ନୂଆଦିଲ୍ଲୀ : କେନ୍ଦ୍ର-ରାଜ୍ୟ ଓ ରାଜ୍ୟ-ରାଜ୍ୟ ଭିତରେ ହେବାକୁ ଥିବା ସମ୍ବଳ ଆବଣ୍ଟନ ଉପରେ ପଞ୍ଚଦର୍ଶ ଅର୍ଥ ଆୟୋଗ ପକ୍ଷରୁ ପ୍ରସ୍ତୁତ ୫ ବର୍ଷିଆ ରିପୋର୍ଟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା ନଭେମ୍ବର ୯ ତାରିଖରେ ପ୍ରଦାନ କରାଯିବ। ୨୦୨୦-୨୧ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏଥିରେ ଅର୍ଥ ଆବଣ୍ଟନ ନେଇ ସୁପାରିସ କରାଯାଇଛି। ରିପୋର୍ଟ ଉପରେ ଚୂଡ଼ାନ୍ତ ବିଚାରବିମର୍ଶ ଗତକାଲି ଶେଷ ହୋଇଛି। ଏହାପରେ ରିପୋର୍ଟରେ ଆୟୋଗର ଅଧ୍ୟକ୍ଷ ଏନ୍ କେ ସିଂହ ଏବଂ ଅନ୍ୟ ୪ ଜଣ ସଦସ୍ୟ ଦସ୍ତଖତ କରିଛନ୍ତି। କମିସନ ପକ୍ଷରୁ ରିପୋର୍ଟର ଏକ ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଦାନ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ସମୟରେ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରିବା ସମ୍ଭାବନା ରହିଛି।
କେନ୍ଦ୍ର-ରାଜ୍ୟ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଟିକସ ଓ ସମ୍ବଳ ଆବଣ୍ଟନ ପାଇଁ ଆୟୋଗ ସୁପାରିସ କରିଛି। ରାଜ୍ୟଗୁଡ଼ିକର ବିକାଶ, ଆଞ୍ଚଳିକ ଆବଶ୍ୟକତା ଆଦିକୁ ଭିତ୍ତିକରି ଆୟୋଗ ଅର୍ଥ ସୁପାରିସ କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀ ପାଇଁ ଆର୍ଥିକ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରୁଥିବାବେଳେ ଏବଂ ଜିଏସଟି କ୍ଷତିପୂରଣ ରାଶିକୁ ନେଇ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଅର୍ଥ କମିସନର ରିପୋର୍ଟ ଆସିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଉକ୍ତ ରିପୋର୍ଟର ଗୁରୁତ୍ବ ବଢ଼ିଯାଇଛି। ଜନସ୍ବାସ୍ଥ୍ୟ ପାଇଁ ଅର୍ଥ ଆୟୋଗ କରିଥିବା ସୁପାରିସ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। ବିଶେଷକରି କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶ ଉପରେ ଆୟୋଗ ଗୁରୁତ୍ବ ଦେଇପାରନ୍ତି। ଏଥିସହିତ ଆଭ୍ୟନ୍ତରୀଣ ନିରାପତ୍ତା ଓ ପ୍ରତିରକ୍ଷା କ୍ଷେତ୍ର ପାଇଁ କମିସନ ଏକ ନନ୍-ଲାପ୍ସେବଲ ବା ଅସମାପ୍ତ ପାଣ୍ଠି ସୃଷ୍ଟି ପାଇଁ ସୁପାରିସ କରିଥାଇପାରନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ ଦେଶର ୨୯ଟି ରାଜ୍ୟକୁ ୪୨ ପ୍ରତିଶତ ସମ୍ବଳ ଆବଣ୍ଟନ ପାଇଁ ସୁପାରିସ କରିଥିଲେ। କିନ୍ତୁ ପଞ୍ଚଦର୍ଶ ଅର୍ଥ କମିସନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଦାନ କରିଥିବା ପ୍ରଥମ ରିପୋର୍ଟରେ ରାଜ୍ୟଗୁଡ଼ିକର ଟିକସ ଭାଗକୁ ୪୧ ପ୍ରତିଶତକୁ କମାଇ ଦେଇଛନ୍ତି।
ଜମ୍ମୁ କାଶ୍ମୀର ରାଜ୍ୟ ପାହ୍ୟାକୁ ହଟାଇ ଦିଆଯାଇ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରାଯାଇଛି। ତେଣୁ କମିସନ ଏହି ନବଗଠିତ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ଟିକସ ସମ୍ବଳରୁ ୧ ପ୍ରତିଶତ ସମ୍ବଳ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳ ଆବଣ୍ଟନର ସୂତ୍ର କଣ ରହିଛି ଏବଂ ରାଜ୍ୟଗୁଡ଼ିକୁ କେତେ ପ୍ରତିଶତ ସମ୍ବଳ ଆବଣ୍ଟନ ପାଇଁ ଆୟୋଗ ସୁପାରିସ କରିଛନ୍ତି ତାହା ବଜେଟ୍ ଉପସ୍ଥାପନ ସମୟରେ ଯଦିଓ ଜଣାପଡ଼ିବ ତଥାପି କରୋନା ମହାମାରୀ ପରିପ୍ରେକ୍ଷୀରେ ଆୟୋଗ ସମ୍ବଳ ଆବଣ୍ଟନରେ ମାତ୍ରାଧିକ ହ୍ରାସ କରି ନପାରନ୍ତି। ଅନ୍ତରୀଣ ସୁପାରିସ ଭଳି ଚୂଡ଼ାନ୍ତ ସୁପାରିସରେ ମଧ୍ୟ ରାଜ୍ୟଗୁଡ଼ିକୁ ୪୧ ପ୍ରତିଶତ ଟିକସ ସମ୍ବଳ ପ୍ରଦାନ କରାଯାଇପାରେ। ଏଥିସହିତ କମିସନ ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ର ପାଇଁ ମଧ୍ୟ କେତେକ ସଂସ୍କାର ପଦକ୍ଷେପର ସୁପାରିସ କରିପାରନ୍ତି। ତେବେ ପୂର୍ବର ରିପୋର୍ଟ ଗୁଡ଼ିକ ତୁଳନାରେ ପଞ୍ଚଦଶ ଅର୍ଥ ଆୟୋଗର ରିପୋର୍ଟ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି। ଚତୁର୍ଦ୍ଦଶ ଅର୍ଥ କମିସନର ସୁପାରିସ ଅନୁଯାୟୀ ରାଜ୍ୟଗୁଡ଼ିକୁ ଯେଉଁ ୪୨ ପ୍ରତିଶତ ସମ୍ବଳ ପ୍ରଦାନ କରାଯାଇଥିଲା ସେଥିରେ ଓଡ଼ିଶାର ଭାଗ ୧.୯୫ ପ୍ରତିଶତ ରହିଥିଲା। ସେହିଭଳି କେନ୍ଦ୍ର ପକ୍ଷରୁ ଆବଣ୍ଟନ ହେବାକୁ ଥିବା ପାଣ୍ଠି (ଡିଭିଜବଲ ପୁଲ୍)ରୁ ଓଡ଼ିଶାକୁ ୪.୬୪ ପ୍ରତିଶତ ମିଳିଥିଲା।
ବିଳମ୍ବରେ କାହିଁକି?
ପଞ୍ଚଦଶ ଅର୍ଥ ଆୟୋଗ ୨୦୧୭ ନଭେମ୍ବରରେ ଗଠନ କରାଯାଇଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତି ପାଞ୍ଚବର୍ଷରେ ଥରେ ଅର୍ଥ ଆୟୋଗ ଗଠନ ହୋଇଥାଏ। ସେହିଭଳି ପଞ୍ଚଦଶ ଅର୍ଥ ଆୟୋଗ ଗଠନ ୨୦୧୭ ନଭେମ୍ବରରେ ହୋଇଥିଲା। କମିଟି ମଧ୍ୟ ପୂର୍ବରୁ ରିପୋର୍ଟ ପ୍ରଦାନ କରିଥାନ୍ତା। କିନ୍ତୁ ସରକାର ମଝିରେ ଆୟୋଗ ପାଇଁ ଟର୍ମସ ଅଫ ରେଫରେନ୍ସରେ ପରିବର୍ତ୍ତନ କରିବା ଯୋଗୁ ଏହି ରିପୋର୍ଟ ପ୍ରସ୍ତୁତ କରିବା ବିଳମ୍ବ ହେଲା। ଫଳରେ କମିସନ ପ୍ରଥମେ ଗୋଟିଏ ବର୍ଷ ପାଇଁ ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାବ୍ୟତୀତ ରାଜ୍ୟ ରାଜ୍ୟ ମଧ୍ୟରେ ସମ୍ବଳ ଆବଣ୍ଟନ ପାଇଁ ଜନସଂଖ୍ୟା ଗଣନାର ବର୍ଷକୁ ସରକାର ବଦଳାଇ ଦେଇ ୨୦୧୧ ମସିହା କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାକୁ ତୀବ୍ର ବିରୋଧ କରିଥିଲେ। ଏଥିସହିତ ଆୟୋଗର ସଦସ୍ୟ ଥିବା ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ସ୍ଥାନରେ ଅଜୟ ନାରାୟଣ ଝାଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଏସବୁ କାରଣରୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ ବିଳମ୍ବ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/NK-Singh.jpg)