ଫାଇନାନ୍ସ ସଂସ୍ଥାରେ ବଢ଼ିବ ସଙ୍କଟ, କର୍ପୋରେଟ୍ ବ୍ୟାପାର ସଚିବଙ୍କ ଆକଳନ

ନୂଆଦିଲ୍ଲୀ: ଦେଶର ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କଂପାନି (ଏନ୍‌ବିଏଫ୍‌ସି) କ୍ଷେତ୍ର ସଙ୍କଟ ମୁହଁରେ ଠିଆ ହୋଇଛି। କିଛି ବଡ଼ କଂପାନି ଦ୍ବାରା ବଡ଼ ଧରଣର ଭୁଲ କାମ କରାଯିବା ଏବଂ ଋଣ ଆବଣ୍ଟନ ସଙ୍କୁଚିତ ହୋଇଯାଇଥିବାରୁ ଏହି କ୍ଷେତ୍ର ଧ୍ବଂସ ହେବାର ଫର୍ମୁଲା ପ୍ରସ୍ତୁତ ହୋଇରହିଛି। ଦେଶର କର୍ପୋରେଟ୍ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ ଏଭଳି ଆକଳନ କରିଛନ୍ତି। ଏକ ସାକ୍ଷାତକାରରେ ଶ୍ରୀ ଶ୍ରୀନିବାସ କହିଛନ୍ତି ଯେ, ଏନ୍‌ବିଏଫ୍‌ସି କ୍ଷେତ୍ର ଋଣର ଅଭାବ, ଅଧିକ ଉଧାର ଦେବା ଏବଂ କିଛି ବଡ଼ ସଂସ୍ଥା କରିଥିବା ଭୁଲର ଫଳ ଭୋଗୁଛି। ଏହି କ୍ଷେତ୍ର ସଙ୍କଟ ଆଡ଼କୁ ଗତି କରୁଛି। ଋଣ ପରିମାଣ କମ୍ କରିବା, ଉପଲବ୍ଧ କ୍ଷମତାର ଅତ୍ୟଧିକ ଲାଭ ଉଠାଇବା, କୌଣସି ଏକ ନିର୍ଦିଷ୍ଟ ବିଷୟ ଉପରେ ଅତ୍ୟଧିକ ଗୁରୁତ୍ବ ଦେବା ଏବଂ ସମ୍ପତ୍ତି ଓ ନେଣଦେଶରେ ବଡ଼ ଧରଣର ଅନ୍ତର ଭଳି ସମସ୍ୟା‌ ଦେଇ ଏହି କ୍ଷେତ୍ର ଗତି କରୁଛି। ଏହି କ୍ଷେତ୍ର ନଷ୍ଟ ହେବାର ଫର୍ମୁଲା ପ୍ରସ୍ତୁତ ହୋଇରହିଛି। ସେ ଏହା ମଧ୍ୟ କହିବାକୁ ଭୁଲି ନାହାନ୍ତି ଯେ, ଏହି ‌କ୍ଷେତ୍ରରେ ଥିବା କେତେକ ଦାୟିତ୍ବବାନ କଂପାନି ସମସ୍ୟାକୁ ଉଚିତ ଢଙ୍ଗରେ ପରିଚାଳନା କରୁଛନ୍ତି ଏବଂ ସେମାନେ ସଙ୍କଟ ସ୍ଥିତିରେ ନାହାନ୍ତି। ବର୍ତ୍ତମାନର ଏହି ସଙ୍କଟମୟ ସ୍ଥିତି ଅନ୍ୟ କଂପାନିଗୁଡ଼ିକ ନିମନ୍ତେ କଂପାନିକୁ ଉଚିତ ମାର୍ଗରେ ଆଗକୁ ବଢ଼ାଇବାର ପରୀକ୍ଷା ସମୟ। ଯେଉଁ ଭଳି ଭାବେ ଏହି କ୍ଷେତ୍ରର କଂପାନିଗୁଡ଼ିକ ଆଗକୁ ବଢ଼ୁଛନ୍ତି ମଧ୍ୟମ ଓ ଦୀର୍ଘକାଳୀନ ଭିତ୍ତିରେ ତାହା ଭଲ ଫଳ ପ୍ରଦାନ କରିବ। ମାତ୍ର ସ୍ବଳ୍ପକାଳୀନ ଭିତ୍ତିରେ କିଛିଟା ସମସ୍ୟା ସୃଷ୍ଟି କରିବ।

ସମ୍ବନ୍ଧିତ ଖବର