ଭୁବନେଶ୍ବର: କେନ୍ଦ୍ର ସରକାର ଚଳିତ ମାସ ୧ରୁ ଆରମ୍ଭ କରିଥିବା ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାଚୁରେସନ୍ ଅଭିଯାନ ରାଜ୍ୟର ୬୨୧ଟି ପଞ୍ଚାୟତରେ ପହଞ୍ଚିଛି। ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ମାସିଆ ଅଭିଯାନ ରାଜ୍ୟର ସମସ୍ତ ୬୭୯୪ ପଞ୍ଚାୟତରେ ପହଞ୍ଚିବ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି), ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି।
ୟୁକୋ ବ୍ୟାଙ୍କ କାର୍ଯ୍ୟାଳୟରେ ପିଆଇବି ଓଡ଼ିଶା ସହଯୋଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅଭିଯାନ ସମ୍ପର୍କରେ ଏସ୍‌ଏଲ୍‌ବିସି ସଂଯୋଜକ ଗୌତମ ପାତ୍ର ସୂଚନା ଦେଇଥିଲେ। ଚଳିତ ମାସର ୨୧ ଦିନ ମଧ୍ୟରେ ଏହି ଅଭିଯାନରେ ରାଜ୍ୟରେ ୬୭୪୨ଜନ ଧନ ଖାତା ଖୋଲାଯାଇଛି। ୮୭୭୯ ଜଣ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଏବଂ ୧୦,୦୪୫ ଜଣ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି। ୨୯୩୮ ଜଣ ଅଟଳ ପେନ୍‌ସନ୍ ଯୋଜନାକୁ ସବ୍‌ସ୍କ୍ରାଇବ୍ କହିଛନ୍ତି। ୭୧୭୮ ଜନ ଧନ ଖାତାର ପୁନଃ କେୱାଇସି କରାଯାଇଛି।

Advertisment

ଏହି ଅଭିଯାନରେ ନିଷ୍କ୍ରିୟ ରହିଥିବା ଜନ ଧନ ଖାତାଗୁଡ଼ିକୁ ପୁନଃ ଯାଞ୍ଚ କରି ସକ୍ରିୟ କରାଯାଉଛି। ଡିଜିଟାଲ୍ ଠକେଇ, ଦାବିଦାର ନଥିବା ଜମା ଏବଂ ଖାତାରେ ନୋମିନି ମାନୋନୀତ କରିବା ନେଇ ସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜନ ଧନ ଖାତା ସଂଖ୍ୟା ୨.୩୧ କୋଟିରୁ ଅଧିକ ରହିଛି। ସେହିପରି ୨.୧୯ କୋଟି ସୁରକ୍ଷା ବୀମା ଯୋଜନା ଓ ୯୨.୩୨ ଲକ୍ଷ ଜୀବନ ଜ୍ୟୋତି ବୀମା ଯୋଜନା ଖାତା ରହିଛି। ଏହି ଅବସରରେ ପିଆଇବି ଭୁବନେଶ୍ବରର ଅତିରିକ୍ତ ମହାନିର୍ଦେଶକ ଅଖିଳ କୁମାର ମିଶ୍ର, ୟୁକୋ ବ୍ୟାଙ୍କର ଡିଜିଏମ୍ ଭଗବତ ସିଂହ ଭାକୁନି, କଟକ ଜୋନାଲ୍‌ ମ୍ୟାନେଜର ବର୍ଷା ଓ ଏସ୍‌ଏଲ୍‌ବିସି ଓଡ଼ିଶାର ଏଜିଏମ୍‌ ଇନ୍‌ଚାର୍ଜ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ।