ଟିକା ନିର୍ମାତାଙ୍କ ଲଢ଼େଇ: ଆଷ୍ଟ୍ରାଜେନେକା ସ୍ବେଚ୍ଛାସେବୀଙ୍କୁ ପାରାସିଟାମଲ୍ ଦେଇଛି: ଭାରତ ବାୟୋଟେକ୍‌

କୋଭାକ୍ସିନ୍ ପାଣି ଭଳି ସୁରକ୍ଷିତ: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଲୋକମାନଙ୍କୁ କରୋନା ୨୦୨୦ରେ ଭୟଭୀତ କରି ରଖିଥିଲା। ୨୦୨୧ରେ ଟିକା ନେଇ ସମ୍ଭାବନା ସୃଷ୍ଟି ହେବା ସହ ଲୋକମାନେ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ ଏହି ସମୟରେ ଦେଶର ଦୁଇ ପ୍ରମୁଖ ଟିକା ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଓ ଭାରତ ବାୟୋଟେକ୍‌ର ମୁଖ୍ୟଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଏବଂ ଆରୋପ ପ୍ରତ୍ୟାରୋପ ଲୋକମାନଙ୍କୁ ବିସ୍ମିତ କରିଛି। ଟିକା ବଜାରରେ ପତିଆରା ଜାହିର କରିବା ଲାଗି କଂପାନିଗୁଡ଼ିକ ମଧ୍ୟରେ କିଭଳି ପ୍ରତିଯୋଗିତା ଚାଲିଛି ତାହାର ଏହା ହେଉଛି ଏକ ଜ୍ବଳନ୍ତ ଉଦାହରଣ।

ଜାନୁଆରି ୩ରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ ଅଦାର ପୁନାୱାଲା ଏକ ସାକ୍ଷାତକାରରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଏହି ଲଢ଼େଇର ମଞ୍ଜି ବୁଣିଥିଲେ। ସେ କହିଥିଲେ ଯେ କେବଳ ଫାଇଜର୍‌, ମଡର୍ଣ୍ଣା ଓ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ବିକଶିତ କରିଥିବା ଟିକା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ଓ ଅନ୍ୟମାନେ ଯେଉଁ ଟିକା ତିଆରି କରିଛନ୍ତି ତାହାକୁ ସେ ପାଣି ସହ ତୁଳନା କରିଥିଲେ। ଭାରତରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ତିଆରି କରୁଛି। ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ କ୍ରିଷ୍ଣା ଇଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌ ମୁଖ୍ୟଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ପାର୍ଶ୍ବ ପ୍ରତିକ୍ରିୟାକୁ ଲୁଚାଇବା ଲାଗି ଆ‌ଷ୍ଟ୍ରାଜେନେକା ତରଫରୁ ସ୍ବେଚ୍ଛାସେବୀମାନଙ୍କୁ ପାରାସିଟାମଲ୍‌ ଦିଆଯାଇଥିଲା। ସେ କହିଛନ୍ତି ଯେ ଜଣେ ବୈଜ୍ଞାନିକ ଭାବେ ଏହା ଅତ୍ୟନ୍ତ ଦୁଃଖଦାୟକ। ଆମେ ୨୪ ଘଣ୍ଟା କାର୍ଯ୍ୟ କରୁଥିଲୁ। ଆମକୁ କ’ଣ ଏଭଳି ସମାଲୋଚନା କରାଯିବା ଉଚିତ? ଭାରତ ବାୟୋଟେକ୍‌ର ସମସ୍ତ ପରୀକ୍ଷଣର ନିର୍ଯ୍ୟାସକୁ ବିଭିନ୍ନ ଜର୍ଣାଲ୍‌ରେ ପ୍ରକାଶ କରାଯାଇଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ କୋଭାକ୍ସିନ୍‌ର ପାର୍ଶ୍ବ ପ୍ରତିକ୍ରିୟା ସମ୍ଭାବନା ମାତ୍ର ୧୫ ପ୍ରତିଶତ। ସେହି ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ପାର୍ଶ୍ବ ପ୍ରତିକ୍ରିୟା ସମ୍ଭାବନା ୬୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ପାର୍ଶ୍ବ ପ୍ରତିକ୍ରିୟାକୁ କମ୍ ରଖିବା ଲାଗି ପାରାସିଟାମଲ୍‌ ଦେବା ସତ୍ତ୍ବେ ଏହି ହାର ଏଭଳି ଉଚ୍ଚ ସ୍ତରରେ ରହୁଛି। ଆମେ ଆମ ସ୍ବେଚ୍ଛାସେବୀଙ୍କୁ କୌଣସି ପାରାସିଟାମଲ୍ ଦେଇନାହୁଁ ବୋଲି ସେ ଦାବି କରିଛନ୍ତି।

ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ‌ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଉଭୟ ସଂସ୍ଥାର ଟିକା କୋଭିସିଲଡ୍‌ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବା ପରେ ଦୁଇ କଂପାନି ଭିତରେ ଲଢ଼େଇ ଆରମ୍ଭ ହୋଇଛି। ତେବେ ଏସମ୍ପର୍କରେ ଡିସିଜିଆଇ ମୁଖ୍ୟ ଭିଜି ସୋମାନି ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର