୋରାଁ, ଅଟୋ, ରିଅଲିଟି କ୍ଷେତ୍ରରେ ସୁଧାର ପାଇଁ ୨ ବର୍ଷ ଲାଗିଯିବ

ନୂଆଦିଲ୍ଲୀ, ୯/୪: କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରେ ସରକାର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଏବଂ ଲକ୍‌ଡାଉନ୍ ପାଇଁ ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ରେସ୍ତୋରାଁ, ଅଟୋମୋବାଇଲ, ରିଅଲିଟି କ୍ଷେତ୍ର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ତେବେ ଏହି ୩ଟି କ୍ଷେତ୍ରର ସ୍ଥିତି ସୁଧୁରିବା ପାଇଁ ୧୨ରୁ ୨୪ ମାସ ସମୟ ଲାଗିଯିବ ବୋଲି ଶିଳ୍ପ ସଂଘ ଫିକି ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ପରିବହନ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆମୋଦପ୍ରମୋଦ ଏବଂ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ କ୍ଷେତ୍ର ମଧ୍ୟ ଏହାଦ୍ବାରା ଗଭୀର ମାତ୍ରାରେ କ୍ଷତି ସହିଛି। ଏଗୁଡ଼ିକରେ ସୁଧାର ଆସିବା ଲାଗି ମଧ୍ୟ ସେହି ୧୨ରୁ ୨୪ ମାସ ସମୟ ଲାଗିଯିବ ବୋଲି ଫିକି ଏହାର ଏକ ରିପୋର୍ଟରେ କହିଛି।

‘କୋଭିଡ-୧୯ ଇଣ୍ଡିଆ: ଇକୋନୋମିକ୍ ଇମ୍ପାକ୍ଟ ଆଣ୍ଡ ଆମ୍ପ୍‌;ମିଟିଗେସନ’ ଶୀର୍ଷକ ଅନୁଧ୍ୟାନରେ ଫିକି ଏହା ମଧ୍ୟ କହିଛି ‌ଖର୍ଚ୍ଚ ବୃଦ୍ଧି ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ବ୍ୟବସାୟ କିଭଳି ନିଜେ ତିଷ୍ଠି ରହୁଛି ତାହା ଉପରେ ସୁଧାରର ଅବଧି ନିର୍ଭର କରୁଛି। ତେବେ ପୋଷାକ, ବିୟୁଟି ଉତ୍ପାଦନ, ମୃଦୁ ପାନୀୟ, ମଦ, ବୀମା, କୃଷି, ରସାୟନ, ଧାତବ ଏବଂ ଖଣି, ସେବା, ଶିଳ୍ପ, ଅଫଲାଇନ୍ ରିଟେଲ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆସିବା ଲାଗି ୯ରୁ ୧୨ ମାସର ସମୟ ଲାଗିବ। ଫିକି ରିପୋର୍ଟରେ ଏହା ବି କୁହାଯାଇଛି, ଅର୍ଥନୀତିକୁ ତୁରନ୍ତ ୯ରୁ ୧୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଆବଶ୍ୟକ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏହା ପ୍ରାୟ ୪ରୁ ୫ ପ୍ରତିଶତ ହେବା ଆବଶ୍ୟକ। ଅନ୍ୟାନ୍ୟ ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ଭାରତରେ ଋଣ ଏବଂ ଜିଡିପି ଅନୁପାତ ଭଲ ରହିଛି ବୋଲି ଏଥିରେ କୁହାଯାଇଛି। ସରକାର ପ୍ୟାକେଜ୍ ଆକାରରେ ଯେଉଁ ଅର୍ଥ ଦେବେ ତାହା ଅର୍ଥନୀତିର ସବୁ କ୍ଷେତ୍ରକୁ ଯିବା ଆବଶ୍ୟକ। ସମାଜର ତଳସ୍ତରରେ ଥିବା ଲୋକଙ୍କ ଠାରୁ ଆରମ୍ଭ କରି ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ବଡ଼ ବଡ଼ କମ୍ପାନି ଗୁଡ଼ିକୁ ମଧ୍ୟ ପ୍ୟାକେଜ୍‌ ମିଳିବା ଉଚିତ। ସରକାରଙ୍କ ପକ୍ଷରୁ ୨ ଲକ୍ଷ କୋଟି ଟଙ୍କାର ଏକ ‘ଭାରତ ସେଲ୍‌ଫ ସଫିସିଏନ୍ସି ଫଣ୍ଡ’ ବା ଭାରତ ଆତ୍ମ ନିର୍ଭରଶୀଳ ପାଣ୍ଠି ଗଠନ କରିବାକୁ ଫିକି ପ୍ରସ୍ତାବ ଦେଇଛି। ଭାରତ ଯେଉଁସବୁ ସାମଗ୍ରୀ ପାଇଁ ବିଦେଶ ଉପରେ ଅଧିକ ନିର୍ଭରଶୀଳ ରହିଛି ସେସବୁ ସାମଗ୍ରୀର ଉତ୍ପାଦନ କିଭଳି ଭାରତରେ କରାଯାଇ ପାରିବ ସେଥିପାଇଁ ଆବଶ୍ୟକ ବୈଜ୍ଞାନିକ ଗବେଷଣା ଓ ନୂଆ ଚିନ୍ତାଧାରାର କାର୍ଯ୍ୟକାରିତାରେ ଏହାକୁ ବିନିଯୋଗ କରାଯିବା ଉଚିତ୍।

ଅନ୍ୟପକ୍ଷରେ ଏବେ ଖାଦ୍ୟର ଖୁଚୁରା ବିକ୍ରି ସମେତ ଟେଲିଯୋଗାଯୋଗ, ଉପଯୋଗିତା ସେବା ଏବଂ ଫାର୍ମାସ୍ୟୁଟିକାଲ୍ସର ବିକ୍ରିରେ ଯେଉଁ ଅତ୍ୟଧିକ ବୃଦ୍ଧି ଦେଖାଦେଇଛି ତାହା ଆସନ୍ତା ୬ରୁ ୯ ମାସ ମଧ୍ୟରେ ସ୍ବାଭାବିକ ହୋଇଯିବ। ପୁନଶ୍ଚ ଅନଲାଇନ୍ ସ୍ବାସ୍ଥ୍ୟସେବା, ପର୍ସନାଲ କେୟାର, ଅନଲାଇନ୍ ଏଣ୍ଟର‌ଟେନମେଣ୍ଟ ଏବଂ ଶିକ୍ଷା କ୍ଷେତ୍ରର ବ୍ୟବସାୟରେ ବର୍ତ୍ତମାନ ବୃଦ୍ଧି ଦେଖାଦେଇଛି। ଦୀର୍ଘମିଆଦୀରେ ଏସବୁର ଉଚ୍ଚ ଅଭିବୃଦ୍ଧି ଜାରି ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର