୨ଜି ମୁକ୍ତ ଭାରତକୁ ନେଇ ଲଢ଼େଇ, ମୁକେଶଙ୍କ ପ୍ରସ୍ତାବକୁ ଭୋଡାଫୋନ୍‌ ଆଇଡିଆ ମୁଖ୍ୟଙ୍କ ପ୍ରତ୍ୟାଖ୍ୟାନ

ଏୟାରଟେଲ୍‌ ମଧ୍ୟ ୨ଜି ସେବା ବନ୍ଦ କରିବନି

‌କୋଲକାତା: ସ୍ମାର୍ଟଫୋନ୍ ଯୁଗରେ ୨ଜି ମୋବାଇଲ୍‌ ସେବାର ଭବିଷ୍ୟତ କ’ଣ? ଏହାକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି।ଦେଶର ଦୁଇ ପ୍ରମୁଖ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆର ମୁଖ୍ୟ ୨ଜି ସେବାର ଭବିଷ୍ୟତକୁ ନେଇ ଭିନ୍ନ ମତ ଦେଇଛନ୍ତି। ଜିଓର ମୁଖ୍ୟ ମୁକେଶ ଅମ୍ବାନିଙ୍କ ମତରେ ୨ଜି ସେବା ଦେଶର ବିକାଶରେ ବାଧକ। ଏହା ଜାରି ରହିଥିବାରୁ ଅନେକ ଲୋକ ମୌଳିକ ଇଣ୍ଟରନେଟ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ୨ଜି ‌ସେବା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେ ଆହ୍ବାନ ଦେଇଛନ୍ତି। ‌ତାଙ୍କର ସେହି ପ୍ରସ୍ତାବ ଉପରେ ଭୋଡାଫୋନ୍ ଆଇଡିଆର ମୁଖ୍ୟ ରବିନ୍ଦର ଟକ୍କର ମତ ରଖିଛନ୍ତି। ୨ଜି ମୁକ୍ତ ଭାରତ ଲାଗି ମୁକେଶ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ସେ ପ୍ରତ୍ୟାଖାନ କରିଛନ୍ତି। ଏହା ବଜାରକୁ ସମ୍ପୂର୍ଣ୍ଣ ଭୁଲ ବାର୍ତା ଦେଉଛି ବୋଲି ସେ କହିଛନ୍ତି। ରବିନ୍ଦର କହିଛନ୍ତି, ୨ଜି ହେଉଛି ମୋବାଇଲ୍‌ ପ୍ରଯୁକ୍ତି ପରମ୍ପରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଗ୍ରାହକଙ୍କ ପାଇଁ ଏହା ଏକ ପ୍ରଭାବଶାଳୀ ଓ ଭଲ ସେବାର ବିକଳ୍ପ ହୋଇପାରିଛି। ଯେଉଁ ଗ୍ରାହକମାନେ ତରବରିଆ ଭାବେ ସ୍ମାର୍ଟଫୋନ୍‌ ବ୍ୟବହାର କରିବାକୁ ଚାହୁନାହାନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ବୋଲି ସେ କହିଛନ୍ତି। ବିଶ୍ବର ଅନ୍ୟ ବହୁ ଦେଶ ଭଳି ଭାରତରେ ମଧ୍ୟ ୨ଜି ସେବା ଜାରି ରହିବ। ଏହା ଏତେ ଶୀଘ୍ର ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି।

ବିଶେଷ କରି ବୟସ୍କ ବ୍ୟକ୍ତି ଯେଉଁମାନେ ସ୍ମାର୍ଟଫୋନ ଦରକାର କରୁନାହାନ୍ତି ସେମାନଙ୍କ ପାଇଁ ଫିଚର ଫୋନ୍ ଜରୁରୀ। ବିଶ୍ବର କେତେକ ଦେଶରେ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ସେଠାରେ ମଧ୍ୟ ଏବେବି ୧୫% ଗ୍ରାହକ ୨ଜି ସେବା ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି। ୨ଜି ସେବା ବନ୍ଦ କରିବା ଲାଗି ନୀତି ନିୟମରେ ପରିବର୍ତ୍ତନ ଆଣିବା ଲାଗି ଦୁଇ ସପ୍ତାହ ପୂର୍ବେ ମୁକେଶ ଦେଶର ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରସ୍ତାବ ଦେଇଥିଲେ। ଯଦି ସରକାର ସେହି ପ୍ରସ୍ତାବକୁ ଗ୍ରହଣ କରିବେ ତେବେ ଭୋଡାଫୋନ୍ ଆଇଡିଆ ଓ ଭାରତୀ ଏୟାରଟେଲ୍ ସର୍ବାଧିକ ପ୍ରଭାବିତ ହେବେ। କାରଣ ସେମାନଙ୍କ ପାଖରେ ଏବେବି ୩୦ କୋଟି ଫିଚର ଫୋନ୍ ବ୍ୟବହାର କରୁଥିବା ଗ୍ରାହକ ଅଛନ୍ତି। ଏହି ଗ୍ରାହକମାନେ ଏବେ ଦୁଇ କଂପାନିର ରାଜସ୍ବ ଉତ୍ସର ମୁଖ୍ୟ ସ୍ରୋତ ପାଲଟିଛନ୍ତି। ଗତ ମାସରେ ଭାରତୀ ଏୟାରଟେଲ୍‌ର ସିଇଓ ଗୋପାଳ ଭିଟ୍ଟଲ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ୨ଜି ସେବା ବନ୍ଦ କରିବା ଲାଗି କଂପାନିର କୌଣସି ଯୋଜନା ନାହିଁ।

ସମ୍ବନ୍ଧିତ ଖବର