ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକବର୍ଷରେ ଭାରତର ୭ଟି ପ୍ରକଳ୍ପ ପାଇଁ ପ୍ରାୟ ୭୫୦ ନିୟୁତ ଆମେରିକୀୟ ଡଲାରର ବ୍ୟବସ୍ଥା ହୋଇଥିଲା। ଭାରତ ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପଗୁଡ଼ିକ ବର୍ତ୍ତମାନ ଚାଲିଛି। ଏଥିରେ ୟୁଏସ୍ଏଡ୍(ଅନ୍ତର୍ଜାତୀୟ ବିକାଶ ପାଇଁ ଆମେରିକା ଏଜେନ୍ସି)ର ଅଂଶ ୯୭ ନିୟୁତ ଡଲାର( ୮୨୫ କୋଟି ଟଙ୍କା) ରହିଥିଲା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ପ୍ରସ୍ତୁତ ବାର୍ଷିକ ରିପୋର୍ଟରେ କୁହାଯାଇଛି। ଅର୍ଥ ମନ୍ତ୍ରାଳୟର ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ଏସବୁ ପ୍ରକଳ୍ପର ବିସ୍ତୃତ ରିପୋର୍ଟ ଜାରି କରାଯାଇଛି। ଏହି ବିଭାଗ ଦ୍ବିପାକ୍ଷିକ ପାଣ୍ଠି ଯୋଗାଡ଼ ଲାଗି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିଥାଏ।
ସେହିବର୍ଷ ମତଦାନ ହାର ବୃଦ୍ଧି ପାଇଁ କୌଣସି ପାଣ୍ଠି ପ୍ରଦାନ କରାଯାଇନାହିଁ। କିନ୍ତୁ କୃଷି ଓ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ; ଜଳ, ପରିମଳ ଏବଂ ସ୍ବାସ୍ଥ୍ୟକର ପରିବେଶ; ଅକ୍ଷୟ ଶକ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ଓ ସ୍ବାସ୍ଥ୍ୟ ପାଇଁ ପ୍ରଦାନ କରାଯାଇଛି। ଏଥିସହିତ ନିରନ୍ତର ଜଙ୍ଗଲ ଓ ଜଳବାୟୁ ସହ ଖାପ ଖୁଆଇବା କାର୍ଯ୍ୟକ୍ରମ ଏବଂ ଶକ୍ତି ଦକ୍ଷତା ପ୍ରଯୁକ୍ତିର ବାଣିଜ୍ୟିକୀକରଣ ଏବଂ ନବସୃଜନ ପ୍ରକଳ୍ପ ମଧ୍ୟ ଏଥିରେ ସାମିଲ ରହିଛି। ଭାରତକୁ ଆମେରିକାର ଦ୍ବିପାକ୍ଷିକ ବାଣିଜ୍ୟ ସହାୟତା କାର୍ଯ୍ୟକ୍ରମ ୧୯୫୧ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ମୁଖ୍ୟତଃ ୟୁଏସ୍ଏଡ୍ ଜରିଆରେ କାର୍ଯ୍ୟକାରୀ ହୋଇଥାଏ। ଆରମ୍ଭରୁ ୟୁଏସ୍ଏଡ୍ ବିଭିନ୍ନ କ୍ଷେତ୍ରର ୫୫୫ରୁ ଅଧିକ ପ୍ରକଳ୍ପ ପାଇଁ ୧୭ ବିଲିଅନ ଡଲାରରୁ ଅଧିକ ରାଶି ପ୍ରଦାନ କରିଛି। ଏଲନ ମସ୍କଙ୍କ ନେତୃତ୍ବରେ ପରିଚାଳିତ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଚଳିତମାସରେ କହିଥିଲା ଯେ ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଦିଆଯାଇଥିବା ୨୧ ନିୟୁତ ଡଲାର ସହାୟତାକୁ ବାତିଲ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅମଳରେ ଭାରତରେ ମତଦାନ ହାର ବୃଦ୍ଧି ପାଇଁ ୨୧ ନିୟୁତ ଡଲାର ପ୍ରଦାନ କରାଯାଇଛି ବୋଲି ବାରମ୍ବାର କହି ଆସୁଛନ୍ତି।
ଶନିବାର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଟ୍ରମ୍ପ ପ୍ରଶାସନ ଦ୍ବାରା ଦିଆଯାଇଥିବା ତଥ୍ୟ ଚିନ୍ତାଜନକ ଏବଂ ସରକାର ଏହାର ଅନୁଧ୍ୟାନ କରୁଛନ୍ତି। ଭଲ ଉଦ୍ଦେଶ୍ୟ ରଖି ଭାରତରେ ଭଲ କାର୍ଯ୍ୟ କରିବା ପାଇଁ ୟୁଏସ୍ଏଡ୍କୁ ଅନୁମତି ଦିଆଯାଇଛି। କିନ୍ତୁ ଆମେରିକାରୁ ଯାହା ସୂଚନା ଆସୁଛି ତାହାଦ୍ବାରା ଜଣାଯାଉଛି ଯେ ଖରାପ ଉଦ୍ଦେଶ୍ୟରେ ଏହି ଅର୍ଥ ଲାଗିଛି ବୋଲି ଜୟଶଙ୍କର କହିଥିଲେ। କଂଗ୍ରେସ ରବିବାର ଅଭିଯୋଗ କରିଛି ଯେ ଆମେରିକାର ମିଥ୍ୟା ସମ୍ବାଦ ଆଧାରରେ ସରକାର ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଏଲନ ମସ୍କ ଭାରତକୁ ବାରମ୍ବାର ଅପମାନିତ କରିବା ସମୟରେ ସରକାର କାହିଁକି ଚୁପ୍ ଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ବିଜେପି ଯେଉଁ ୨୧ ନିୟୁତ ଡଲାର କଥା କହୁଛି ତାହା ଭାରତରେ ମତଦାନ ହାର ବୃଦ୍ଧି ପାଇଁ ନୁହେଁ ବରଂ ବାଂଲାଦେଶ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି। ଅନ୍ୟପକ୍ଷରେ ଭାରତ ସରକାରଙ୍କ ରିପୋର୍ଟ ସ୍ପଷ୍ଟ କରୁଛି ୟୁଏସ୍ଏଡ୍ର ଯେଉଁ ୨୧ ନିୟୁତ ଡଲାରକୁ ନେଇ ବିବାଦ ଉଠିଛି ତାହା ସରକାରଙ୍କ ଦ୍ବାରା କୌଣସି କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ନଥିଲା। ଏଥିରୁ କୌଣସି ଅର୍ଥ ସରକାର ଗ୍ରହଣ କରି ନଥିବା ରିପୋର୍ଟ ଦର୍ଶାଇଥିବାବେଳେ ସେହି ରାଶି କାହା ପାଖକୁ ଯାଇଛି ତାହାର ଖୋଳତାଡ଼ କରାଯାଉଛି।