ନୂଆଦିଲ୍ଲୀ: ପୁଞ୍ଜିନିବେଶ ପାଇଁ ଭାରତକୁ ବିଶ୍ବର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଯେଉଁ ବେଗରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ସେହି ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଭାରତୀୟ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଆଗାମୀ ଦିନରେ ଆଉ କେତେକ ବଡ଼ ଧରଣର ସଂସ୍କାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ପାଇଁ ଆର୍ଥିକ ସୁଧାର ପ୍ରତି ଅଧିକ ଧ୍ୟାନ ଦିଆଯାଉଛି। ଏହି ପଦକ୍ଷେପଗୁଡ଼ିକ ଅନେକ ଦଶନ୍ଧୀରୁ ଅଟକି ରହିଥିଲା।
ମହାମାରୀ ସମୟରେ ଯେଉଁ ସୁଯୋଗ ସୃଷ୍ଟି ହୋଇଥିଲା ତାହାର ଲାଭ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ୍ଷେପଗୁଡ଼ିକୁ ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ପୁଞ୍ଜିପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଦେଶର ମୁଖ୍ୟ ଆର୍ଥିକ ଉପଦେଷ୍ଟା କେଭି ସୁବ୍ରମଣିଅନ ଆଶା ପ୍ରକଟ କରିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଭାରତ ବାଣିଜ୍ୟ ବଳକା ଦେଶ ହେବ। ରପ୍ତାନି ତୁଳନାରେ ଆମଦାନି ଅଧିକ ହେବ ନାହିଁ। ମହାମାରୀ ପ୍ରଭାବ ଯୋଗୁଁ ଅନେକ ସାମଗ୍ରୀର ଚାହିଦା ନଥିବାରୁ ଆମଦାନି ହ୍ରାସ ପାଇବ। ସେଥିପାଇଁ ଭାରତ ବାଣିଜ୍ୟ ବଳକା ଭାବେ ଉଭା ହେବାର ସୁଯୋଗ ପାଇବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/nirmala1.jpg)