ମୁମ୍ବାଇ: ଦରଦାମ୍ ସ୍ଥିତିର ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଯେଉଁ ଲଢ଼େଇ ଆରମ୍ଭ କରିଥିଲା ତାହାକୁ ଜାରି ରଖିଛି। ଆଜି ମୁଦ୍ରାନୀତି ସମୀକ୍ଷା ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧରେ ୦.୫% ହ୍ରାସ କରିଛନ୍ତି ଯାହା ଆଶା ଠାରୁ ସାମାନ୍ୟ ଅଧିକ। କିଛିଦିନ ପୂର୍ବେ ସେ ଅଚାନକ ସୁଧରେ ୦.୪% ହ୍ରାସ କରିଥିଲେ। ତା’ପରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଜୁନ୍‌ରେ ପୁଣି ସୁଧ ବଢ଼ିବ। ଏଥର ସୁଧ ବଢ଼ିବା ପରେ ରେପୋ ହାର ୪.୯୦%କୁ ବୃଦ୍ଧି ପାଇଛି। ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି (ଏସ୍‌ଟିଏଫ୍) ଓ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି (ଏମ୍ଏସ୍‌ଏଫ୍‌) ହାର ୦.୫% ବୃଦ୍ଧି ପାଇ ଯଥାକ୍ରମେ ୪.୬୫% ଓ ୫.୧୫% ହୋଇଛି।

Advertisment

ପାଞ୍ଚ ସପ୍ତାହ ଭିତରେ ଦ୍ବିତୀୟ ଥର ପାଇଁ ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇଥିବାରୁ ଋଣ ନେଇଥିବା ଓ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ଉପରେ ତାହାର ପ୍ରଭାବ ପଡ଼ିବ। ଯେଉଁମାନେ ଋଣ ନେଇଛନ୍ତି ସେମାନଙ୍କ ମାସିକ କିସ୍ତି ବା ଇଏମ୍‌ଆଇରେ ବୃଦ୍ଧି ହେବ। ନୂତନ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କୁ ଅଧିକ ସୁଧ ଗଣିବାକୁ ପଡ଼ିବ। ବିଶେଷ କରି ଗୃହ, ଗାଡ଼ି ଓ ବ୍ୟକ୍ତିଗତ ଋଣ ନେଇଥିବା ଓ ନେବାକୁ ଚାହୁଥିବା ଗ୍ରାହକମାନେ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ଯୋଗୁଁ ପ୍ରଭାବିତ ହେବେ। ୟୁକ୍ରେନ୍-ରୁଷ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ବିଭିନ୍ନ ସାମଗ୍ରୀ ମହଙ୍ଗା ରହିଥିବାରୁ ଭାରତରେ ମୁଦ୍ରାସ୍ଫୀତି ଅଧିକ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି। ସେଥିପାଇଁ ମୁଦ୍ରାସ୍ଫୀତି ଆକଳନକୁ ଏହା ୫.୭%ରୁ ବଢ଼ାଇ ୬.୭% କରିଛି। ମୁଦ୍ରାସ୍ଫୀତି ସମ୍ପର୍କରେ ସେ କହିଛନ୍ତି ଯେ ନିକଟରେ ଟମାଟୋ ଓ ଅଶୋଧିତ ତେଲ ଦାମ୍‌ରେ ହୋଇଥିବା ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବଢ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ୬%ରୁ ଅଧିକ ରହିବ। ତାହାକୁ କିଭଳି ଆହୁରି କମ୍ କରିବାକୁ ଆମେ କାମ କରୁଛୁ ବୋଲି ଶକ୍ତିକାନ୍ତ କହିଛନ୍ତି। ଦରଦାମ୍ ସ୍ଥିତି ବିଷୟରେ ସରକାର ଭଲ ଭାବେ ଅବଗତ ଅଛନ୍ତି। ଯୋଗାଣ କ୍ଷେତ୍ରରେ ସରକାର ଆଉ କିଛି ପଦକ୍ଷେପ ନେଇପାରିବେ ବୋଲି ସେ କହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ଆକଳନକୁ ରିଜର୍ଭ ବ୍ୟାଙ୍କ ୭.୨%ରେ ଅପରିବର୍ତ୍ତିତ ରଖିଛି।

ସୁଧ ୦.୫% ବଢ଼ାଇଲା ରିଜର୍ଭ ବ୍ୟାଙ୍କ
ମୁଦ୍ରାସ୍ଫୀତି ଆହୁରି ବଢ଼ିବ
ଦରଦାମ୍ ସ୍ଥିତିକୁ ସରକାର ଅବଗତ: ଗଭର୍ଣ୍ଣର

ତେଲରୁ ରାଜ୍ୟ ଟିକସ କମାନ୍ତୁ: ଶକ୍ତିକାନ୍ତ
ନୂଆଦିଲ୍ଲୀ: ତେଲରୁ ରାଜ୍ୟଗୁଡ଼ିକ ଟିକସ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଯେଉଁ ଆହ୍ବାନ ଦେଇଥିଲେ ତାହାକୁ ସମର୍ଥନ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରାଜ୍ୟ ଟିକସ କମାଇଲେ ଦରଦାମ୍ ବିରୋଧରେ ଯେଉଁ ଲଢ଼େଇ ଚାଲିଛି ତାହାକୁ ବଳ ମିଳିବ। ଦରଦାମ୍ ଆହୁରି ହ୍ରାସ ହେବାରେ ତାହା ସହାୟକ ହେବ ବୋଲି ସେ କହିଛନ୍ତି। ତେଲରୁ ଟିକସ ହ୍ରାସ ପରେ ଦରଦାମ୍ ସ୍ଥିତି ଉପରେ ତାହାର କ’ଣ ପ୍ରଭାବ ପଡ଼ିଲା ତାହା ଜାଣିବା ଲାଗି ସହରାଞ୍ଚଳରେ ଏକ ସର୍ଭେ କରାଯାଇଥିଲା। ଦରଦାମ୍ ସ୍ଥିତିରେ ସୁଧାର ହୋଇଥିବା ଉକ୍ତ ସର୍ବେକ୍ଷଣରୁ ଜଣାପଡ଼ିଛି। ଯଦି ରାଜ୍ୟଗୁଡ଼ିକ ଭାଟ୍‌ କମ୍ କରିବେ ତେବେ ସ୍ଥିତିରେ ଆହୁରି ସୁଧାର ହୋଇପାରିବ ବୋଲି ଶକ୍ତିକାନ୍ତ କହିଛନ୍ତି। ମେ’ ୨୧ରେ ସରକାର ପେଟ୍ରୋଲ୍‌ରୁ ୮ ଟଙ୍କା ଓ ଡିଜେଲ୍‌ରୁ ୬ ଟଙ୍କାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଗତବର୍ଷ ନଭେମ୍ବରରେ ମଧ୍ୟ ଉଭୟ ତେଲରୁ ଟିକସ ହ୍ରାସ କରାଯାଇଥିଲା। ସେହି ସମୟରେ ୭ଟି ରାଜ୍ୟକୁ ବାଦ ଦେଇ ଅନ୍ୟ ସବୁ ରାଜ୍ୟ ନିଜ ଆଡ଼ୁ ଭାଟ୍‌ ହ୍ରାସ କରିଥିଲେ। କିନ୍ତୁ ଏଥର ଟିକସ କମ୍ କରିବାକୁ କୌଣସି ରାଜ୍ୟ ରାଜି ହୋଇନାହାନ୍ତି। ମହାରାଷ୍ଟ୍ର, ଆନ୍ଧ୍ରପ୍ର‌ଦେଶ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଝାଡ଼ଖଣ୍ଡ ଭେଲରୁ ଭାଟ୍ ହ୍ରାସ କରୁନାହାନ୍ତି।