ସ୍କୁଲ ଛାତ୍ରଛାତ୍ରୀ ପଢ଼ିବେ ଆର୍ଥିକ ସାକ୍ଷରତା ପାଠ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଆଉ କିଛି ନିୟାମକ ସଂସ୍ଥାର ମିଳିତ ଉଦ୍ୟମରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଲାଗି ଏକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ତାହାକୁ ସ୍କୁଲ ପାଠପଢ଼ାରେ ସାମିଲ କରାଯାଉଛି। ତିନିଟି ରାଜ୍ୟକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟ ଏହି କାର୍ଯ୍ୟକ୍ରମକୁ ସ୍କୁଲ ପାଠପଢ଼ାରେ ସାମିଲ କରିବାକୁ ରାଜି ହୋଇଛନ୍ତି ବୋଲି ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନିଲ କୁମାର ଶର୍ମା କହିଛନ୍ତି। ସେ କହିଲେ, ଏହା ଦ୍ବାରା ସ୍କୁଲ ଛାତ୍ରଛାତ୍ରୀମାନେ ଆର୍ଥିକ ସାକ୍ଷରତାର ମୌଳିକ ଜ୍ଞାନ ହାସଲ କରିପାରିବେ।

ଫଳରେ ସାରା ଦେଶରେ ଆର୍ଥିକ ସାକ୍ଷରତାର ବ୍ୟାପକ ପ୍ରସାର ହୋଇପାରିବ। ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡ ଯେଭଳି ନିଜ ପାଠ୍ୟକ୍ରମରେ ଆର୍ଥିକ ସାକ୍ଷରତା ପାଠକୁ ସାମିଲ କରିପାରିବେ ସେଥିପାଇଁ ତାହାକୁୁ ବିଭିନ୍ନ ନିୟାମକ ସଂସ୍ଥା ସହ ଆଲୋଚନା କରି ପ୍ରସ୍ତୁତ କରାଯାଇଛି। ଷଷ୍ଠରୁ ଦଶମ ଶ୍ରେଣୀ ପିଲାମାନଙ୍କୁ ନଜରରେ ରଖି ଏହି ବିଷୟକୁ ପ୍ରସ୍ତୁତ କରାଯାଇଛି। ନିୟମିତ ବ୍ୟବଧାନରେ ସେଥିରେ ଯେଉଁ ସଂଶୋଧନ କରାଯିବ, ସେ ବିଷୟରେ ରାଜ୍ୟର ଶିକ୍ଷା ବୋର୍ଡ‌ମାନଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର