ନୂଆଦିଲ୍ଲୀ, : ଆମେରିକା ଏବଂ ୟୁରୋପରେ ବଡ଼ ବଡ଼ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସରକାରୀ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିଛନ୍ତି। ବିଭିନ୍ନ ପ୍ରକାର ଆର୍ଥିକ ମାନଦଣ୍ଡଗୁଡ଼ିକର ମୂଲ୍ୟାୟନ କରିବା ଲାଗି ଅର୍ଥମନ୍ତ୍ରୀ ଏହି ଅବସରରେ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ମନ୍ତ୍ରଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ବ୍ୟାଙ୍କଗୁଡ଼ିକ କେଉଁସବୁ ଦିଗରୁ ଚାପର ସାମ୍ନା କରୁଛନ୍ତି ସେଗୁଡ଼ିକୁ ଚିହ୍ନଟ କରନ୍ତୁ। ବ୍ୟାଙ୍କଗୁଡ଼ିକ କେଉଁ କ୍ଷେତ୍ରକୁ କେତେ ଋଣ ଦେଇଛନ୍ତି ସେଗୁଡ଼ିକର ସମୀକ୍ଷା ଅର୍ଥମନ୍ତ୍ରୀ କରିଛନ୍ତି। ଏଥିସହିତ ବିଶ୍ବସ୍ତରରୁ ବ୍ୟାଙ୍କଗୁଡ଼ିକ ପ୍ରତି କ’ଣ ଚାପ ରହିଛି ତାହାକୁ ଅନୁଧ୍ୟାନ କରିବାକୁ ଅର୍ଥମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଆର୍ଥିକ ଦୁଃସ୍ଥିତିରୁ ବ୍ୟାଙ୍କଗୁଡ଼ିକ ନିଜକୁ କିଭଳି ମୁକ୍ତ ରଖିବେ ତାହା ଦେଖିବା ଆବଶ୍ୟକ।
ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ, ସିଗନେଚର ବ୍ୟାଙ୍କ ଏବଂ ୟୁରୋପରେ କ୍ରେଡିଟ୍ ସ୍ବିସ୍ ବ୍ୟାଙ୍କର ସ୍ଥିତି ଖରାପ ହେବା ପରେ ଆଜିର ବୈଠକରେ ଅର୍ଥମନ୍ତ୍ରୀ ବ୍ୟାଙ୍କମୁଖ୍ୟମାନଙ୍କ ସହିତ ଏହି ଆଲୋଚନା କରିଥିଲେ। ସଂକଟ ପରିଚାଳନା ପାଇଁ ବିସ୍ତୃତ ନୀତି ପ୍ରସ୍ତୁତ କରିବା ସହିତ ବର୍ତ୍ତମାନର ସଂକଟକୁ ଏହି ଦୃଷ୍ଟିରୁ ଏକ ସୁଯୋଗ ଭାବେ ବିବେଚନା କରିବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ମତ ଦେଇଛନ୍ତି। ଅର୍ଥମନ୍ତ୍ରୀ ବ୍ୟାଙ୍କମୁଖ୍ୟମାନଙ୍କୁ ମୁଖ୍ୟତଃ ୬ଟି ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ବ୍ୟାଙ୍କିଂ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟା ସଂପର୍କରେ ସେମାନେ ଅବଗତ ଅଛନ୍ତି। ଆର୍ଥିକ ଅନିଶ୍ଚିତତାରୁ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ବ୍ୟାଙ୍କମୁଖ୍ୟମାନେ କହିଥିଲେ।
୧. ଜମା ସଂଗ୍ରହ ଦିଗରେ ଧ୍ୟାନ ଦିଅ।
୨. ଦୃଢ଼ ଆର୍ଥିକ ସ୍ଥିତିକୁ ଅର୍ଥନୀତି ପାଇଁ ଆବଶ୍ୟକ ହେଉଥିବା ଋଣ କ୍ଷେତ୍ରରେ ବିନିଯୋଗ କର।
୩. ଯେଉଁସବୁ ରାଜ୍ୟରେ ବ୍ୟାଙ୍କ ଋଣ ପ୍ରଦାନ ପରିମାଣ ଜାତୀୟ ହାରଠାରୁ କମ୍ ରହିଛି ସେଠାରେ ବ୍ୟାଙ୍କଗୁଡ଼ିକ ପହଞ୍ଚି ଏଥିରେ ସୁଧାର ପାଇଁ ପଦକ୍ଷେପ ନିଅନ୍ତୁ। ବିଶେଷକରି ଉତ୍ତରପୂର୍ବ ଭାରତ ଏବଂ ପୂର୍ବ ଭାରତରେ ଏହା କରିବା ପାଇଁ କୁହାଯାଇଛି।
୪. ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ଓଡିଓପି), ଇ-ନାମ୍ ଏବଂ ଡ୍ରୋନ ଭଳି ନୂଆ ନୂଆ କ୍ଷେତ୍ରରେ ବ୍ୟବସାୟ ବଢ଼ାଅ।
୫. ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଶାଖା ଜରିଆରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖ।
୬. ୨୦୨୩-୨୪ ବଜେଟରେ ଘୋଷଣା ହୋଇଥିବା ମହିଳା ସମ୍ମାନ ବଚତ ପତ୍ର ଯୋଜନାକୁ ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଅ।