ନୂଆଦିଲ୍ଲୀ: ଶହେ ବର୍ଷରୁ ଅଧିକ ପୁରୁଣା ବ୍ୟବସାୟ ସାମ୍ରାଜ୍ୟର ମାଲିକ ଥିବା ହିନ୍ଦୁଜା ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା ଆରମ୍ଭ ହୋଇଛି। ବ୍ରିଟେନ୍ରେ ବସବାସ କରୁଥିବା ହିନ୍ଦୁଜା ପରିବାରରେ ଅଜା ଓ ନାତି ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ନିଜ ୮୫ ବର୍ଷୀୟ ଅଜା ଏସ୍ପି ହିନ୍ଦୁଜାଙ୍କ ଠାରୁ ତାଙ୍କ ନାତି କରମ ହିନ୍ଦୁଜା ସମ୍ପତ୍ତିରେ ଭାଗ ଦାବି କରିଛନ୍ତି। ଏହାକୁ ହିନ୍ଦୁଜା ପରିବାରର ସଦସ୍ୟମାନେ ସହଜରେ ବିଶ୍ବାସ କରିପାରୁନାହାନ୍ତି। କାରଣ ଏହି ପରିବାରର ଏକ ବିଶ୍ବାସ ରହିଛି ଯେ ‘ଯାହା କିଛି ସମ୍ପତ୍ତି ଅଛି ତାହା କାହାର ନୁହେଁ ଓ ଯାହା ଅଛି ସେଥିରେ ସମସ୍ତଙ୍କର ସମାନ ଭାଗ ଅଛି’। ପରିବାରର ଏହି ଦୃଢ଼ ଭାବନା ପ୍ରତି ବିପଦ ସୃଷ୍ଟି କରିଛି କରମଙ୍କ ଦାବି। କରମ, ତାଙ୍କ ଭଉଣୀ ଓ ମା’ ସମ୍ପତ୍ତିରେ ଭାଗ ଦାବି କରୁଛନ୍ତି।
ଏବେ ହିନ୍ଦୁଜା ଗ୍ରୁପ୍ ଚାରି ଭାଇ ଏସ୍ପି, ଗୋପିଚାନ୍ଦ, ପ୍ରକାଶ ଓ ଅଶୋକ ହିନ୍ଦୁଜାଙ୍କ ଦ୍ବାରା ପରିଚାଳିତ ହେଉଛି। ଚାରି ଭାଇ କେହି କାହାଠାରୁ ଅଲଗା ହେବ ନାହିଁ କିମ୍ବା ସମ୍ପତ୍ତି ଭାଗ କରିବେ ନାହିଁ ବୋଲି ୨୦୧୪ରେ ଏକ ଚୁକ୍ତି କରିଥିଲେ। ଏହି ଚୁକ୍ତିକୁ ଏସ୍ପି ହିନ୍ଦୁଜାଙ୍କ ଦୁଇ ଝିଅ ସାନୁ ଓ ବିନୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି। ଏହି ସହିତ ସେ ନିଜ ବାପାଙ୍କ ସମ୍ପତ୍ତିରେ ନିଜ ଭାଗ ଦାବି କରିଛନ୍ତି। ବ୍ରିଟେନ୍ ଓ ସ୍ବିଜରଲ୍ୟାଣ୍ଡ୍ର କୋର୍ଟରେ ଏନେଇ ମାମଲା ବିଚାରଧୀନ ରହିଛି। ହିନ୍ଦୁଜା ବ୍ୟାଙ୍କର ମାଲିକାନା ହାସଲ କରିବା ଲାଗି ଏସ୍ପିଙ୍କ ଦୁଇ ଝିଅ ଉଦ୍ୟମ କରୁଛନ୍ତି। ସାନୁଙ୍କ ପୁଅ କରମ ବ୍ୟାଙ୍କର ନାମକୁ ବଦଳାଇ ‘ଏସପି ହିନ୍ଦୁଜା ବାଙ୍କ୍ୟୁ ପ୍ରାଇଭି’ ରଖିଛନ୍ତି। କିନ୍ତୁ ହିନ୍ଦୁଜା ଗ୍ରୁପ୍ ୱେବସାଇଟ୍ରେ ସେହି ନାମକୁ ଗ୍ରହଣ କରାଯାଇଛି। ପୂର୍ବ ଭଳି ତାହାର ନାମ ହିନ୍ଦୁଜା ବ୍ୟାଙ୍କ ରହିଛି।
୧୯୧୪ରେ ପ୍ରେମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ବାରା ହିନ୍ଦୁଜା ଗ୍ରୁପ୍ ପ୍ରତିଷ୍ଠା ହୋଇଥିଲା। କଂପାନି ପକ୍ଷରୁ ୧୯୭୮ରେ ହିନ୍ଦୁଜା ବ୍ୟାଙ୍କ ସ୍ଥାପନ କରାଯାଇଥିଲା। ୧୯୯୪ରେ ତାହାକୁ ସ୍ବିସ୍ ବ୍ୟାଙ୍କ ଲାଇସେନ୍ସ ମିଳିଥିଲା। ୧୯୭୯ରେ କଂପାନି ଏହାର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନକୁ ସ୍ଥାନାନ୍ତର କରିଥିଲା। ହିନ୍ଦୁଜା ଗ୍ରୁପ୍ ଅଧୀନରେ ଗଲ୍ଫ ଅଏଲ୍, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଅଶୋକ ଲେଲ୍ୟାଣ୍ଡ୍ ଭଳି ଡଜନେରୁ ଅଧିକ କଂପାନି ରହିଛି। ଏହି ଗ୍ରୁପ୍ର କାରବାର ୩୮ଟି ଦେଶର ଥିବା ବେଳେ ଏହା ବ୍ୟାଙ୍କ, ଟ୍ରକ୍ ତିଆରି, ରାସାୟନିକ ପଦାର୍ଥ, ବିଦ୍ୟୁତ ଶକ୍ତି, ଗଣମାଧ୍ୟମ ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି ପରିବାର ହେଉଛି ବ୍ରିଟେନ୍ର ଅନ୍ୟତମ ଧନୀ ପରିବାର।