ଇଣ୍ଡିଗୋ ମାଲିକଙ୍କ ଭିତରେ ଝଗଡ଼ା, କ’ଣ ପାଇଁ ଝଗଡ଼ା

ମୁମ୍ବାଇ: ନରେଶ ଗୋୟଲ୍‌ଙ୍କ ବିମାନ କଂପାନି ଜେଟ୍‌ ଏୟାରୱେଜ୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଛି। ବିମାନ ଶିଳ୍ପ ସେହି ଝଟ୍‌କାରୁ ବାହାରିପାରିନଥିବା ବେଳେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦେଶର ସବୁଠୁ ସଫଳ ବିମାନ କଂପାନି ଇଣ୍ଡିଗୋ‌ର ଦୁଇ ପ୍ରତିଷ୍ଠାତାଙ୍କ ଭିତରେ ବଡ଼ ଧରଣର ଝଗଡ଼ା ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି। ଦୁଇ ଜଣଙ୍କ ଭିତରେ ଦେଖାଦେଇଥିବା ମତଭେଦ ଦୂର ନହେଲେ ଇଣ୍ଡିଗୋର କାରବାର ପ୍ରଭାବିତ ହେବ ବୋଲି କୁହାଯାଉଛି।

ଇଣ୍ଡିଗୋର ଦୁଇ ପ୍ରତିଷ୍ଠାତା ହେଉଛନ୍ତି ରାହୁଲ ଭାଟିଆ ଓ ‌ରାକେଶ ଗଙ୍ଗୱାଲ୍। କଂପାନି ପାଇଁ ରଖାଯାଇଥିବା ଅଭିଳାଷ ଓ ରଣନୀତିକୁ ଦେଇ ଏହି ଦୁଇ ଜଣଙ୍କ ଭିତରେ ମତ‌ଭେଦ ଆରମ୍ଭ ହୋଇଛି। ଅଂଶଧନକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଚୁକ୍ତିରେ ଥିବା ଏକ ଧାରାକୁ ନେଇ ଦୁହେଁ ମୁହାଁମୁହିଁ ହୋଇଛନ୍ତି। ତେବେ ଝଗଡ଼ାକୁ ଶୀଘ୍ର ଶେଷ କରିବାକୁ ଉଭୟ ପକ୍ଷ ଜୋରଦାର ଉଦ୍ୟମ କରୁଛନ୍ତି। ଗତ କିଛି ସପ୍ତାହ ହେଲାଣି ଉଭୟ ଭାଟିଆ ଓ ରା‌କେଶଙ୍କ ଭିତରେ ତୁ ତୁ ମେଁ ମେଁ ଚାଲିଛି। ତେବେ ଜଣେ ବି ପ୍ରତିଷ୍ଠାତା ଆଇନର ସହାୟତା ନେବା ପାଇଁ ଆଗ୍ରହ ଦେଖାଇ ନାହାନ୍ତି। ଅନ୍ୟ ଉପାୟରେ ସମସ୍ୟାର ସମାଧାନ କରିବାର ବାଟ ଖୋଜୁଛନ୍ତି। ଆଇନ ସଂସ୍ଥା ଖୈତାନ ଆଣ୍ଡ୍‌ କୋ ଏବଂ ଜେ ସାଗର ଆସୋସିଏଟସ୍‌ ଦୁଇ ପ୍ରତିଷ୍ଠାତାଙ୍କ ଭିତରେ ଦେଖାଦେଇଥିବା ଝଗଡ଼ାର ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ଇଣ୍ଡିଗୋରେ ରାହୁଲ ଭାଟିଆଙ୍କ ପରିବାରର ୩୮.୨୬% ଅଂଶଧନ ଥିବା ବେଳେ ରାକେଶଙ୍କ ପରିବାରର ୩୬.୬୯% ଅଂଶଧନ ରହିଛି। ଭାରତରେ ବିମାନ ଯାତ୍ରା କରୁଥିବା ମୋଟ ଯାତ୍ରୀଙ୍କ ମଧ୍ୟରୁ ୪୭% ଯାତ୍ରୀ ଇଣ୍ଡିଗୋରେ ଯାତ୍ରା କରୁଛନ୍ତି। ଏହା ପାଖରେ ୨୨୫ଟି ବିମାନ ରହିଛି। ଏହି ସବୁ ବିମାନ ଦୈନିକ ୧୦୦୦ ଥର ଆକାଶରେ ଉଡ଼ୁଛି। ଇଣ୍ଡିଗୋ ପକ୍ଷରୁ ଦେଶର ୫୪ଟି ସ୍ଥାନ ଓ ବିଦେଶର ୧୭ଟି ସ୍ଥାନକୁ ବିମାନ ସେବା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର