ଅଦାନୀ ଗ୍ରୁପରେ ଏଲଆଇସି, ଷ୍ଟେଟ ବ୍ୟାଙ୍କର ନିବେଶ ସୀମିତ, ଏଣୁ ଚିନ୍ତାର କାରଣ ନାହିଁ : ଅର୍ଥ ସଚିବ

ନୂଆଦିଲ୍ଲୀ : ଅଦାନୀ ଗ୍ରୁପରେ ଚାଲିଥିବା ସଂକଟ ପରିପ୍ରେକ୍ଷୀରେ ସରକାର କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି । ତେବେ ଆଦାନୀ ଗ୍ରୁପରେ ପୁଞ୍ଜି ଖଟାଇଥିବା କିମ୍ବା ଋଣ ଦେଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏଲଆଇସି,ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ସରକାରୀ ବ୍ୟାଙ୍କ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ମନ୍ତବ୍ୟ ଦେଇଛନ୍ତି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ କେନ୍ଦ୍ର ଅର୍ଥ ସଚିବ ଟି.ଭି.ସୋମନାଥନ କହିଛନ୍ତି ଯେ ଅଦାନୀ ଗ୍ରୁପରେ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଖଟାଯାଇଥିବା ପୁଞ୍ଜି ପରିମାଣ ସେମାନଙ୍କ ମୋଟ ପୁ଼୍ଞ୍ଜି ଲଗାଣ ତୁଳନାରେ ସୀମିତ । ଏଣୁ ଅଦାନୀରେ ଚାଲିଥିବା ସଂକଟର କୌଣସି ପ୍ରଭାବ ଏହି ଦୁଇ ସଂସ୍ଥା ଉପରେ ପଡ଼ିବ ନାହିଁ । ଏଣୁ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କର ନିବେଶକ,ଜମାକାରୀ ବା ପଲିସୀଧାରୀମାନେ କୌଣସି ଚିନ୍ତା କରିବା ଉଚିତ ନୁହେଁ ।

ସେ କହିଛନ୍ତି ଯେ, ‘ମୁଁ କୌଣସି ଘରୋଇ କମ୍ପାନୀର ଭବିଷ୍ୟତ ଉପରେ ମନ୍ତବ୍ୟ ଦେଉନାହୁଁ… କମ୍ପାନୀଗୁଡିକ ସେମାନଙ୍କର ଶକ୍ତି ଏବଂ ଦୁର୍ବଳତା ଯୋଗୁଁ ଉପରକୁ ଉଠନ୍ତି ବି ତଳକୁ ଖସନ୍ତି । କିନ୍ତୁ ମୁଁ ଏସବିଆଇ ଏବଂ ଏଲଆଇସି ବିଷୟରେ ଉତ୍ତର ଦେବି …”

“ଯେକୌଣସି କମ୍ପାନୀରେ ଏସବିଆଇ ଏବଂ ଏଲଆଇସିର ଏକ୍ସପୋଜର୍ ସେହି ସ୍ତରଠାରୁ ବହୁତ କମ୍ ଯେଉଁଠାରେ ବ୍ୟାଙ୍କ କିମ୍ବା ବୀମା ପଲିସିରେ ବିନିଯୋଗ କରୁଥିବା ବ୍ୟକ୍ତି ଚିନ୍ତିତ ହେବା କଥା ।  କୌଣସି ଗୋଟିଏ କମ୍ପାନୀର କାର୍ଯ୍ୟଦକ୍ଷତା ଏଲଆଇସି କିମ୍ବା ଷ୍ଟେଟ ବ୍ୟାଙ୍କ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ, ଏବଂ ତେଣୁ କୌଣସି ଜାତୀୟକରଣ ବ୍ୟାଙ୍କ କିମ୍ବା ବୀମା କମ୍ପାନୀର ନିବେଶକ କିମ୍ବା ପଲିସିଧାରୀଙ୍କ ପାଇଁ ଚିନ୍ତାର କୌଣସି କାରଣ ନାହିଁ ।

ସମ୍ବନ୍ଧିତ ଖବର