ବାଙ୍ଗର ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା

କୋଲକାତା: ଭାରତରେ ଆଉ ଏକ ଶିଳ୍ପପତି ପରିବାରରେ ଦେଖାଦେଇଥିବା ବିବାଦ ଆଇନଗତ ଲଢ଼େଇରେ ପରିଣତ ହେବାକୁ ଯାଉଛି। ତିନି ହଜାର କୋଟିର ବ୍ୟାବସାୟିକ ସାମ୍ରାଜ୍ୟକୁ ନେଇ ଶିଳ୍ପପତି ଏସ୍‌. କେ. ବାଙ୍ଗର୍‌ ଏବଂ ତାଙ୍କ ବୋହୂ ନିତ୍ୟାଙ୍କ ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା ତାହା ଥମିବାର ନାଁ ଧରୁନାହିଁ। ଏହି ବିବାଦର ସମାଧାନ ପାଇଁ କୋଲକାତା ଉଚ୍ଚ ନ୍ୟାୟାଳୟ ଜଣେ ମଧ୍ୟସ୍ଥଙ୍କୁ ନିଯୁକ୍ତି ଦେଇଥିଲେ। ସେ ହେଲେ ଅବସରପ୍ରାପ୍ତ ବିଚାରପତି ଆଲୋକ ଚର୍କବର୍ତ୍ତୀ। ତେବେ ମଧ୍ୟସ୍ଥଙ୍କ ପକ୍ଷରୁ ଏ ନେଇ ଅଦାଲତରେ ଏକ ରିପୋର୍ଟ ଦାଖଲ ହୋଇଛି। ସେଥିରେ ମଧ୍ୟସ୍ଥତା ପ୍ରାୟତଃ ବିଫଳ ହୋଇଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବାଙ୍ଗରଙ୍କ ଦୁଇଜଣ ନାତି ବା ବୋହୂ ନିତ୍ୟାଙ୍କର ଦୁଇ ପୁଅ ବାଙ୍ଗରଙ୍କ ବ୍ୟାବସାୟିକ ସାମ୍ରାଜ୍ୟରେ ସେମାନଙ୍କ ଅଂଶ ଦାବି କରୁଛନ୍ତି। ଏ ନେଇ ସେମାନେ ଅଦାଲତରେ ଏକ ଆବେଦନ ମଧ୍ୟ କରିଛନ୍ତି। ୧୨ ଏବଂ ୧୪ ବର୍ଷ ବୟସର ଦୁଇ ନାତି ଏବେ ବୋହୂ ନିତ୍ୟାଙ୍କ ସହିତ ରହୁଛନ୍ତି। ତେବେ କୋଲକତା ଉଚ୍ଚ ନ୍ୟାୟାଳୟର ବିଚାରପତି ସୌମେନ ସେନ୍‌ ଉଭୟପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦେଶ ଦେଇଥିଲେ। ନିତ୍ୟା ହେଉଛନ୍ତି ଏସ୍‌. କେ. ବାଙ୍ଗରଙ୍କ ବଡ଼ପୁଅ ବିରେନ୍ଦ୍ରଙ୍କ ପତ୍ନୀ। ଗତବର୍ଷ ଜୁନ୍‌ରୁ ସେ ପରିବାରଠାରୁ ଅଲଗା ରହୁଛନ୍ତି। କିନ୍ତୁ ସେ ବିବାହ ବିଚ୍ଛେଦ ପାଇଁ ଆବେଦନ ନକରି ବ୍ୟବସାୟ ସାମ୍ରାଜ୍ୟରୁ ତାଙ୍କର ଦୁଇ ପୁଅଙ୍କ ଅଂଶ ମାଗୁଛନ୍ତି। ନିତ୍ୟା ହେଉଛନ୍ତି ଖୈତାନ ପରିବାରର ଝିଅ। ବିବାଦ ସମାଧାନ ପାଇଁ ବାଙ୍ଗର ପରିବାର ମଧ୍ୟରେ ୬ ଥର ବୈଠକ ହୋଇଥିଲେ ମଧ୍ୟ ଏହାର ସମାଧାନ ବାହାରି ପାରିନାହିଁ। ଚଳିତବର୍ଷ ଜାନୁଆରିରେ ମାମଲାର ଆପୋସ ସମାଧାନ କରାଯିବ ବୋଲି ଅଦାଲତକୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ସମୟରେ ଏହି ମାମଲାକୁ ୬୦ ଦିନ ମଧ୍ୟରେ ସମାଧାନ କରିବା ଲାଗି ଅଦାଲତ ମଧ୍ୟସ୍ଥଙ୍କୁ କହିଥିଲେ।

ଏମାନେ ବି ଥିଲେ ଚର୍ଚାରେ
ମୁକେଶ-ଅନିଲ ଅମ୍ବାନି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ମୃତ୍ୟ ପରେ ତାଙ୍କର ଦୁଇ ପୁଅ ମୁକେଶ ଓ ଅନୀଲଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା। ଏହା ଏଭଳି ରୂପ ନେଇଥିଲା ଯାହାଫଳରେ ରିଲାଏନ୍ସ ସାମ୍ରାଜ୍ୟ ଭାଗ ଭାଗ ହୋଇଯାଇଥିଲା। ଅମ୍ବାନି ପରିବାର ବନ୍ଧୁ ତଥା ବ୍ୟାଙ୍କର କେ. ଭି. କାମାଥଙ୍କ ମଧ୍ୟସ୍ଥତାରେ ଧୀରୁଭାଇଙ୍କ ସମ୍ପତ୍ତିକୁ ବାଣ୍ଟି ଦିଆଯାଇଥିଲା। ଏହାପରଠାରୁ ଉଭୟ ମୁକେଶ ଓ ଅନୀଲ ସେମାନଙ୍କ ବ୍ୟବସାୟ ପୃଥକ୍‌ ଭାବେ ସମ୍ଭାଳୁଛନ୍ତି।

 

ସିଂଘାଣିଆ ବାପ-ପୁଅ
ରେମଣ୍ଡର ସହ ପ୍ରତିଷ୍ଠାତା ବିଜୟପତ୍‌ ସିଂଘାଣିଆ ଏବଂ ତାଙ୍କ ପୁଅ ତଥା କମ୍ପାନିର ସିଏମ୍‌ଡି ଗୌତମ ସିଂଘାଣିଆଙ୍କ ମଧ୍ୟରେ ଗତବର୍ଷ ଏକ ବିବାଦ ପଦାକୁ ଆସିଥିଲା। ଅତୀତରେ ବିଜୟପତ୍‌ ପୁଅ ନାମରେ କମ୍ପାନିର ସବୁ ସମ୍ପତ୍ତି ଟେକି ଦେଇଥିଲେ। କିନ୍ତୁ ପରେ କୌଣସି କାରଣରୁ ପୁଅ ଗୌତମ ବାପାଙ୍କୁ ଅଣଦେଖା କରିବା ଅଭିଯୋଗ ବମ୍ବେ ଉଚ୍ଚ ନ୍ୟାୟାଳରେ ନିଜେ ବାପା କରିଥିଲେ। ଏହି ମାମଲାର ଆପୋଷ ସମାଧାନ କରିବାକୁ ନ୍ୟାୟାଳୟ ଉଭୟ ବାପା ଓ ପୁଅକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର