ଫିନୋ ପେମେଣ୍ଟସ ବ୍ୟାଙ୍କର ସମ୍ପ୍ରସାରଣ ଯୋଜନା

ଭୁବନେଶ୍ବର : ଓଡ଼ିଶାରେ ଫିନୋ ପେମେଣ୍ଟସ ବ୍ୟାଙ୍କ ବ୍ୟାପକ ସଂପ୍ରସାରଣ ଯୋଜନା ରଖିଛି। ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଗଲି ଗଲି ଫିନୋ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ବ୍ୟାଙ୍କ ସାରା ରାଜ୍ୟରେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ବିପିସିଏଲ୍ ଆଉଟଲେଟ୍ ଗୁଡ଼ିକରେ ୩୦ଟି ଶାଖା ଏବଂ ଶତାଧିକ ବ୍ୟାଙ୍କିଂ କରେସପୋଣ୍ଡେଣ୍ଟ ଆଉଟଲେଟ୍ ଖୋଲିବା ଯୋଜନା ରଖିଛି। ରାଜ୍ୟରେ ଏବେ ବ୍ୟାଙ୍କର ଗ୍ରାହକଙ୍କ ସଂଖ୍ୟା ୧୭ ହଜାର ଥିବାବେଳେ ମାର୍ଚ୍ଚ ସୁଦ୍ଧା ଏହାକୁ ୧ ‌ଲକ୍ଷରେ ପହଞ୍ଚାଇବା ଯୋଜନା ରଖିଛି ବୋଲି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଉପସଭାପତି ବିପ୍ର ଭରଦ୍ବାଜ କହିଛନ୍ତି। ଏବେ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ପ୍ରତିମାସରେ ୧୦୦ କୋଟି ଟଙ୍କାର ବ୍ୟବସାୟ ହେଉଥିବାବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହାକୁ ମାସିକ ୫୦୦ କୋଟି ଟଙ୍କାରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ନୂଆ ଶାଖାଗୁଡ଼ିକ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଖୋଲାଯିବ ବୋଲି ସେ କହିଛନ୍ତି।

ଫିନୋ ପେମେଣ୍ଟ୍ସ ବ୍ୟାଙ୍କ ନିକଟରେ କାରବାର ଆରମ୍ଭ କରିବାର ୨ ବର୍ଷ ପୂରଣ କରିଛି। ଏହା ରାଜ୍ୟରେ ୨୬୧୮ଟି ମର୍ଚ୍ଚାଣ୍ଟ ପଏଣ୍ଟ ଏବଂ ୧୪୨ଟି ବିପିସିଏଲ୍ ପଏଣ୍ଟ ନିଯୁକ୍ତ କରିଛି। ଫିନୋ‌ର ବ୍ୟାଙ୍କିଂ ସେବା କିରାନା ଷ୍ଟୋର, ମୋବାଇଲ ମରାମତି ଦୋକାନ, ବିୟୁଟି ସେଲୁନ, ଷ୍ଟେସନାରି ଦୋକାନ ଆଦିରେ ଉପଲବ୍ଧ ହେଉଛି। ଫିନୋର କରେସପୋଣ୍ଡେଣ୍ଟ ହୋଇଥିବା ବ୍ୟକ୍ତିମାନେ ବର୍ଷକୁ ୧ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜନା କରି ପାରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସଚିନ ଯୋଗେଲକର, ଅତୁଲ ତ୍ରିବେଦୀ, ରାଜ୍ୟ ଶାଖା ମୁଖ୍ୟ ସୁବ୍ରତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର