ମୁମ୍ବାଇ: ଧୀରୁଭାଇ ଅମ୍ବାନିଙ୍କ ଦୁଇ ପୁଅ ମୁକେଶ ଓ ଅନିଲ ଅମ୍ବାନି ଏବଂ ରେମଣ୍ଡ୍ର ସିଂଘାଣିଆ ବାପପୁଅଙ୍କ ମଧ୍ୟରେ ସମ୍ପତ୍ତି ବିବାଦକୁ ନେଇ ସାରା ଦେଶରେ ଚର୍ଚା ହୋଇଥିଲା। ଏହି ଦୁଇ ଉଦ୍ୟୋଗୀ ପରିବାରର ବିବାଦ ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ତେବେ ଏହି ବିବାଦ ତାଲିକାରେ ଆଉ ଏକ ଉଦ୍ୟୋଗୀ ପରିବାର ଯୋଡ଼ି ହୋଇଯାଇଛି। ତାହା ହେଉଛି କିର୍ଲୋସ୍କର୍ ପରିବାର। ପୂର୍ବରୁ ଏହି ବିବାଦ ଥିଲା ଓ ମଝିରେ ସମାଧାନ ମଧ୍ୟ ହୋଇଥିଲା। କିନ୍ତୁ ଭିନ୍ନ ଏକ କାରଣ ପାଇଁ ଏହି ବିବାଦ ଏବେ ପୁଣି ଚର୍ଚାର ପରିସରକୁ ଆସିଛି। କିର୍ଲୋସ୍କର ବ୍ରଦର୍ସ ଲିମିଟେଡ (କେବିଏଲ୍)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସଞ୍ଜୟ କିର୍ଲୋସ୍କର ପୁନେସ୍ଥିତ ଦେଓ୍ଵାନୀ ଅଦାଲତରେ ପରିବାରର ଭାଇ ଓ ଅନ୍ୟ ସମ୍ପର୍କୀୟଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି। ପୂର୍ବରୁ ପରିବାରରେ ହୋଇଥିବା ରାଜିନାମାକୁ ଅନ୍ୟମାନେ ମାନୁ ନଥିବାରୁ ସଞ୍ଜୟ ଏହି ମାମଲା ରୁଜୁ କରୁଛନ୍ତି। ଭାଇ ଅତୁଲ, ରାହୁଲ, ସମ୍ପର୍କୀୟ ବିକ୍ରମ ଏବଂ ସ୍ୱର୍ଗତ ଗୌତମ କୁଲକର୍ଣ୍ଣୀଙ୍କ ପରିବାର ସଦସ୍ୟଙ୍କଠାରୁ ୭୫୦ କୋଟି ଟଙ୍କାର କ୍ଷତିପୂରଣ ପାଇବା ନେଇ ସଞ୍ଜୟ ମାମଲା ରୁଜୁ କରିଛନ୍ତି। ପରିବାରର ସଦସ୍ୟମାନେ ସମାନ ଧରଣର ବ୍ୟବସାୟରେ ପ୍ରବେଶ କରି ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଥିବାରୁ ୨୦୦୯ ସେପ୍ଟେମ୍ବରରେ ହୋଇଥିବା ପାରିବାରିକ ବୁଝାମଣାକୁ ଭାଇମାନେ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି। କିଲୋସ୍କର ଗ୍ରୁପ୍ର ବର୍ତ୍ତମାନ ପରିଚାଳକମାନଙ୍କ ଜେଜେବାପା ଶାନ୍ତନୁ ଲକ୍ଷ୍ମଣରାଓ କିର୍ଲୋସ୍କରଙ୍କ ଦ୍ୱାରା ଏହି ଗ୍ରୁପ୍ ପରିଚାଳିତ ହେଉଥିଲା। କେଉଁ ଭାଇ ନିକଟରେ କେଉଁ ବ୍ୟବସାୟ ରହିବ ସେ ନେଇ ଭାଗବାଣ୍ଟ ସରିଥିଲା। ଏଥିସହିତ ଗ୍ରୁପ୍ କମ୍ପାନି ଗୁଡ଼ିକ କେହି କାହାରି ସହିତ ପ୍ରତିଯୋଗିତା ନକରି ପରସ୍ପରର ପରିପୂରକ ହେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିର୍ଲୋସ୍କର ଗ୍ରୁପ୍ର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ୧୯୯୪ ମସିହାରେ ଜେଜେବାପା ଶାନ୍ତନୁଙ୍କ ମୃତ୍ୟୁ ହେବା ପୂର୍ବରୁ ୧୯୮୯ରେ ସେ ଏକ ରାଜିନାମା ପ୍ରସ୍ତୁତ କରି ଯାଇଥିଲେ। ଗ୍ରୁପ୍ କମ୍ପାନିର ଯେଉଁ ଶାଖାକୁ ଯିଏ ପରିଚାଳନା କରୁଛି ତାଙ୍କ ନିକଟରେ ସେହି ଶାଖାର ମାଲିକାନା ରହିବ ବୋଲି ସ୍ଥିର ହୋଇଥିଲା। ଏହାପରେ ୨୦୦୯ରେ ପରିବାର ସଦସ୍ୟଙ୍କ ମଧ୍ୟରେ ଆଉ ଏକ ରାଜିନାମା ହୋଇଥିଲା। ପରବର୍ତ୍ତୀ ପିଢ଼ିର ସଦସ୍ୟଙ୍କ ମଧ୍ୟରେ ଯେଭଳି ମତପାର୍ଥକ୍ୟ ନରହେ ବା ସଂଘର୍ଷ ନଘଟେ ସେଥିପାଇଁ ଏହି ରାଜିନାମା ହୋଇଥିଲା। ଏହି ରାଜିନାମାରେ ପରିବାରର ଅତୁଲ, ରାହୁଲ, ବିକ୍ରମ ଏବଂ ଗୌତମ କୁଲକର୍ଣ୍ଣୀ ପ୍ରମୁଖ ଦସ୍ତଖତ କରିଥିଲେ।
ଏହି ରାଜିନାମାକୁ ସମ୍ମାନ ଜଣାଇ ବିକ୍ରମଙ୍କୁ ସଞ୍ଜୟ ୮୦.୫୦ କୋଟି ଟଙ୍କା ପ୍ରଦାନ କରିଥିଲେ। କମ୍ପାନି କିର୍ଲୋସ୍କର ବ୍ରଦର୍ସ ଇନଭେଷ୍ଟମେଣ୍ଟସ ଲିମିଟେଡର ଶତାଧିକ କୋଟି ଟଙ୍କା ମୂଲ୍ୟର ସେୟାର ସେ ଅତୁଲ, ରାହୁଲ ଏବଂ ଗୌତମ କୁଲକର୍ଣ୍ଣୀଙ୍କୁ ଦାନ କରିଥିଲେ। ଏହି ସେୟାର ଦାନ କରିବା ଫଳରେ କିର୍ଲୋସ୍କର ଅଏଲ୍ ଇଞ୍ଜିନ୍ସ ଲିମିଟେଡ ଏବଂ କିର୍ଲୋସ୍କର ନ୍ୟୁମାଟିକ୍ ଲିମିଟେଡରେ ସଞ୍ଜୟ ତାଙ୍କ ସେୟାରକୁ ଭାଇ ଓ ସମ୍ପର୍କୀୟମାନଙ୍କୁ ଛାଡ଼ି ଦେଇଥିଲେ। କିନ୍ତୁ ଅନ୍ୟ ଭାଇମାନେ ପରିବାରରେ ହୋଇଥିବା ରାଜିନାମାକୁ ମାନିବା ପରିବର୍ତେ ଏହାର ବିରୋଧରେ ଯାଇଛନ୍ତି ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି। କିର୍ଲୋସ୍କର ଅଏଲ୍ ଇଞ୍ଜିନସ ଲିମିଟେଡକୁ ପରିଚାଳନା କରୁଥିବା ତାଙ୍କ ଭାଇ ଓ ସମ୍ପର୍କୀୟମାନେ ‘ବର୍ଷା’ ବ୍ରାଣ୍ଡ୍ରେ ଇଲେକ୍ଟ୍ରିକ୍ ମନୋବ୍ଲକ୍ ଏବଂ ସବମର୍ସିବିଲ୍ ପମ୍ପ୍ ବ୍ୟବସାୟରେ ପ୍ରବେଶ କରିଛନ୍ତି ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବାକୁ ତାରିଖ ଧାର୍ଯ୍ୟ ହୋଇଛି।