ଅମାନିଆ ଟ୍ବିଟର୍‌କୁ ଚୂଡ଼ାନ୍ତ ନୋଟିସ୍‌, ନିୟମ ପାଳନ ନ‌କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ଠିକ୍ ଭାବେ ପାଳନ କରୁନଥିବା ଟ୍ବିଟର୍‌କୁ ଆଜି କେନ୍ଦ୍ର ସରକାର ଚୂଡ଼ାନ୍ତ ନୋଟିସ୍‌ ପଠାଇବା ସହ ଚେତାବନୀ ଦେଇଛନ୍ତି। କଂପାନିର ଡେପୁଟି ଜେନେରାଲ୍ କାଉନ୍‌ସେଲ୍ ଜିମ୍ ବେକରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଏହି ନୋଟିସ୍ ଜାରି କରାଯାଇଛି। ବାରମ୍ବାର ମନେ ପକାଇବା ସତ୍ତ୍ବେ କଂପାନି କେତେକ ବିଷୟକୁ ସ୍ପଷ୍ଟ କରୁନଥିବା ନେଇ ମନ୍ତ୍ରଣାଳୟ କ୍ଷୁବ୍ଧ ହୋଇଛି। ନୋଟିସ୍‌ରେ ସରକାର ଜଣାଇଛନ୍ତି ଯେ ଚିଫ୍‌ କମ୍ପ୍ଲାଏନ୍ସ ଅଫିସର ନିଯୁକ୍ତ କରିବା ବିଷୟରେ କଂପାନି ବର୍ତମାନ ସୁଦ୍ଧା କୌଣସି ତଥ୍ୟ ଦେଉନାହିଁ। ଯେଉଁମାନଙ୍କୁ କଂପାନି ରେସିଡେଣ୍ଟ୍‌ ଗ୍ରିଭାନ୍ସ ଅଫିସର ଓ ନୋଡାଲ୍ କଣ୍ଟାକ୍ଟ ପର୍ସନ ଭାବେ ନିଯୁକ୍ତ କରିଛି ସେମାନେ ଭାରତୀୟ ନୁହନ୍ତି। ଏହି ଦୁଇ ପଦରେ ନିଯୁକ୍ତ ହେବାକୁ ଥିବା ବ୍ୟକ୍ତି ଭାରତୀୟ ହୋଇଥିବେ ଏବଂ ସେମାନେ କଂପାନିର ପେ’ ରୋଲ୍‌ରେ ଥିବେ ବୋଲି ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି। ‌

ଟ୍ବିଟରର ଭାରତୀୟ କାର୍ଯ୍ୟାଳୟର ଯେଉଁ ଠିକଣା ଦିଆଯାଇଛି ତାହା ଏକ ଆଇନ ସେବା ପ୍ରଦାନ କରୁଥିବା ସଂସ୍ଥାର ଠିକଣା। ଏସବୁ କିଛି ନିୟମ ବିରୋଧୀ ବୋଲି ମନ୍ତ୍ରଣାଳୟ କଂପାନିକୁ ଜଣାଇଛି। ଟ୍ବିଟର୍‌କୁ ସରକାର ମେ’ ୨୬ ଓ ୨୮ରେ ଦୁଇଟି ନୋଟିସ୍ ପଠାଇଥିଲେ। କଂପାନି ତାହାର ଉତ୍ତର ଯଥାକ୍ରମେ ମେ’ ୨୮ ଓ ଜୁନ୍ ୨ରେ ଦେଇଥିଲା। କଂପାନିର ଉତ୍ତର ସନ୍ତୋଷଜନକ ନଥିଲା ବୋଲି ସରକାର ଜଣାଇଛନ୍ତି।

ତୁରନ୍ତ ନିୟମ ପାଳନ କରିବା ଲାଗି କଂପାନିକୁ ଆଜି ଶେଷ ନୋଟିସ୍‌ ପଠାଯାଇଛି। ନିୟମ ପାଳନ କରିବାରେ ଯଦି କଂପାନି ବିଫଳ ହେବ ତେବେ ଆଇଟି ନିୟମ ଅଧୀନରେ ମିଳୁଥିବା ସୁରକ୍ଷା କବଚ ହରାଇବ ଏବଂ କଂପାନି ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। କିଛି ଦିନ ହେଲାଣି ଟ୍ବିଟର ଓ ସରକାରଙ୍କ ଭିତରେ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଛି। କଂପାନିର ଦିଲ୍ଲୀ ଓ ଗୁରୁଗ୍ରାମ୍ ଅଫିସକୁ ନୋଟିସ୍ ପଠାଯିବା ଏବଂ ପୁଲିସ ପ୍ରବେଶ କରିବା ପରେ ଟ୍ବିଟର୍‌ ବେଶ ଚିନ୍ତିତ ହୋଇପଡ଼ିଛି। କିଛିଦିନ ତଳେ ଏହା ଏ ବିଜ୍ଞପ୍ତି ଜାରି କରି ପୁଲିସ ପଦକ୍ଷେପକୁ ନିନ୍ଦା କରିଥିଲା। ଭାରତ ସରକାର ପୁଲିସ ଜରିଆରେ ଡରାଇବାକୁ ଉଦ୍ୟମ କରୁଥିବା କହିଥିଲା। ନୂଆ ଆଇଟି ନିୟମ ସମ୍ପର୍କରେ କଂପାନି କହିଥିଲା ଯେ ଏହା ଭାବ ପ୍ରକାଶ କରିବା ଲାଗି ଲୋକମାନଙ୍କ ପାଖରେ ଥିବା ସ୍ବାଧୀନତା ପ୍ରତି ବିପଦ।
ଭାରତର ନୂଆ ଆଇଟି ନିୟମକୁ ଗୁଗୁଲ୍, ଫେସବୁକ୍ ଭଳି ବଡ଼ ସଂସ୍ଥା ପାଳନ କରିଛନ୍ତି।

ତେବେ ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍‌ଆପ୍ ଏହି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଛି। ଏହି ନିୟମ ସର୍ଚ୍ଚ ଇଞ୍ଜିନ ଉପରେ ଲାଗୁ ହେବ ନାହିଁ ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି। ଆଇନଗତ ପ୍ରକ୍ରିୟାରୁ ଏହି ସେବାକୁ ବାଦ ଦେବା ଦାବି କରି କଂପାନି କୋର୍ଟରେ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର