ବେଙ୍ଗାଲୁରୁ: ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ଜୀବନ କାହାଣୀକୁ ନେଇ ଏକ ସିନେମା ନିର୍ମାଣ କରାଯିବ। ସେଥିରେ ନାରାୟଣ ମୂର୍ତ୍ତିଙ୍କ ଜୀବନୀ, ଆଇଟି ଶିଳ୍ପରେ ସେ ଆଣିଥିବା ବିପ୍ଳବକୁ ପ୍ରଦର୍ଶନ କରାଯିବ। ଦଙ୍ଗଲ୍, ଛିଛୋରେ ଓ ପଙ୍ଗା ଭଳି ସିନେମାର ନିର୍ଦେଶନା ଦେଇଥିବା ନିର୍ଦେଶକ ଦମ୍ପତି ଅଶ୍ବିନୀ ଆୟାର ତିୱାରୀ ଓ ନୀତେଶ ତିୱାରୀ ଏହି ସିନେମାର ଚିତ୍ରପଟ୍ଟ ଚୂଡ଼ାନ୍ତ କରିସାରିଛନ୍ତି। କନ୍ନଡ଼ ଭାଷା ବ୍ୟତୀତ ତାମିଲ ଓ ହିନ୍ଦୀ ଭାଷାରେ ସିନେମାଟିକୁ ନିର୍ମାଣ କରାଯିବ। ଏହି ସିନେମାର କାହାଣୀକୁ ବଳିଷ୍ଠ କରିବା ଲାଗି ଏବେ ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ତାଙ୍କ ପୁଅ ରୋହନ ମୂତ୍ତି ଏବଂ ବନ୍ଧୁ ଓ ପରିଜନଙ୍କ ଠାରୁ ସଂଗ୍ରହ କରାଯାଉଛି।
କାହାଣୀ ପ୍ରସ୍ତୁତ ହୋଇଯିବା ପରେ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ। ୧୯୮୧ରେ ସୁଧାଙ୍କଠାରୁ ୧୦ ହଜାର ଟଙ୍କା କରଜ କରି ନାରାୟଣମୂର୍ତ୍ତି ନିଜର ଛଅ ବନ୍ଧୁଙ୍କୁ ନେଇ ପୁନେଠାରେ ଇନ୍ଫୋସିସ୍କୁ ସ୍ଥାପନ କରିଥିଲେ। ସେହି ସମୟରେ ସମସ୍ତେ ପାଟ୍ନି କମ୍ପ୍ୟୁଟର୍ସରେ କାର୍ଯ୍ୟ କରୁଥିଲେ। ଏହା ପରେ ଇନ୍ଫୋସିସ୍ର କ୍ୟାମ୍ପସ୍ ବେଙ୍ଗାଲୁରୁକୁ ଉଠିଯାଇଥିଲା। ଭାରତର ମଧ୍ୟବିତ୍ତ ବର୍ଗରେ ବଡ଼ ଧରଣର ପରିବର୍ତ୍ତନ ଆଣିବାରେ ନାରାୟଣ ମୂର୍ତ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।