ନୂଆଦିଲ୍ଲୀ: ୨୦୨୦ରେ କରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନିଗୁଡ଼ିକ ଲାଗି ତାହା ସବୁଠୁ ବଡ଼ ସୁଯୋଗ ସୃଷ୍ଟି କରିଥିଲା। ଲୋକମାନେ ଘରେ ବାନ୍ଧି ହୋଇରହିବା ସହ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଥିଲେ। ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ପ୍ରଯୁକ୍ତି କଂପାନିଗୁଡ଼ିକ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲେ। କରୋନା ମହାମାରୀ ଧୀରେ ଧୀରେ ଦୂର ହେବା ପରେ ଲୋକମାନେ ପ୍ରଯୁକ୍ତିକୁ ଆଉ ପୂର୍ବଭଳି ବ୍ୟବହାର କରିନଥିଲେ। ଯେତେବେଳେ ସ୍ଥିତି ସ୍ବାଭାବିକ ହେଲା ପ୍ରଯୁକ୍ତି କଂପାନିଗୁଡ଼ିକର ଚିନ୍ତା ବଢ଼ିଗଲା। ଏତେ ଲୋକଙ୍କୁ ନେଇ କିଭଳି କଂପାନି ଆଗକୁ ବଢ଼ାଇବେ ତାହା ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଲା। କର୍ମଚାରୀ ପରିଚାଳନା ପାଇଁ ହେଉଥିବା ବ୍ୟୟ ଏତେ ବଢ଼ିଗଲା ଯେ ଛଟେଇ ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିଲା ନାହିଁ।
ମହାମାରୀ ସମୟରେ ମାତ୍ରାଧିକ ନିଯୁକ୍ତି ହିଁ ବର୍ତ୍ତମାନ ଚାଲିଥିବା ଛଟେଇର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏବେ ଯେଉଁ ଛଟେଇ ଚାଲିଛି ସେଥିରେ ପ୍ରଯୁକ୍ତି ଜ୍ଞାନ ଥିବା କର୍ମଚାରୀ ଅଧିକ ପ୍ରଭାବିତ ହୋଇନାହାନ୍ତି। ୩୬୫ ଡାଟା ସାଇନ୍ସ ତଥ୍ୟ ଅନୁସାରେ ମାନବ ସମ୍ବଳ ଓ ପ୍ରତିଭା ଅନ୍ବେଷଣ କ୍ଷେତ୍ରରେ ଚାକିରି ପାଇଥିବା ଲୋକମାନେ ଅଧିକ ଛଟେଇ ହୋଇଛନ୍ତି। ମୋଟ ଛଟେଇରେ ମାନବ ସମ୍ବଳ କର୍ମଚାରୀଙ୍କ ଭାଗ ସର୍ବାଧିକ ୨୮% ଥିବା ବେଳେ ୨୨.୧ ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସଫ୍ଟୱେର ଇଞ୍ଜିନିୟର। ଛଟେଇରେ ମାର୍କେଟିଂ କର୍ମଚାରୀଙ୍କ ଭାଗ ୭.୧ ପ୍ରତିଶତ ଓ ଗ୍ରାହକ ସେବା କର୍ମଚାରୀଙ୍କ ଭାଗ ୪.୬ ପ୍ରତିଶତ ରହିଛି। ଜନ ସମ୍ପର୍କ ଓ ଯୋଗାଯୋଗ ଏବଂ ରଣନୀତି ବିଭାଗରେ ଛଟେଇ ହୋଇଥିବା କର୍ମଚାରୀଙ୍କ ଭାଗ ୪.୪ ପ୍ରତିଶତ ରହିଛି। ଛଟେଇ ହୋଇଥିବା ଅଧିକାଂଶ କର୍ମଚାରୀଙ୍କ ବୟସ ୩୦-୪୦ ଭିତରେ ରହିଛି। ସେମାନଙ୍କ ହାରାହାରି ଅଭିଜ୍ଞତା ପ୍ରାୟ ୧୨ ବର୍ଷ ଥିଲା।
୨୦୨୨ରେ ପ୍ରଯୁକ୍ତି ଦୁନିଆରେ ୧,୬୫,୦୦୦ କର୍ମଚାରୀ ଛଟେଇର ଶିକାର ହୋଇଥିଲେ। ୨୦୨୩ରେ ସେହି ଧାରା ଜାରି ରହିଛି। ଯୁଦ୍ଧ ପାଇଁ ବିଶ୍ବବ୍ୟାପୀ ଦରଦାମ୍ରେ ବୃଦ୍ଧି, ଆୟ ସଙ୍କୁଚିତ ହେବା, ଯୋଗାଣ ଶୃଙ୍ଖଳରେ ସମସ୍ୟା, ଭୂ-ରାଜନୈତିକ ଉତ୍ତେଜନା କଂବପାନିଗୁଡ଼ିକର ରାଜସ୍ବ ଆୟକୁ ପ୍ରଭାବିତ କରିଥିବାରୁ ସେମାନେ କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ଅଧିକ ନିବେଶ ଛଟେଇର ଅନ୍ୟତମ କାରଣ ବୋଲି କୁହାଯାଉଛି। କିନ୍ତୁ ଏନେଇ କୌଣସି ସଂସ୍ଥା ସିଧାସଖଳ ଭାବେ କିଛି କହିନାହାନ୍ତି। କିନ୍ତୁ ଓପନ୍ଏଆଇର ଚାଟ୍ଜିପିଟି ଲୋକପ୍ରିୟ ହେବା ପରେ ମାଇକ୍ରୋସଫ୍ଟ ଓ ଗୁଗୁଲ୍ ଭଳି ବଡ଼ ସଂସ୍ଥା ଏଆଇ ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।