ଅଟୋ ଶିଳ୍ପ: ମାନ୍ଦାବସ୍ଥାକୁ ମାନିଲେ ଅର୍ଥମନ୍ତ୍ରୀ

କାର୍ ବିକ୍ରି କମିବା ପାଇଁ ଓଲା, ଉବରକୁ ଦାୟୀ କଲେ

ଚେନ୍ନାଇ: ଦେଶର ଅଟୋମୋବାଇଲ ଶିଳ୍ପ ଗୁରୁତର ସଙ୍କଟ ଦେଇ ଗତି କରୁଛି। କାର, ବାଇକ୍ ଓ ଅନ୍ୟାନ୍ୟ ଗାଡ଼ି ଆଦିର ବିକ୍ରି ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ‌ଅଟୋମୋବାଇଲ ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ପ୍ରକାର ସ୍ବୀକାର କରିଛନ୍ତି। ତେବେ ଏଥିପାଇଁ ସରକାର କିମ୍ବା ନିଜ ମୁଣ୍ଡକୁ ନେବା ପରିବର୍ତ୍ତେ ଅନ୍ୟ ମୁଣ୍ଡରେ ଅଠା ବୋଳିବା ପାଇଁ ଉଦ୍ୟମ କରିଛନ୍ତି। ମୋଦୀ ୨.୦ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଚେନ୍ନାଇଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ଅଟୋମୋବାଇଲ ଶିଳ୍ପରେ ଦେଖାଦେଇଥିବା ବିକ୍ରି ହ୍ରାସ ପାଇଁ ଦେଶରେ ଓଲା, ଉବରର ପ୍ରଚଳନ, ନୂଆ ସହସ୍ରାଦ୍ଦୀରେ ଜନ୍ମ ହୋଇଥିବା ପିଲାଙ୍କ ମାନସିକତାରେ ପରିବର୍ତ୍ତନ, ଭାରତ ଷ୍ଟେଜ୍-୬ ନିୟମ ଏବଂ ପଞ୍ଜୀକରଣ ଶୁଳ୍କ ବୃଦ୍ଧି ଆଦି ପ୍ରସଙ୍ଗକୁ ଦାୟୀ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଭାରତରେ ଅଟୋମୋବାଇଲ କ୍ଷେତ୍ର ଗତ ଦୁଇବର୍ଷ ପୂ‌ର୍ବ ଯାଏଁ ଭଲ ଥିଲା। ଏହି ଶିଳ୍ପର ଅଗ୍ରଗତି ଉର୍ଦ୍ଧ୍ବମୁଖୀ ରହିଥିଲା। ସହସ୍ରାଦ୍ଦୀରେ ଜନ୍ମ ହୋଇଥିବା ପିଲାମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ସେମାନେ କାର୍ ବା ଗାଡ଼ି କିଣି ଇଏମଆଇ ବା ଋଣ ବାବଦ ମାସିକ କିସ୍ତି ଦେବା ପରିବର୍ତ୍ତେ ଓଲା ଏବଂ ଉବରର ସେବା ବ୍ୟବହାରକୁ ପସନ୍ଦ କରୁଛନ୍ତି। କେବଳ ସେତିକି ନୁହେଁ ନୂଆ ପିଢ଼ିର ‌ପିଲାମାନେ ମେଟ୍ରୋରେ ଯାତାୟାତ କରିବାକୁ ମଧ୍ୟ ପସନ୍ଦ କରୁଛନ୍ତି। ଏସବୁ କାର୍ ବିକ୍ରି ମନ୍ଥରତାର କାରଣ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ପାର୍ବଣ ଋତୁ ପୂର୍ବରୁ ଗାଡ଼ି ଉପରୁ ଜିଏସ୍‌ଟି ହାର ହ୍ରାସ ହେବ କି ବୋଲି ପ୍ରଶ୍ନ ହେବାରୁ ଅର୍ଥମନ୍ତ୍ରୀ କହିଥିଲେ, ଟିକସ ହ୍ରାସ ପାଇଁ ଦାବି ହୋଇ ଆସୁଛି। ଜିଏସ୍‌ଟି ପରିଷଦ ଏହା ଉପରେ ନିଷ୍ପତ୍ତି ନେବାକୁ ଥିବାରୁ ଏହା ଉପରେ କି ପଦକ୍ଷେପ ନିଆଯିବ ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଜିଏସ୍‌ଟି ପରିଷଦର ବୈଠକ ଗୋଆଠାରେ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗାଡ଼ିର ଜିଏସଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ନେଇ ବିଚାରବିମର୍ଶ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଏଥିସହିତ ଅର୍ଥମନ୍ତ୍ରୀ ଏହି ଅବସରରେ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାଠାରୁ ଆରମ୍ଭ କରି ଜମ୍ମୁ କଶ୍ମୀରୁ ଧାରା ୩୭୦ ଏବଂ ୩୫ ଏ କୁ ଉଚ୍ଛେଦଠାରୁ ଆରମ୍ଭ କରି ଜିଏସ୍‌ଟି ଏବଂ ଆୟକର ସଂସ୍କାର ଉପରେ ମତ ରଖିଛନ୍ତି। ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିବା ଲାଗି ନିକଟରେ ସେ କରିଥିବା ଘୋଷଣା ସମ୍ପର୍କରେ ପ୍ରଶ୍ନ ହେବାରୁ ଅର୍ଥମନ୍ତ୍ରୀ କହିଥିଲେ, ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ସହିତ ବ୍ୟାଙ୍କ ଋଣ ପରିମାଣ ବୃଦ୍ଧି ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଅଭିବୃଦ୍ଧି ହାସଲକାରୀ ଅର୍ଥନୀତି ପାଇଁ ମଜବୁତ ବ୍ୟାଙ୍କର ଆବଶ୍ୟକତା ରହିଛି। ତେବେ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ କେବେଠାରୁ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ନିଷ୍ପତ୍ତି ସଂପୃକ୍ତ ବ୍ୟାଙ୍କର ବୋର୍ଡ ଦ୍ବାରା ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍ ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଉଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି, ଅର୍ଥନୀତିରେ ରହିଥିବା ଚାଲେଞ୍ଜ ସମ୍ପର୍କରେ ସରକାର ସଚେତନ ଅଛନ୍ତି। ସରକାରୀ ଅଧିକାରୀମାନେ ବିଭିନ୍ନ ଶିଳ୍ପର ପ୍ରତିନିଧିମାନଙ୍କ ସହିତ ଏ ନେଇ ଆଲୋଚନା କରୁଛନ୍ତି। ଗୋଟିଏ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇଛି। ଏହାକୁ ପୂର୍ବର ଅଭିବୃଦ୍ଧି ସହିତ ତୁଳନା କରାଯିବା ଉଚିତ ନୁହେଁ। ଜିଡିପି ଅଭିବୃଦ୍ଧିରେ ହ୍ରାସ ଓ ବୃଦ୍ଧି ଧାରା ଲାଗି ରହିଥାଏ। ତେବେ ଜିଡିପି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଆମେ ପଦକ୍ଷେପ ନନେଇ ବସିନାହୁଁ ବୋଲି ଅର୍ଥମନ୍ତ୍ରୀ ମତ ଦେଇଛନ୍ତି। ଦେଶରେ ସୁନା ଦର ଏବେ ବୃଦ୍ଧି ପାଉଛି। ସୁନା ଦର ନିୟନ୍ତ୍ରଣ ସମ୍ପର୍କରେ ପ୍ରଶ୍ନ ହେବାରୁ ଅର୍ଥମନ୍ତ୍ରୀ କହିଲେ ଭାରତର ସୁନା ଚାହିଦା ପ୍ରାୟତଃ ଆମଦାନି ଦ୍ବାରା ପୂରଣ ହୋଇଥାଏ। ତେଣୁ ବଜାର ଚାହିଦା, ଡଲାରର ମୂଲ୍ୟ ଏବଂ ଅନ୍ତର୍ଜାତୀୟ ବଜାରରେ ସୁନାର ଦର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଘରୋଇ ବଜାରର ସୁନା ଦର ନିର୍ଭର କରେ। ଏଦୃଷ୍ଟିରୁ ସରକାରଙ୍କ ପାଇଁ ସୁନା ଦର ନିୟନ୍ତ୍ରଣ ପଦକ୍ଷେପ ନେବା ସହଜ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର