‘ଫିକି ଲେଡିଜ୍ ଅର୍ଗାନାଇଜେସନ୍’ ଭ‌ୁବନେଶ୍ବର ଚାପ୍ଟର ଆରମ୍ଭ, ୱେବିନାରରେ ଉଦ୍‌ଘାଟନ କଲେ ସୁରେଶ ପ୍ରଭୁ

ଧରିତ୍ରୀ ପଟ୍ଟନାୟକ ପ୍ରଥମ ଅଧ୍ୟକ୍ଷ‌ା

ଭୁବନେଶ୍ବର: ଫିକି ଲେଡିଜ୍ ଅର୍ଗାନାଇଜେସନ (ଏଫ୍ଏଲ୍‌ଓ)ର ୧୭ତମ ଚାପ୍ଟର ଭାବେ ଭୁବନେଶ୍ବର ଚାପ୍ଟର ଆରମ୍ଭ ହୋଇଛି। ଏକ ୱେବିନାର୍‌ରେ ଜି୭ ଓ ଜି୨୦କୁ ପ୍ରଧାନମନ୍ତ୍ରୀଙ୍କ ସେର୍‌ପା ସୁରେଶ ପ୍ରଭୁ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ରାଜ୍ୟ ଶିଳ୍ପ ଓ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ କୃ‌ଷି ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଛି। ଏ ସଂକ୍ରାନ୍ତରେ ଶ୍ରୀ ପ୍ରଭୁ କହିଛନ୍ତି ଯେ, ଜନସଂଖ୍ୟାର ଏକ ସିଂହ ଭାଗକୁ ସହାୟତା ଦେଉଥିବାରୁ କୃଷି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର। ଭାରତୀୟ ଅର୍ଥନୀତିକୁ ଆଗକୁ ବଢ଼ାଇବାକୁ ହେଲେ କୃ‌ଷି କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡ଼ିବ। ବିନା କୃ‌ଷିରେ ଶିଳ୍ପ ରହିବନି। ଚାଷୀଙ୍କ ଆୟ ଆମ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ ବୋଲି ସେ କହିଛନ୍ତି।
ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଚାପ୍ଟର ଓଡ଼ିଶାରେ ଖୋଲିଥିବାରୁ ଆମେ ବହୁତ ଉତ୍ସାହିତ। ଆମେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଅଗ୍ରଣୀ ରହିଛୁ। ମିଶନ ଶକ୍ତି, ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଏବଂ ଆହୁରି ଅନେକ କାର୍ଯ୍ୟକ୍ରମ ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଥିବା ବେଳେ ମହିଳା ଏସ୍‌ଏଚ୍‌ଜିଙ୍କୁ ସହଯୋଗ ପ୍ରଦାନ କରାଯାଉଛି ଯଦ୍ବାରା ଗ୍ରାମାଞ୍ଚଳରେ ମହିଳାମାନଙ୍କ ବିକାଶ ହୋଇପାରୁଛି। ଉଭୟ ରାଜ୍ୟ ସରକାର ଏବଂ ଏଫ୍‌ଏଲ୍‌ଓର ଲକ୍ଷ୍ୟ ହେଉଛି ମହିଳା ସଶକ୍ତୀକରଣ ବୋଲି ସେ କହିଛନ୍ତି। ଭୁବନେଶ୍ବର ଚାପ୍ଟର ସଂକ୍ରାନ୍ତରେ ଏଫ୍‌ଏଲ୍‌ଓର ସଭାନେତ୍ରୀ ହରଜିନ୍ଦର କୌର ତଲୱାର କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ତରଫରୁ ଯେଉଁ ସମର୍ଥନ ମିଳିଛି ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି। ଆମେ କୌଶଳ ବିକାଶ ଓ ମହିଳା ସଶକ୍ତୀକରଣର ବିଭିନ୍ନ ଦିଗ ଉପରେ କେବଳ ଭୁବନେଶ୍ବରରେ ନୁହେଁ ବରଂ ସାରା ଓଡ଼ିଶାରେ କାର୍ଯ୍ୟ କରିବାକୁ ଚାହିରହିଛୁ। ଏହି ନୂତନ ଚାପ୍ଟରକୁ ସମୃଦ୍ଧ କରିବା ଦିଗରେ ମୁଁ ମିଳିତ ଭାବେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି। ଏଫ୍ଏଲ୍‌ଓ ଭୁବନେଶ୍ବର ଚାପ୍ଟର ପ୍ରଥମ ଅଧ୍ୟକ୍ଷା ଭାବେ ଜିଭାଦା ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତ୍ରୀ ନିର୍ଦେଶିକା ଧରିତ୍ରୀ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି ମହିଳା ଉଦ୍ୟୋଗୀ ସଶକ୍ତୀକରଣ ଜରୁରୀ। ଭୁବନେଶ୍ବର ଚାପ୍ଟର ଏଦିଗରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର