ଭୁବନେଶ୍ବର: ଆଜି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ୪୧ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟରେ ବ୍ୟାଙ୍କ ଶାଖାର ଅଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ବ୍ୟାଙ୍କ ନଥିବା ଅଞ୍ଚଳଗୁଡ଼ିକରେ ନୂଆ ଶାଖା ଖୋଲିବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଏଥି ସହିତ ରାଜ୍ୟରେ ଅଧିକ ଋଣ ଆବଣ୍ଟନ କରିବାକୁ ମଧ୍ୟ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ କୃଷକ ବର୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବଳରାମ, କାଳିଆ, ସମୃଦ୍ଧି, ମିଲେଟ୍ ମିସନ ଓ ଏଫ୍ପିଓ ଆଦି କାର୍ଯ୍ୟକାରୀ କରିଛନ୍ତି। ଏବେ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଆବଣ୍ଟନ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି। ୨୦୨୨-୨୩ରେ ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡ ୧.୩୫ ଲକ୍ଷ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ପ୍ରସ୍ତୁତ କରିଛି। ସେହି ଲକ୍ଷ୍ୟ ହାସଲ ଲାଗି ଉଦ୍ୟମ କରିବାକୁ ଅତିଥିମାନେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି।
ନାବାର୍ଡ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟକୁ ୩୧,୭୮୬ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ରାଜ୍ୟ ସରକାର, ବ୍ୟାଙ୍କ ଓ ନିଗମଗୁଡ଼ିକୁ ନାବାର୍ଡ ଏହି ସହାୟତା ରାଶି ଦେଇଛି। ୨୦୨୨-୨୩ରେ ଏହା କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ), ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଲଘୁ ଉଦ୍ୟୋଗ ବିକାଶ କରିବା, ଏସ୍ଏଚ୍ଜିଙ୍କୁ ବ୍ୟାଙ୍କ ଋଣ ଦ୍ବିଗୁଣିତ କରିବା, ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରସାର ଉପରେ ଗୁରୁତ୍ବାରୋପ କରିବ ବୋଲି ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର କହିଛନ୍ତି।
ଆଜିର କାର୍ଯ୍ୟକ୍ରମରେ ଆଦିବାସୀ ଚାଷୀ, ଏସ୍ଏଚ୍ଜି, ଏଫ୍ପିଓ, ଜଳ ବିଭାଜିକା ପରିଚାଳନା କମିଟି, ବିୟଣ୍ଡ୍ ପ୍ୟାଡି ଅଧୀନରେ ଚାଷୀ, ବୁଣାକାର, କାରିଗର, ସ୍ବଚ୍ଛ ଭାରତ ଅଭିଯାନ ଓ ବଳରାମ ଯୋଜନା ଭଳି ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ‘ରିଫ୍ଲେକ୍ସନ ୨୦୨୧-୨୨’ ନାମକ ଏକ କଫି ଟେବୁଲ୍ ବୁକ୍ ଏବଂ ଓଡ଼ିଶାରେ ନାବାର୍ଡର ୪୦ ବର୍ଷର ଯାତ୍ରାକୁ ନେଇ ଏକ ଭିଡିଓକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କୃଷି ଉତ୍ପାଦନ କମିସନର ସଞ୍ଜୀବ ଚୋପ୍ରା, ପଞ୍ଜାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏ କେ ମୀନା, ଏସ୍ବିଆଇ ସିଜିଏମ୍ ଚନ୍ଦେର ଶେଖର ଶର୍ମା, (ଏସ୍ଏଲ୍ବିସି)ର ସଂଯୋଜକ ଗୌତମ ପାତ୍ର ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ଏଚ୍ ଏନ୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।