୫୩% ଲୋକଙ୍କ ପାଖରେ ପହଞ୍ଚିଛି ଆର୍ଥିକ ସେବା, ପ୍ରତିବର୍ଷ ଜୁଲାଇରେ ପ୍ରକାଶ ପାଇବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୂଚୀ
ମୁମ୍ବାଇ: ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ନେଇ ରହିଥିବା ଲକ୍ଷ୍ୟର ଅଧାରୁ ଅଧିକ ହାସଲ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୧ ମାର୍ଚ୍ଚ ସୁଦ୍ଧାର ସୂଚୀ ୫୩.୯% ରହିଛି। ଅର୍ଥାତ ଅଧାରୁ ଅଧିକ ଲୋକଙ୍କ ନିକଟରେ ଆର୍ଥିକ ସେବା ଓ ସୁବିଧା ପହଞ୍ଚିପାରିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅର୍ଥ ହେଉଛି ଲୋକମାନଙ୍କ ନିକଟରେ ଆର୍ଥିକ ସେବା ପହଞ୍ଚାଇବା। ବ୍ୟାଙ୍କ ସେବା ଠାରୁ ଆରମ୍ଭ କରି ବୀମା, ନିବେଶ, ଡାକଘର ତଥା ପେନ୍ସନ୍ ଆଦିକୁ ଆର୍ଥିକ ସେବା ଓ ସୁବିଧା ଭାବେ ବିଚାର କରାଯାଉଛି। ଏହି ସବୁ ସେବା ଯେଭଳି ଲୋକମାନଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ସରକାର ଉଦ୍ୟମ କରୁଛନ୍ତି। ବିଶେଷ କରି ସମାଜର ଯେଉଁ ବର୍ଗ ଏହି ସେବା ପାଇବାରୁ ବଞ୍ଚିତ ସେମାନଙ୍କ ନିକଟରେ କିଭଳି ସେବା ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରହିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ବଳିଷ୍ଠ ପ୍ରମାଣ ହେଉଛି ଜନ ଧନ ଯୋଜନା। ଏହା ଜରିଆରେ ଦେଶର ଘରେ ଘରେ ବ୍ୟାଙ୍କ ସେବା ପହଞ୍ଚି ପାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ହେଉଥିବା ଅଗ୍ରଗତିର ଏକ ଚିତ୍ର ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସୂଚୀ ଜାରି କରାଯିବ। ପ୍ରତିବର୍ଷର ଜୁଲାଇ ମାସରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୂଚୀ ଜାରି କରାଯିବ ବୋଲି ଜଣାପଡ଼ିଛି। ଏ ବିଷୟରେ ଗତ ଏପ୍ରିଲ୍ ମାସର ମୁଦ୍ରାନୀତି ସମୀକ୍ଷା ବେଳେ ଘୋଷଣା କରାଯାଇଥିଲା। ଏହି ସୂଚୀ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ବିଭିନ୍ନ ଦିଗ ବିଚାରକୁ ନିଆଯିବ। ସେଗୁଡ଼ିକ ୦-୧୦୦ ପର୍ଯ୍ୟନ୍ତ ସ୍କୋର ପ୍ରଦାନ କରାଯିବ। ୧୦୦ ସ୍କୋର ଅର୍ଥ ହେଉଛି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ଶତ ପ୍ରତିଶତ ହାସଲ ହେବା। ୨୦୧୭ ମାର୍ଚ୍ଚ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୂଚୀ ୪୩.୪ ପ୍ରତିଶତ ଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ତାହା ୫୩.୯%କୁ ବୃଦ୍ଧି ପାଇବା ନିଶ୍ଚିତ ରୂପେ ଏକ ଉଲ୍ଲେଖନୀୟ ସଫଳତା। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୂଚୀ ପାଇଁ ତିନିଟି ପ୍ରମୁଖ ମାନଦଣ୍ଡ ବିଚାରକୁ ନିଆଯିବ। ତାହା ହେଉଛି ଲୋକଙ୍କ ନିକଟରେ ପହଞ୍ଚିବା (୩୫%), ଉପଯୋଗ (୪୫%) ଓ ଗୁଣାତ୍ମକ ମାନ (୨୦%)। ଏକ ଆର୍ଥିକ ସେବା କେତେ ଲୋକଙ୍କ ନିକଟରେ ପହଞ୍ଚିଛି, ସେମାନଙ୍କ ମଧ୍ୟରୁ କେତେ ଜଣ ତାହାକୁ ବ୍ୟବହାର କରୁଛନ୍ତି ଏବଂ ସେବାର ମାନ କିଭଳି ରହିଛି ତାହା ସେହି ସେବାର ସୂଚୀ ନିର୍ଧାରଣ କରିବାରେ ସହାୟକ ହେବ। ମୋଟ ୯୭ଟି ବିଷୟକୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯିବ। ଏହି ସୂଚୀର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଗୁଣାତ୍ମକ ମାନଦଣ୍ଡ ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଗୁଣାତ୍ମକ ବିଷୟ ଯଥା ଆର୍ଥିକ ସାକ୍ଷରତା, ଉପଭୋକ୍ତା ସୁରକ୍ଷା ଓ ଅସମାନତା ଏବଂ ସେବାରେ ରହିଥିବା ଅଭାବ ଆଦିକୁ ପ୍ରତିଫଳିତ କରିବ।