ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଆମଦାନୀ ଶୁଳ୍କ ଲଢ଼େଇ ତୀବ୍ର ହୋଇଛି। ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପ ପ୍ରଥମେ ଚୀନ ସହିତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଆମଦାନୀ ଶୁଳ୍କ ଲଗାଇଥିଲେ। ଏହାର ଜବାବରେ ଚୀନ ଆମେରିକାର ଆମଦାନୀ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇଥିଲା। ବେଜିଂର ଏଭଳି ପଦକ୍ଷେପରେ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି। ଚୀନ ଯଦି ୮ ତାରିଖ ସୁଦ୍ଧା ଏହାକୁ ପ୍ରତ୍ୟାହାର ନକରେ ତାହେଲେ ୯ ତାରିଖରୁ ଆମେରିକା ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଟ୍ରମ୍ପ ଧମକ ଦେଇଛନ୍ତି। ଫଳରେ ଚୀନ ଉପରେ ଟ୍ରମ୍ପ ୮୪ ପ୍ରତିଶତ ଭଳି ଉଚ୍ଚମାତ୍ରାର ଆମଦାନୀ ଶୁଳ୍କ ଲାଗିଯିବ।
ଶୁଳ୍କ ଲଢ଼େଇ ଫଳରେ ଅନ୍ତର୍ଜାତୀୟ ସ୍ତରରେ ସେୟାର ବଜାରଠାରୁ ଆରମ୍ଭ କରି ବିଭିନ୍ନ ଧାତବ ସାମଗ୍ରୀର ମୂଲ୍ୟ, ଅଶୋଧିତ ତେଲ ଆଦିର ଦର କମିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମୁଥିବାରୁ ରୁଷ୍ର ଚିନ୍ତା ବଢ଼ିଯାଇଛି। କାରଣ ଋଷ୍ ଅର୍ଥନୀତି ମୁଖ୍ୟତଃ ତେଲ, ଖଣିଜ ସାମଗ୍ରୀ ଆଦି ଉପରେ ଅଧିକ ନିର୍ଭରଶୀଳ । ରୁଷ୍ ତେଲ ଉରାଲ୍ର ଦର ବ୍ୟାରେଲ ପିଛା ୫୦ ଡଲାର ସ୍ତରକୁ ଖସିଛି। ବ୍ରେଣ୍ଟ୍ କ୍ରୁଡ୍ ଦର ୬୪ ଡଲାରକୁ ଏବଂ ଡବ୍ଲୁଟିଆଇ ଦର ୬୦ ଡଲାରକୁ କମିଯାଇଛି।
ଅନ୍ୟପକ୍ଷରେ ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ଟ୍ରୁଥ୍ରେ କହିଛନ୍ତି ବିଶ୍ବରେ ତେଲ, ଖାଦ୍ୟ ସାମଗ୍ରୀ ଦାମ ହ୍ରାସ ପାଉଛି। ତେଣୁ କୌଣସି ମୁଦ୍ରାସ୍ଫୀତି ନାହିଁ। ଦୀର୍ଘଦିନ ହେଲା ଦୁରୁପଯୋଗ ହୋଇ ଆସୁଥିବା ଆମେରିକାକୁ ବିଲିଅନ ବିଲିଅନ ଡଲାରର ନିବେଶ ଦୁରୁପଯୋଗ କରୁଥିବା ଦେଶଗୁଡ଼ିକଠାରୁ ଆଗାମୀ ଦିନରେ ମିଳିବ ବୋଲି ସେ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକାକୁ ସବୁଠୁ ଅଧିକ ଦୁରୁପଯୋଗ ଚୀନ କରୁଛି।