ଇଣ୍ଡିଗୋ ମାଲିକଙ୍କ ଝଗଡ଼ା ବଢ଼ିଲା, ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ

ନୂଆଦିଲ୍ଲୀ: ଇଣ୍ଡିଗୋର ଦୁଇ ପ୍ରତିଷ୍ଠାତାଙ୍କ ରାହୁଲ ଭାଟିଆ ଓ ରାକେଶ ଗଙ୍ଗୱାଲ୍‌ଙ୍କ ଭିତରେ ଚାଲିଥିବା ଝଗଡ଼ା ଆହୁରି ବଢ଼ିଯାଇଛି। ଏହି ଝଗଡ଼ା ଇଣ୍ଡିଗୋର ପରିଚାଳନାକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି। ଯଦି ଶୀଘ୍ର ଝଗଡ଼ାର ସମାଧାନ ନହେବ ତେବେ ଇଣ୍ଡିଗୋ ବନ୍ଦ ମଧ୍ୟ ହୋଇଯାଇପାରେ ବୋଲି କୁହାଯାଉଛି। ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।କଂପାନିର ପରିଚାଳନାକୁ ନେଇ ଯେଉଁ ନିୟମ ରହିଛି ସେଥିରେ ପରିବର୍ତ୍ତନ ଆଣିବା ନେଇ ଦୁଇ ମାଲିକଙ୍କ ଭିତରେ ଝଗଡ଼ା ଚାଲିଛି। ସେହି ନିୟମ ଜରିଆରେ ଅଧ୍ୟକ୍ଷ, ସିଇଓ ଓ ଅନ୍ୟ ବରି‌ଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାର ଅଧିକାର ମଧ୍ୟ ରହିଛି। ଯଦି ସେମାନଙ୍କୁ ଠିକ୍ ସମୟରେ ନିଯୁକ୍ତି ଦିଆଯାଇନପାରିବ ତେବେ କଂପାନିର ପରିଚାଳନା ବ୍ୟବସ୍ଥା ଠପ୍ ହୋଇଯିବ।

ଇଣ୍ଡିଗୋର ସହ-ପ୍ରତିଷ୍ଠାତା ରାହୁଲ ଭାରତରେ ରହୁଥିବା ବେଳେ ତାଙ୍କ କଂପାନି ଅଧୀନରେ ଇଣ୍ଡିଗୋ ପରିଚାଳିତ ହେଉଛି। ଇଣ୍ଡିଗୋକୁ ନେଇ ରାହୁଲଙ୍କ ପାଖରେ ଅଖଣ୍ଡ କ୍ଷମତା ଥିବା କୁହାଯାଉଛି। କଂପାନିର ଛଅ ଜଣିଆ ବୋର୍ଡରେ ରାହୁଲଙ୍କ ମନୋନୀତ ତିନି ଜଣ ସଦସ୍ୟ ଥିବା ବେଳେ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଏମ୍‌ଡି, ସିଇଓ ଓ ସଭାପତି ଭାବେ ନିଯୁକ୍ତି ଦିଆଯାଉଛି। ନିଜ ପାଖରେ ଥିବା କ୍ଷମତାକୁ ରାହୁଲ ଅପବ୍ୟବହାର କରୁଛନ୍ତି ବୋଲି କଂପାନିର ଅନ୍ୟତମ ସହ-ପ୍ରତିଷ୍ଠାତା ରାକେଶ ଗଙ୍ଗୱାଲ ଅଭିଯୋଗ କରିଛନ୍ତି। କଂପାନିର ଦୁଇ ପ୍ରତିଷ୍ଠାତାଙ୍କ ମଧ୍ୟରେ ଲାଗିରହିଥିବା ଝଗଡ଼ା ଗତ ଜୁନ୍ ୮ରେ ସାର୍ବଜନୀନ ହୋଇଥିଲା। ସେହଦିନ ରାକେଶ ସେବି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ଇଣ୍ଡିଗୋରେ କର୍ପୋରେଟ ଗଭର୍ଣ୍ଣାସ ନିୟମ ପାଳନ କରାଯାଉନାହିଁ ବୋଲି ଅଭିଯୋଗ କରିଥିଲେ। କଂପାନି ପରିଚାଳନାରେ ଯେଉଁ ସବୁ ତ୍ରୁଟି ରହିଛି ତାହାକୁ ନସୁଧାରିଲେ ଚୂଡ଼ାନ୍ତ ଫଳାଫଳ ଦୁର୍ଭାଗ୍ୟପୂର୍ଣ୍ଣ ହୋଇପାରେ ବୋଲି ରାକେଶ ଜଣାଇଥିଲେ।

ଇଣ୍ଡିଗୋ ପରିଚାଳନାର ତଦନ୍ତ କରିବା ପାଇଁ ରାକେଶ ସେବିର ହସ୍ତକ୍ଷେପ ଲୋଡ଼ିଥିଲେ। ରାକେଶ କରିଥିବା ଅଭିଯୋଗକୁ ରାହୁଲ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ‌ଯେକୌଣସି ସରକାରୀ ଏଜେନ୍ସି ଦ୍ବାରା ଇଣ୍ଡିଗୋର ହିସାବ ଖାତା ଯାଞ୍ଚ କରାଇବା ପାଇଁ ରାହୁଲ ପ୍ରସ୍ତୁତ ଥିବା ଜଣାପଡ଼ିଛି। ତାଙ୍କ ମତରେ କଂପାନି ବହୁତ ଭଲ ଭାବେ ପରିଚାଳିତ ହେଉଛି। ଏହାର କାର୍ଯ୍ୟଶୈଳୀରେ କୌଣସି ପ୍ରକାରରେ ନିକୃଷ୍ଠ ମାନର ନୁହେଁ ବୋଲି ରାହୁଲ କହିଛନ୍ତି। କଂପାନି ପରିଚାଳନାକୁ ନେଇ ଯେଉଁ ନିୟମ ରହିଛି ସେଥିରେ କୌଣସି ପରିବର୍ତ୍ତନ କରିବାକୁ ରାହୁଲ ଚାହୁନାହାନ୍ତି। ଇଣ୍ଡିଗୋରେ ରାକେଶଙ୍କ ୩୭%, ରାହୁଲଙ୍କ ୩୮% ଅଂଶଧନ ରହିଥିବା ବେଳେ ବଳକା ଅଂଶଧନ ଅନ୍ୟମାନଙ୍କ ପାଖରେ ରହିଛି। ଉଭୟ ରାହୁଲ ଓ ରାକେଶଙ୍କ ପାଖରେ ସମାନ ପରିମାଣର କ୍ଷମତା ରହିଛି।

ସମ୍ବନ୍ଧିତ ଖବର