ଜିଏସ୍‌ଟି ଲାଭ ଦେଉନଥିବା କଂପାନି ଗଣି‌େବ ଜରିମାନା

ମଲ୍‌ଟିପ୍ଲେସ୍‌ ପାଇଁ ଇ-ଟିକଟ, ଆଧାର ଜରିଆରେ ପଞ୍ଜୀକରଣ

ନୂଆଦିଲ୍ଲୀ: ଦେଶର ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଜିଏସ୍‌ଟି ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଣ୍ଟି ପ୍ରଫିଟିୟରିଂ ଅଥରିଟିଙ୍କ ଅବଧିକୁ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜିଏସ୍‌ଟି ପଞ୍ଜୀକରଣ ବେଳେ ଆଧାରକୁ ପ୍ରମାଣପତ୍ର ଭା‌ବେ ବ୍ୟବହାର କରିବାର ଅନୁମତି ପ୍ରଦାନ କରାଯାଇଛି। ଇଲେକ୍ଟ୍ରିନ ଯାନ ଓ ଏହାର ଚାର୍ଜର ଉପରେ ଟିକସ ହ୍ରାସ କରିବା ପ୍ରସଙ୍ଗର ସମୀକ୍ଷା କରିବା ପାଇଁ ସେହି ପ୍ରସ୍ତାବକୁ ଅଧିକାରୀଙ୍କ କମିଟିକୁ ପଠାଇ ଦିଆଯାଇଛି। ଯେଉଁ ସଂସ୍ଥା ଜିଏସ୍‌ଟିର ଲାଭ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଉନାହାନ୍ତି ସେମାନଙ୍କ ଉପରେ ୧୦% ପର୍ଯ୍ୟନ୍ତ ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏବେ ପ୍ରଚଳିତ ଥିବା ନିୟମ ଅନୁସାରେ ଏଭଳି କ୍ଷେତ୍ରରେ ସର୍ବାଧିକ ଜରିମାନା ୨୫ ହଜାର ଟଙ୍କା ଥିଲା। ସେଥିରେ ପରିବର୍ତ୍ତନ ଅଣାଯାଇଛି।

ଆଣ୍ଟି ପ୍ରଫିଟିୟରିଂ ଅଥରିଟିର ଅବଧି ବଢ଼ିଲା
ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ଅବଧି ଦୁଇ ମାସ ବଢ଼ିଲା
ଲଟେରି ଉପରେ ଆଟର୍ଣ୍ଣି ଜେନେରାଲ୍‌ଙ୍କ ମତାମତ ନିଆଯିବ

୨୦୧୭-୧୮ ଆର୍ଥିକ ବର୍ଷ ନିମନ୍ତେ ବାର୍ଷିକ ଜିଏସ୍‌ଟି ରିଟର୍ଣ୍ଣ ଦାଖଲର ସମୟ ସୀମାକୁ ଆସନ୍ତା ଅଗଷ୍ଟ ୩୦ ପର୍ଯ୍ୟନ୍ତ ବଢ଼ା ଦିଆଯାଇଛି। ସେହିପରି ଇ-ୱେଲ୍ ବିଲ୍ ସୃଷ୍ଟି କରିବାର ଅବଧିକୁ ମଧ୍ୟ ଦୁଇ ମାସ ବଢ଼ାଇ ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।ଜିଏସ୍‌ଟି ପରିଷଦର ୩୫ତମ ବୈଠକ ଶେଷ ହେବା ପରେ ରାଜସ୍ବ ସଚିବ ଏ ବି ପାଣ୍ଡେ କହିଛନ୍ତି ଯେ, ଜିଏସ୍ଟି ରିଟର୍ଣ୍ଣ ଦାଖଲ ବ୍ୟବସ୍ଥା ୨୦୨୦ ଜାନୁଆରି ୧ରୁ କାର୍ଯ୍ୟକାରୀ କରାଯିବ। ସେହିଦିନ ଠାରୁ ପରୀକ୍ଷାମୂଳକ ଭାବେ ଇଲେକ୍ଟ୍ରୋନିକ୍ସ ଇନ୍‌ଭଏସ୍‌ ବ୍ୟବସ୍ଥା ଆରମ୍ଭ ହେବ। ଜିଏସ୍‌ଟି ପଞ୍ଜୀକୃତ ହୋଇଥିବା ମଲ୍‌ଟିପ୍ଲେକ୍ସଗୁଡ଼ିକ ପାଇଁ ଇ-ଟିକଟ ଜାରି କରିବା ବେଳେ ଏହି ବ୍ୟବସ୍ଥାକୁ ଗ୍ରହଣ କରିବା ବାଧ୍ୟତାମୂଳକ କରାଯାଇଛି। ଲଟେରି ଉପରେ ଜିଏସ୍‌ଟି ହାର ଲଗାଇବା ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ୍‌ଙ୍କ ମତାମତ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ଅନୁସାରେ ବାର୍ଷିକ ୫୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ସଂସ୍ଥାଗୁଡ଼ିକୁ ବ୍ୟବସାୟରୁ ବ୍ୟବସାୟ (ବି୨ବି) ବିକ୍ରି ପାଇଁ ସରକାରୀ ପୋର୍ଟାଲ୍‌ରେ ଇଲେକ୍ଟ୍ରୋନିକ୍ସ ଇନ୍‌ଭଏସ୍‌ ସୃଷ୍ଟି କରିବାକୁ ପଡ଼ିବ। ମଲ୍‌ଟିପ୍ଲେକ୍ସଗୁଡ଼ିକ ପାଇଁ ଇ-ଟିକଟକୁ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ବାରା ଏଥିରୁ ମିଳିବାକୁ ଥିବା ରାଜସ୍ବ ସିଧାସଳଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜକୋଷରେ ପହଞ୍ଚିପାରିବ। ଲଟେରି ପ୍ରସଙ୍ଗରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଜିଏସ୍‌ଟିରେ ସାରା ଦେଶରେ ଗୋଟିଏ ପ୍ରକାର ଟିକସ ଲାଗୁ କରିବାର ଅଭିପ୍ରାୟ ରହିଛି। କିନ୍ତୁ ଲଟେରି କ୍ଷେତ‌୍ରରେ ଦୁଇ ପ୍ରକାର ଟିକସ ଲଗାଇବାକୁ ପଡ଼ିବ। ସେଥିପାଇଁ ଜିଏସ୍‌ଟି ନିୟମର ଧାରା ୩୪୦ ଉପରେ ଅଧିକ ସ୍ପଷ୍ଟତା ପାଇଁ ଆଟର୍ଣ୍ଣି ଜେନେରାଲ୍‌ଙ୍କ ମତାମତ ନିଆଯିବ। ଇଲେକ୍ଟ୍ରିକ୍ ଯାନ ଉପରେ ଟିକସ ସ୍ଲାବ୍‌କୁ ୧୨%ରୁ କମାଇ ୫% କରିବା ଏବଂ ଚାର୍ଜ ଉପରୁ ଟିକସକୁ ୧୮%ରୁ କମାଇ ୧୨% କରିବା ପାଇଁ ଯେଉଁ ପ୍ରସ୍ତାବ ରହିଥିଲା ତାହାକୁ ଫିଟ୍‌ମେଣ୍ଟ୍‌ କମିଟି ନିକଟକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର